ବନ୍ୟା ଆଣିଲା ବିତ୍ପାତ! ସ୍ଥିତି ନିୟନ୍ତ୍ରଣ ପାଇଁ ସରକାର ଭିଡ଼ିଲେ ଅଂଟା

49

କନକ ବ୍ୟୁରୋ : ଲଗାଣ ବର୍ଷାରେ ଭାସିଲା ରାୟଗଡାର କଲ୍ୟାଣସିଂହପୁର । ପ୍ରବଳ ବର୍ଷା ଯୋଗୁଁ କଲ୍ୟାଣୀ ଓ ନାଗାବଳୀ ନଦୀରେ ବନ୍ୟା ଆସିଛି । ଫଳରେ ବନ୍ୟା ଜଳରେ ବୁଡିଯାଇଛି କଲ୍ୟାଣସିଂହପୁରର ସଦର ମହୁକମା । ଗାଁ ଗଣ୍ଡାରେ ପ୍ରବାହିତ ହେଉଛି ୧୦ରୁ ୧୨ ଫୁଟ ଉଚ୍ଚର ବନ୍ୟାପାଣି । ବ୍ଲକର ସାନବ୍ରାହ୍ମଣ ସାହି, କାମ୍ପସାହି, ବଡବ୍ରାହ୍ମଣ ସାହି ଓ ତହସିଲ ଅଫିସ ଜଳମଗ୍ନ ହୋଇଛି । ଗାଁରେ ବନ୍ୟାପାଣି ପଶିଯିବାରୁ ୧୦ ହଜାର ଲୋକ ଜଳବନ୍ଦୀ ହୋଇଛନ୍ତି ।

ତେବେ ଚଳିତ ବର୍ଷ ହଠାତ୍ ବନ୍ୟା ଆସିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଣିର ସ୍ରୋତ ଏତେ ପ୍ରଖର ରହିଛି ଯେ, ବିଭିନ୍ନ ସ୍ଥାନରେ ୫ଟି ପୋଲ ଭାଙ୍ଗି ଯାଇଛି । କଲ୍ୟାଣୀନଦି ବ୍ରିଜ, କୁମାରଗୁଡା ବ୍ରିଜ, ଗୁଣ୍ଡିଗୁଡା ବ୍ରିଜ, ନାଗାବଳୀ ବ୍ରିଜ୍, ଓ ବିନିସପୁର ଝୁଲା ପୋଲ ଭାସି ଯାଇଛି । କ୍ରମାଗତ ଭାବେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ରାୟଗଡା ଭବାନୀପାଟଣାକୁ ସମ୍ପୂର୍ଣ୍ଣ ଭାବେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ୧୯୯୦ ମସିହାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏହାସହ ଲଘୁଚାପ ବର୍ଷାରେ ନୟାନ୍ତ ହେଲେଣି କଳାହାଣ୍ଡିବାସୀ । ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାରେ ଥିବା ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ୪ ଫୁଟ ଉଚ୍ଚର ପାଣି ନାଗାବଳୀ, ପଗଡା, ଲିଝିଯୋର, ଇନ୍ଦ୍ରାବତୀ, ପେପଶୁଲା ନଦୀରେ ପ୍ରବାହିତ ହେଉଛି । ବିଶେଷ କରି ଥୁଆମୁଳ-ରାମପୁରରେ ବିଭିନ୍ନ ଅଂଚଳ ଜଳମଗ୍ନ ହୋଇ ରହିଛି ।

ଚାରିଆଡେ ବର୍ଷା ପାଣି ଲହଡି ଭାଙ୍ଗୁଥିବା ବେଳେ ଜଳବନ୍ଦି ଲୋକଙ୍କ ଉଦ୍ଧାର ପାଇଁ ଓଡ୍ରାଫ ଟିମ୍ ନିୟୋଜିତ ହୋଇଛନ୍ତି । ହେଲେ ଭୀଷଣ ବର୍ଷା ଯୋଗୁଁ ଜଳବନ୍ଦି ଅଂଚଳରେ ପହଂଚି ପାରୁନାହାନ୍ତି ଉଦ୍ଧାରକାରୀ ଦଳ । ଏବେ ସୁଦ୍ଧା ୨୪ ଘଂଟା ଭିତରେ ୪୦୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେପଟେ ବିଭିନ୍ନ ସ୍ଥାନରେ ପାହାଡ ଅତଡା ଖସୁଥିବା ଜଣାପଡିଛି । ଅତଡା ଖସି ଜଣଙ୍କର ମୃତ୍ୟୁ ହୋଇଛି ।

ଏପଟେ କଲ୍ୟାଣସିଂପୁରରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲା ହେଲିକପ୍ଟର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଗଲା ସୂଚନା । ବନ୍ୟାଚଂଳରେ ଫସି ରହିଥିବା ଲୋକଙ୍କୁ ସ୍ଥଳପଥରେ ଉଦ୍ଧାର କରିବା ସମ୍ଭବ ନହେବାରୁ ଆକାଶ ମାର୍ଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ହେଲିକପ୍ଟର ମାଗିଥିଲେ ରାଜ୍ୟ ସରକାର । ପାଣି ଘେରରେ ଥିବା ଲୋକମାନଙ୍କୁ ହେଲିକପ୍ଟର ସହୟତାରେ ବାୟୁ ସେନା ଓ ସେନା ବାହିନୀ ଉଦ୍ଧାର କରୁଛନ୍ତି ।

କଲ୍ୟାଣସିହଂପୁର ବନ୍ୟା ଦ୍ୱାରା ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ତା ନୁହେଁ ବଂର ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଏକ ମାଲ ବୋଝେଇ ଟ୍ରେନ । ଥେରୁବାଲି-ସିଙ୍ଗପୁର ମଧ୍ୟରେ ଥିବା ୫୮୫ ନମ୍ବର ରେଲୱେ ବ୍ରିଜ୍ ଭାରି ବର୍ଷାରେ ଧୋଇ ଯାଇଥିବା ବେଳେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଟ୍ରେନ । ବ୍ରିଜ ନିକଟରେ ଥିବା ଗ୍ୟାଙ୍ଗ ମ୍ୟାନ ଟ୍ରେନଟିକୁ ଅଟକାଇ ଦେଇଥିଲେ । ଗ୍ୟାଙ୍ଗ ମ୍ୟାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ନିଶ୍ଚିତ ଦୁର୍ଘଟଣା ଟଳି ଯାଇଛି ।

ତେବେ ପ୍ରବଳ ବନ୍ୟା ଯୋଗୁଁ ବର୍ତ୍ତମାନ ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହି ରୁଟ୍ ଦେଇ ଯାଉଥିବା କିଛି ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବା ବେଳେ କେତେକ ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି । ଦୁର୍ଗ-ଜଗଦଲପୁର ଯାତ୍ରୀବାହି ଟ୍ରେନ ଓ ଜଗଦଲପୁର-ଦୁର୍ଗ ଏକ୍ସପ୍ରେସ ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବା ବେଳେ ସମ୍ବଲପୁର-ରାୟଗଡା ଏକ୍ସପ୍ରେସ, ରାୟପୁର-ବିଶାଖାପାଟନା ପାସେଂଜର ଟ୍ରେନ, ହାୱାଡା-ସମଲେଶ୍ୱରୀ ଏକ୍ସପ୍ରେସ, ସମ୍ବଲପୁର-କୋରାପୁଟ ପାସେଂଜର ଟ୍ରେନ ଚଳାଚଳର ସମୟରେ ପରିବର୍ତ୍ତର୍ନ କରାଯାଇଛି । ଏହାସହ ଆଉ କିଛି ଟ୍ରେନ ଅଧାବାଟରେ ଅଟକି ରହିଛି ।

କଲ୍ୟାଣିସିଂପୁର ବନ୍ୟା ପରିସ୍ଥିିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ପରେ ପ୍ରତିକ୍ରିୟା ରଖିଛନ୍ତିି ମୁଖ୍ୟମନ୍ତ୍ରୀ । କହିଛନ୍ତି ରାୟଗଡା ଜିଲ୍ଲାର କଲ୍ୟାଣସିଂପୁରର କଲ୍ୟାଣ ଓ ନାଗାବଳୀ ନଦୀରେ ଅଚାନକ ବନ୍ୟା ଆସିଛି । ଏସଆରସିର ରାଜ୍ୟ ନିୟନ୍ତ୍ରଣ କକ୍ଷ ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛି । ବନ୍ୟା ଘେରରେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଉଛି ।

ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଓଡ୍ରାଫ୍ ଟିମ୍, ଅଗ୍ନିଶମ ବିଭାଗ, ସିଆରପିଏଫ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତିି । ଏହା ସହିତ ସେନା ଓ ଆକାଶ ବାହିନୀର ହେଲିକପ୍ଟରକୁ ଘଟଣାସ୍ଥଳକୁ ପଠାଯିବାର ବ୍ୟବସ୍ଥା କରାଯାଉଛି । ଏହାସହ ସ୍ଥାନୀୟ ଜିଲ୍ଲାପାଳଙ୍କୁ ସ୍ଥିତି ଅନୁଯାୟୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ପ୍ରକାର ପରିସ୍ଥିତିକୁ ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦକ୍ଷିଣାଂଚଳ ଆରଡିସି ଓ ଡିଆଇଜି ପରିସ୍ଥିତି ଉପରେ ସତର୍କ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।