କୋରାପୁଟ ମେଡିକାଲରେ ପଡି ରହିଛି ମହିଳା ମାଓବାଦୀଙ୍କ ମୃତଦେହ । ୪ ଦିନ ପରେ ବି ଆସୁନାହାନ୍ତି ସମ୍ପର୍କୀୟ

37

କନକ ବ୍ୟୁରୋ: ମେଡିକାଲରେ ପଡି ରହିଛି ମହିଳା ମାଓବାଦୀଙ୍କ ମୃତଦେହ । କୋରାପୁଟ ମେଡିକାଲରେ ଗତ ୪ ଦିନ ହେଲା ୪ ଜଣ ମହିଳା ମାଓବାଦୀଙ୍କ ମୃତଦେହ ପଡିରହିଛି । ନାରାୟଣପାଟଣା ଏନକାଉଁଟରରେ ଏହି ମାଓବାଦୀମାନଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ପୋଲିସ ମୃତଦେହ ଜବତ କରି କୋରାପୁଟ ମେଡିକାଲର ଶବଗୃହରେ ରଖିଛି । କିନ୍ତୁ ଏହି ମୃତ ମହିଳା ମାଓବାଦୀମାନଙ୍କର କେହି ସମ୍ପର୍କୀୟ ଏଯାଏ ମୃତଦେହ ନେବାକୁ ଆସିନାହାନ୍ତି । ଯେଉଁଥି ପାଇଁ ଶବ ସକ୍ରାର ମଧ୍ୟ ହୋଇପାରୁନାହିଁ । ୪ ଜଣଙ୍କ ମଧ୍ୟରୁ ୩ ଜଣ ମହିଳା ମାଓବାଦୀଙ୍କ ପରିଚୟ ମିଳଥିବା ବେଳେ ଜଣଙ୍କର ପରିଚୟ ମିଳି ପାରିନାହିଁ । ମୃତକଙ୍କ ମଧ୍ୟରୁ ଜଣେ ମାଓନେତା ରାମକ୍ରିଷ୍ଣାର ବଡିଗାର୍ଡ ଥିଲେ ବୋଲି ଜଣାପଡିଛି ।

ପରିଚୟ ମିଳିଥିବା ମୃତ ମହିଳା ମାଓବାଦୀମାନଙ୍କ ଘର ଛତିଶଗଡ ବୋଲି ଜଣାପଡିଛି । ଘରକୁ ଖବର ଦିଆଯାଇ ଥିଲେ ମଧ୍ୟ ମୃତଦେହ ନେବାକୁ ସେମାନଙ୍କ ସମ୍ପର୍କୀୟ ଆସୁନଥିବାରୁ ପୋଲିସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ମୃତଦେହ ନେବାକୁ ନ ଆସିଲେ ନିୟମ ଅନୁସାରେ ସମ୍ମାନ ଦେବୁ ବୋଲି କହିଛନ୍ତି କୋରାପୁଟ ଏସପି ।

ଉଲ୍ଲେଖ ଥାଉ କି, ଗତ ୨୫ ତାରିଖ ରାତିରେ କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଂଚଳର ଡୋକରୀ ଘାଟିରେ ମୁହାଁମୁହିଁ ହୋଇଥିଲେ ମାଓବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ମାଓବାଦୀ ପ୍ରାଣ ହରାଇଥିଲେ । ଘଟଣାସ୍ତଳରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ ହୋଇଥିଲା । ଜଙ୍ଗଲରେ ମାଓବାଦୀଙ୍କ ଅବସ୍ଥିତି ଜାଣିବା ପରେ ଡିଭିଏଫ୍ ଓ ଏସଓଜି ଯବାନ ସର୍ଚ୍ଚ ଅପରେସନରେ ବାହାରିଥିଲେ । ଯବାନଙ୍କୁ ଦେଖି ନକ୍ସଲ ଗୁଳି ଚଳାଇଥିଲେ । ଯାହାର ଜବାବ ଦେଇଥିଲେ ସୁରକ୍ଷାକର୍ମୀ ।