ଭୁବନେଶ୍ୱରରେ ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ଘଟଣା ! ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ନିଆଁରେ ଜଳି ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ

30

କନକ ବ୍ୟୁରୋ: ଭୁବନେଶ୍ୱର ପାଲ ହାଇଟ୍ସ ମାଲିକଙ୍କ ଘରେ ନିଆଁ ଲାଗି ୫ଜଣ ପ୍ରାଣ ହରାଇଥିବା ମାମଲାରେ ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ସତପାଲ ସିଂହଙ୍କ ସାନପୁଅ ଗଗନପାଲ ଓ ବୋହୁ ଭାବନା ନିଆଁରେ ଜଳି ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।

ସେହିପରି ଶ୍ୱାସରୁଦ୍ଧ ହେବା ଯୋଗୁୁଁ ଗଗନପାଲଙ୍କ ପୁଅ ରୁବିର ଓ ସହାୟିକା ଖୁସି ଦାସଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟ ମର୍ଟମ ରିପୋର୍ଟରେ ଉଲ୍ଲେଖ ହୋଇଛି । ସେପଟେ ଗଗନପାଲଙ୍କ ଝିଅ ସୋହାବି ନିଆଁରେ ପୋଡି ଯିବା ସହ ଶ୍ୱାସରୁଦ୍ଧ ହେବା କାରଣରୁ ପ୍ରାଣ ହରାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ।

ଗତକାଲି ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଧେଶ୍ୱରୀ ନିକଟରେ ଥିବା ରାଜଧାନୀର ପ୍ରତିଷ୍ଠିତ ବ୍ୟବସାୟୀ ତଥା ପାଲ ହାଇଟ୍ସର ମାଲିକ ସତପାଲ୍ ସିଂଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ ସତପାଲଙ୍କ ସାନ ପୁଅ, ବୋହୂ, ନାତି, ନାତୁଣୀ ଏବଂ ସହାୟିକା ଖୁସି ପ୍ରାଣ ହରାଇଥିଲେ ।

ତେବେ ସମସ୍ତଙ୍କ ଶରୀର ନିଆଁ ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହୋଇ ନଥିଲା । ତେଣୁ ଶ୍ୱାସରୁଦ୍ଧ ଯୋଗୁଁ ସେମାନେ ପ୍ରାଣ ହରାଇଥିବା ଅନୁମାନ କରାଯାଉଥିଲା ଏବଂ ମୃତଦେହ ଗୁଡିକ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।