ଫିଫା ବିଶ୍ୱକପରେ ସ୍ପେନର ପତ୍ତା କଟିଲା : ଇତିହାସ ରଚିଲା ରୁଷ, ୪୮ବର୍ଷ ପରେ କ୍ୱାର୍ଟର ଫାଇନାଲ ପ୍ରବେଶ

39

କନକ ବ୍ୟୁରୋ : ଫୁଟବଲ୍ ବିଶ୍ୱକପରୁ ବିଦା ହୋଇଛି ଆଉ ଏକ ହେଭିୱେଟ୍ ଦଳ । ସ୍ପେନକୁ ସୁଟ୍ ଆଉଟରେ ପରାସ୍ତ କରିଛି ଆୟୋଜକ ରୁଷ୍ । ସଂଘର୍ଷପୂର୍ଣ୍ଣ ମ୍ୟାଚରେ ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିବାରେ ସଫଳ ହୋଇଥିଲେ । ପରେ ଅତିରିକ୍ତ ସମୟରେ ମଧ୍ୟ କୌଣସି ଦଳ ଗୋଲ କରି ପାରି ନଥିଲେ । ଫଳରେ ପେନାଲ୍ଟି ସୁଟ୍ ଆଉଟର ସହାୟତା ନିଆଯାଇଥିଲା । ଏଥିରେ ରୁଷ୍ ସ୍ପେନକୁ ୪-୩ ଗୋଲରେ ହରାଇ ଦେଇଛି । ଏହି ବିଜୟ ସହ ପ୍ରଥମ ଥର ପାଇଁ ବିଶ୍ୱକପ୍ କ୍ୱାର୍ଟରରେ ପ୍ରବେଶ କରିଛି ରୁଷ୍ ।

ସୋଭିଏତ୍ ସଂଘରେ ଥିଲା ବେଳେ ରୁଷ୍ ୧୯୬୬ରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା । ହେଲେ ସ୍ୱତନ୍ତ୍ର ଦେଶ ହେବା ପରେ କେବେ ବି ନକଆଉଟରେ ପ୍ରବେଶ କରି ନଥିଲା ରୁଷ୍ । ସେପଟେ ବିଶ୍ୱକପରେ ଆୟୋଜକ ଦେଶ ଭାବେ ସୁଟଆଉଟରେ ଜିତିବାରେ ରୁଷ୍ ପଂଚମ ଦଳ । ଜର୍ମାନୀ, ଆର୍ଜେଂଟିନା, ପର୍ତ୍ତୁଗାଲ ପରେ ବଡ଼ ଦଳ ଭାବେ ସ୍ପେନ୍ ଚଳିତ ବିଶକପରୁ ବିଦାୟ ନେଇଛି । ସେପଟେ ଡେନମାର୍କକୁ ହରାଇ କ୍ରୋଏସିଆ କ୍ୱାର୍ଟରରେ ପହଂଚିଛି । ନିର୍ଦ୍ଧାରିତ ସମୟରେ ଉଭୟ ଦଳର ସ୍କୋର ୧-୧ରେ ସମାନ ସ୍ଥିତିରେ ରହିଥିଲା । ପରେ ସୁଟଆଉଟରେ କୋଏସିଆ ୩-୨ରେ ଡେନମାର୍କକୁ ହରାଇଥିଲା ।

ସେପଟେ ବିଶ୍ୱକପରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ । ପ୍ରି କ୍ୱାର୍ଟର ମ୍ୟାଚରେ ସଂଧ୍ୟା ୭ଟା୩୦ରେ ୫ ଥରର ବିଜେତା ବ୍ରାଜିଲ୍ ମେକ୍ସିକୋକୁ ଭେଟିବ । ସେହିଭଳି ଅନ୍ୟକ୍ୱାର୍ଟର ମ୍ୟାଚରେ ରାତି ୧୧ଟା ୩୦ରେ ଜାପାନ ଓ ବେଲଜିୟମ ମଧ୍ୟରେ ଟକ୍କର ହେବ । ଖୁବ୍ ଭଲ ଫର୍ମରେ ଥିବା ଏହି ଦୁଇଦଳ ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି ।