ରେମଣ୍ଡ କମ୍ପାନୀକୁ ନେଇ ବାପ-ପୁଅ ବିବାଦ ! ପୁଅ ଗୌତମକୁ କମ୍ପାନୀରୁ ବାହାର କରିବା ପାଇଁ ପଦକ୍ଷେପ ନେବେ ବିଜୟପତ ସିଂଘାନିୟା ।

286

କନକ ବ୍ୟୁରୋ : ରେମଣ୍ଡ କମ୍ପାନୀକୁ ନେଇ ବାପ-ପୁଅ ମଧ୍ୟରେ ବିବାଦ । ବିବାଦ ଏପରି ହୋଇଛି ଯେ ରେମଣ୍ଡ କମ୍ପାନୀରୁ ପୁଅ ଗୌତମ ସିଂଘାନିୟାଙ୍କୁ ବାହାର କରିବାକୁ ଚାହୁଁଛନ୍ତି ବାପା ବିଜୟପତ ସିଂଘାନିୟା । ସଂପତିକୁ ନେଇ ବାପ-ପୁଅଙ୍କ ମଧ୍ୟରେ ତିନି ବର୍ଷ ହେବ ଲାଗି ରହିଛି ବିବାଦ । ୨୦୧୫ରେ କମ୍ପାନୀର ୩୭ପ୍ରତିଶତ କଂଟ୍ରୋଲିଂ ଷ୍ଟାକକୁ ବିଜୟପତ ସିଂଘାନିଆ ନିଜ ପୁଅ ଗୌତମର ନାଁରେ କରିବା ପାଇଁ ତାଙ୍କ ପାଇଁ ଆରମ୍ଭ ହୋଇଯାଇଥିଲା ସମସ୍ୟା । ଏପରିକି ଏହାପରେ ବିଜୟପତଙ୍କୁ ତାଙ୍କ ଅଫିସ ଓ ବାସଭବନରୁ ମଧ୍ୟ ବାହାର କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ୨ବର୍ଷ ହେଲା ସେ ନିଜ ପୁଅ ସହ କୌଣସି କଥାବାର୍ତା ମଧ୍ୟ ହୋଇନାହାନ୍ତି ବୋଲି କହିଛନ୍ତି ।

ନିକଟରେ କୋର୍ଟ ଦେଇଥିବା ଏକ ରାୟକୁ ସେ ପୁଣି ଆଶା ପ୍ରକାଶ କରିଛନ୍ତି । ଯେଉଁଥିରେ କୋର୍ଟ କହିଥିଲେ ଯେ, ନିଜ ସନ୍ତାନକୁ ବାପା ମା ଦେଇଥିବା ଉପହାର ସେମାନେ ଚାହିଁଲେ ଫେରିପାଇବେ । ତେବେ ପୂର୍ବରୁ ମାମଲାକୁ ନେଇ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ବିଜୟପତ ସିଂଘାନିୟା । ଉଭୟଙ୍କ ମଧ୍ୟରେ ଆଲୋଚନା ହେଲେ ମାମଲାର ସମାଧାନ ହୋଇପାରିବ ବୋଲି କୋର୍ଟ କହିଥିଲେ । ପୂର୍ବରୁ ପୁଅ ବିରୋଧରେ କମ୍ପାନୀ ବୋର୍ଡ଼କୁ ଚିଠି ଲେଖିଥିଲେ ବିଜୟପତ । ଚିଠି ମାଧ୍ୟମରେ ବିଜୟପତ ଅଭିଯୋଗ କରିଥିଲେ ଯେ, ବୋର୍ଡ଼ ବୈଠକ ବିଷୟରେ ତାଙ୍କୁ ସୂଚନା ଦିଆଯାଉ ନାହିଁ ।

ସୂଚନା ଅନୁସାରେ ରେମଣ୍ଡ କମ୍ପାନୀ ଚେୟାରମ୍ୟାନ ପଦରୁ ମଧ୍ୟ ବିଜୟପତଙ୍କୁ ବହିଷ୍କାର କରାଯାଇଛି । କମ୍ପାନୀର ସିଏ ଏବଂ ନିର୍ଦ୍ଦେଶକ ଥାମସ ଫର୍ଣ୍ଣାଡ଼ିଜ କହିଛନ୍ତି ଯେ, ବିଜୟପତ ତାଙ୍କ ଚିଠିରେ ଅସଭ୍ୟ ଭାଷାର ପ୍ରୟୋଗ କରିଥିଲେ । ପରିବାର ବିବାଦ ସହିତ କମ୍ପାନୀର କୌଣସି ସାମଞ୍ଜସ୍ୟ ନାହିଁ । ତାଙ୍କ ଖରାପ ବ୍ୟବହାର ପାଇଁ ଚେୟାରମ୍ୟାନ ପଦରୁ ତାଙ୍କୁ ବହିଷ୍କାର କରାଯାଇଛି । ବାପା ଲଗେଇଥିବା ସବୁ ଆରୋପକୁ ଖଣ୍ଡନ କରିଛନ୍ତି ଗୌତମ, ସେ କହିଛନ୍ତି କି ତାଙ୍କ ବାପାଙ୍କୁ ଭୁଲିବାର ରୋଗ ହୋଇଛି । ତାଙ୍କର ମନେ ରହୁନି କାହାକୁ କ’ଣ କହିବେ । ମୁଁ ଏବେବି ଆଲୋଚନା କରି ଏସବୁକୁ ସମଧାନ କରିବାକୁ ଚାହୁଁଛି । ହେଲେ କମ୍ପାନୀ ମାମଲାରେ ସେ କିଛି କରିପାରିବେନି । ତାଙ୍କୁ ପଦରୁ ହଟେଇବାର ନିର୍ଦ୍ଦେଶ କମ୍ପାନୀର ବୋର୍ଡ଼ ନେଇଥିଲେ ।