୩୦ଦିନରୁ ଅଧିକ ଧରି ମଣ୍ଡିରେ ପଡିରହିଛି ଧାନ : କେନ୍ଦୁଝର ବଡରମ୍ପାସ ଧାନ ମଣ୍ଡିରୁ ଉଠିପାରୁନି ଧାନ । ରାସ୍ତା ଅବରୋଧ କଲେ ଅସନ୍ତୁଷ୍ଟ ଚାଷୀ

134

କନକ ବ୍ୟୁରୋ : ୩୦ରୁ ଅଧିକ ଦିନ ହେଲା ମଣ୍ଡିରେ ପଡିରହିଛି ଶହଶହ କ୍ୱିଂଟାଲ ଧାନ । ଚାଷୀମାନେ ଦିନରାତି ଧାନକୁ ଜଗି ବସିଥିବାବେଳେ ମଣ୍ଡିରେ ଧାନ ଦେଇ ନପାରିବାରୁ ରାସ୍ତାକୁ ଓହ୍ଲାଇଛନ୍ତି । ରାସ୍ତାରେ କ୍ୱିଂଟାଲ କ୍ୱିଂଟାଲ ଧାନ ଥୋଇ ଏହାର ପ୍ରତିବାଦ କରିବା ସହ ହାଟଡିହି-ସମଣା ରାସ୍ତାକୁ ଅବରୋଧ କରିଛନ୍ତି ।

୩୦ଦିନରୁ ଅଧିକ ସମୟ ହେଲା କେନ୍ଦୁଝର ଜିଲ୍ଲା ବଡରମ୍ପାସ ସମବାୟ ସମିତି ଧାନ ମଣ୍ଡିରେ ପଡିରହିଛି ଶତାଧିକ କ୍ୱିଂଟାଲ ଧାନ । ଖୋଲା ଆକାଶ ତଳେ ପଡିରହିଥିବା ଏହି ଧାନକୁ ଦିନରାତି ଜଗି ରହିଛନ୍ତି ଚାଷୀ । ଏଠାରେ ୧୩୧୦ଜଣ ଚାଷୀଙ୍କ ନାମ ପଞ୍ଜିକୃତ କରାଯାଇଥିବାବେଳେ ଏକଲକ୍ଷ କ୍ୱିଂଟାଲ ଧାନ କ୍ରୟ କରାଯିବାକୁ ଲକ୍ଷ ରଖାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଚାଷୀ ମାନଙ୍କ ଠାରୁ ୩୦ହଜାର ଓ ପରେ ଆଉ ୧୫ହଜାର ୫୦୦କ୍ୱିଂଟାଲ ଧାନ ସଂଗ୍ରହ ଟାର୍ଗେଟ ଦିଆଯାଇଥିଲା । କିନ୍ତୁ ବଡରମ୍ପାସ ମଣ୍ଡିରୁ ମାତ୍ର ୨୩ଟ୍ରକ ଧାନ ନିଆଯାଇଛି ଏବଂ ଅନ୍ୟ ଗାଁରୁ ଦଲାଲ ମାନଙ୍କଠାରୁ ଧାନ କିଣାଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଏହି ମଣ୍ଡିରେ ସୁଲଣ, ବଡରମ୍ପାସ, ଇଞ୍ଚୋଳ, ନୁଆରମ୍ପାସ ଓରାଳି ସମେତ ୨୦ଟି ଗାଁର ଚାଷୀ ଧାନ ବିକ୍ରି କରନ୍ତି । ମାତ୍ର ମାସେରୁ ଅଧିକ ସମୟ ଧରି ଚାଷୀମାନେ ମଣ୍ଡିରେ ଧାନ ପକାଇ ଥିବାବେଳେ ଧାନ ଉଠାଯାଉ ନାହିଁ । ତେବେ ମିଲର ଗାଡି ଦେଉ ନାହିଁ କହି ସମ୍ପାଦକ ସମୟ ଗଡାଇ ଚାଲିଛନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଧାନ ଉଠାଯାଉନଥିବା ପ୍ରତିବାଦରେ ଚାଷୀ ରାସ୍ତାକୁ ଓହ୍ଳାଇଥିଲେ ।

ସରକାର ଚାଷୀଙ୍କ ପାଖରୁ କିପରି ସୁରୁଖୁରୁରେ ଧାନ କିଣାଯିବ ସେନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେବି ବାସ୍ତବ ଚିସତ୍ର ସମ୍ପୂର୍ଣ୍ଣ ଭିନ୍ନ ।