କୋଣାର୍କରୁ କଳାହାଣ୍ଡି ଚାଷୀଙ୍କର ଗୋଟିଏ ସମସ୍ୟା : ମିଳୁନି ବିହନ, କେମିତି କରିବେ ଚାଷ । କମିପାରେ ଧାନ ଉତ୍ପାଦନ

71

କନକ ବ୍ୟୁରୋ : ଅନିୟମିତ ବର୍ଷା ଯୋଗୁଁ ଚାଷ ଆରମ୍ଭରୁ ପୁରୀ ଜିଲ୍ଲା ଗୋପ ବ୍ଲକରେ ଶହ ଶହ ହେକ୍ଟର ଚାଷ ଜମିରେ ଗଜା ମରୁଡି ହୋଇଥିଲା । ଏବେ ବିହନ ମିଳୁନଥିବାରୁ ଚାଷୀମାନେ ଚିନ୍ତାରେ ପଡିଛନ୍ତି । ଅନ୍ୟପଟେ ଚାଷ କାମ ନହେବାରୁ ଶ୍ରମିକମାନେ କାମ ଧନ୍ଦା ନପାଇ ହାତବାନ୍ଧି ବସିଛନ୍ତି ।

ଆଷାଢ଼ ଶେଷ ହେବାକୁ ବସିଲାଣି ହେଲେ ଦେଖନ୍ତୁ ଏହି ଚାଷ ଜମିକୁ । ଏଯାଏଁ ପଡିଆ ପଡିଛି । ଅକ୍ଷୟ ତୃତୀୟା ପରେ ଚାଷୀ ଜମିରେ ଧାନ ବୁଣିଥିଲେ ବି ବର୍ଷା ନହେବାରୁ ଗଜା ମରୁଡି ହୋଇଥିଲା । ପୁଣି ଥରେ ଚାଷ କରିବାକୁ ଚାଷୀ ଅଂଟା ଭିଡିଥିଲେ ବି ପାଖରେ ବିହନ ନାହିଁ । କି ସମବାୟରେ ବିହନ ମିଳୁନି । ଫଳରେ ଚିନ୍ତାରେ ପଡିଛି ଚଷା ପୁଅ । ବିହନ ପାଇଁ ବ୍ଲକରେ ଥିବା କୃଷି କାର୍ଯ୍ୟାଳୟକୁ ଦୈାଡି ଦୈାଡି ନୟାନ୍ତ ହେଲେ ବି ଅଧିକାରୀଙ୍କ ଭେଟ ମିଳୁନି । ଯିଏ ଅଛନ୍ତି ସେ କୈାଣସି ଉତ୍ତର ଦେଉନାହାଁନ୍ତି । ଏଭଳି ସ୍ଥିତିରେ କେମିତି ବିହନ ମିଳିବ ଓ କେମିତି ଚାଷ କାର୍ଯ୍ୟ ହେବ ତାକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ଅନ୍ୟପଟେ ଚାଷ କାର୍ଯ୍ୟ ନହେବାରୁ ହାତବାନ୍ଧି ବସିଛନ୍ତି ଶ୍ରମିକ ।

କଳାହାଣ୍ଡିରେ ବି ସମାନ ଅବସ୍ଥା ।ମୈାସୁମୀର ଲୁଚକାଳି ଯୋଗୁଁ ସ୍ୱଳ୍ପ ଜିଲ୍ଲା ବ୍ୟାପି ସ୍ୱଳ୍ପ ବୃ୍ଷ୍ଟିପାତ ହୋଇଛି । ଚାଷୀ ଜମି ବେଉସି ବସିଛି । ହେଲେ ପାଖରେ ବିହନ ନାହିଁ । ବିହନ ଅଭାବ ଚାଷିକୂଳକୁ ହତାସରେ ପକାଇଛି । କେମିତି ଚାଷ କରିବେ ଚିନ୍ତାରେ ପଡିଛି । ସେପଟେ ବିହନ ଅଭାବ ଯୋଗୁଁ ଏବର୍ଷ ଜିଲ୍ଲାର ଧାନ ଉତ୍ପାଦନ କମିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ତେବେ ସବୁ ଠିକଠାକ୍ ଚାଲିଛି ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ।

ଗୋଟିଏ ପଟେ ସରକାର ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ଘୋଷଣା କରୁଥିବାବେଳେ ବିହନ ନମିଳିବା ଏକ ଚିନ୍ତାଜନକ ବିଷୟ । ଏହା ଚାଷୀଙ୍କ ପ୍ରତି ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃ୍ଷ୍ଟି କରିଛି ।