ମତେ ମୃତ୍ୟୁ ଦିଅ ! ପ୍ରଧାନମନ୍ତ୍ରୀଙ୍କୁ କୃଷକଙ୍କ କୋହଭରା ଚିଠି ।

81

ଚାଷୀ ମୃତ୍ୟୁ ସରକାରଙ୍କ ନିଦ ହଜାଇ ଦେଇଛି । ଋଣ ସମସ୍ୟା ଓ ଫସଲ ହାନିକୁ ନେଇ ଚାଷୀଙ୍କ ପାଇଁ ବଦନାମ ହେଉଛନ୍ତି ସରକାର । ଆଉ କେତେବଳେ ଅଚଳ ହେଉଛି ଗୃହ । କମ୍ପୁଛି ଦେଶର ରାଜରାସ୍ତା । ଚାଷୀଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ । କିନ୍ତୁ ଚାଷୀଙ୍କ ସମସ୍ୟା କମିବା ତ ଦୂରର କଥା, ଦିନକୁ ଦିନ ବଢିଚାଲିଛି ।

ଅନେକ ସମୟରେ ଚାଷୀ ହତାଶ ହୋଇ ବିଷ ପିଇ ଆତ୍ମହତ୍ୟା କରି ସାରିବା ପରେ ଖବର ଗଣମାଧ୍ୟମକୁ ଆସିଥାଏ । ଏବେ କିନ୍ତୁ ଜଣେ ଚାଷୀଙ୍କ ମୃତ୍ୟୁ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅନୁମତି ମାଗିଛନ୍ତି । ପୁଣି ଚାଷୀ ଏକା ନୁହେଁ, ତାଙ୍କ ପୂରା ପରିବାରର ମରଣ ପାଇଁ ଅନୁମତି ଦେବାକୁ ଚାଷୀ ଜଣକ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ । ଏହାକୁ ନେଇ ଉତ୍ତରପ୍ରଦେଶରେ ଏବେ ଚର୍ଚା ।

ଜମି ବିବାଦ ପାଇଁ ବାଗପାଟର ନୱଡା ଗାଁର ଜଣେ ଚାଷୀ ନିଜର ଇଚ୍ଛା ମୃତ୍ୟୁ ସହ ତା ପରିବାର ସଦସ୍ୟଙ୍କ ମୃତ୍ୟୁ ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଅନୁମତି ଲୋଡିଛନ୍ତି । ହରିଆଣାର ଚାଷୀଙ୍କ ସହ ଜମି ବିବାଦ ସମାଧାନ ନହେବାରୁ ସ୍ଥିତି ଭୟାବହ ହୋଇଛି । ଇକ୍ଷଲାକ, ଇସାର , ସବୀର ଅଲ୍ଲୀ, ମେଗନ ସିଂହ ଓ ବେଗରାଜ ଆଦି ବ୍ୟକ୍ତିଙ୍କ ପାଖରେ କୌଣସି ଅନ୍ୟ ଉପାୟ ନଥିବାରୁ ବାଧ୍ୟ ହୋଇ ଏପରି କରିଥିବା କହିଛନ୍ତି ।

ଖୁଂଟ ପୋତି ସୀମା ଚିହ୍ନଟ କରିବା ପରେ ବି ସମସ୍ୟାର ସମାଧାନ ହେଉନାହିଁ । ବାରମ୍ବାର ଏପରି ବିବାଦ ଉପୁଜୁଥିବାରୁ ସେମାନେ ବାଧ୍ୟ ହୋଇ ମାନବାଧିକାର କମିଶନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ନିଜର ଓ ତାଙ୍କ ପରିବାର ସଦସ୍ୟଙ୍କର ଇଚ୍ଛା ମୃତ୍ୟୁ ମାଗିଛନ୍ତି ।

ବାଗପାଟର ଯମୁନା ନଦୀ କୂଳରେ ଏହି ଚାଷୀଙ୍କର ପାଂଚହଜାର ବିଘା ଚାଷ ଜମି ରହିଛି । ଯାହା ହରିଆଣା ଓ ଉତ୍ତରପ୍ରଦେଶର ସୀମା ଭାବେ ଚିହ୍ନଟ କରାଯାଇଛି କିନ୍ତୁ ଯମୁନା ନଦୀର ଗତି ବାରମ୍ବାର ପରିବର୍ତନ ହେଉଥିବାରୁ ଜମିର ମାଲିକାନା ନେଇ ହରିଆଣାର ସୋନେପାଟ ଓ ୟୁପିର ବାଗପାଟମଧ୍ୟରେ ବିବାଦ ଉପୁଜୁଛି ।
ଅନେକ ଦିନ ଧରି ସେମାନଙ୍କ ଜମି ବିବାଦରେ ରହିଛି ।

ବାରମ୍ବାର ପ୍ରଶାସନକୁ ଅନୁରୋଧ କରିବା ପରେ ଏହାର ସମାଧନ କରାଯାଇପାରୁନାହିଁ । ବାରମ୍ବାର ସେମାନେ ଯେତେବେଳେ ଜମି ଫେରାଇବା ପାଇଁ ହରିଆଣାର କୃଷକଙ୍କୁ କହୁଛନ୍ତି ସେମାନେ ୟୁପିର କୃଷକଙ୍କୁ ମାରୁଛନ୍ତି । ସେପଟେ ବାଗପାଟର ଏସପି ଜୟପ୍ରକାଶ କହିଛି ଏହା ବିବାଦ ରାଜସ୍ୱ ବିଭାଗ ଅନ୍ତର୍ଭୁକ୍ତ । ଏଥିରେ ପୋଲିସର କିଛି ଭୂମିକା ନାହିଁ । ଜିଲ୍ଲା ମାଜିଷ୍ଟ୍ରେଟ ବିବାଦର ସମାଧାନ ପାଇଁ ରାଜସ୍ୱ ବିଭାଗକୁ କହିଥିବା ସେ କହିଛନ୍ତି ।