ବିଜେଡିର ବ୍ରିଟିଶ ରାଜ୍ ! ସତ୍ୟାଗ୍ରହକୁ ଭଣ୍ଡୁର କରିବାକୁ ଫିରଙ୍ଗି ସାଜିଲା ଓଡିଶା ପୁଲିସ୍

38

କନକ ବ୍ୟୁରୋ : ବିଜେଡିର ବ୍ରିଟିସ୍ ରାଜକୁ ନେଇ ଚର୍ଚ୍ଚା । ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ରାଜ୍ୟ ସରକାର ଦମନଲୀଳା ଚଳାଇଥିବା ଅଭିଯୋଗ ହୋଇଛି । ନବନିର୍ମାଣ କୃଷକ ସଂଗଠନ ଭୁବନେଶ୍ୱରରେ ରାଲି ଓ ସମାବେଶ କରିବା ପୂର୍ବରୁ ଚାଷୀ ନେତାଙ୍କୁ ଉଠାଇ ନେଇଛିି ପୁଲିସ । ଏହି ୨ ନେତା ହେଲେ ଅଶୋକ ବେହେରା ଓ ବସନ୍ତ ନାୟକ । ସେହିପରି ଭୁବନେଶ୍ୱର ଆସିବା ସମୟରେ କଟକରେ ୩୦ ଅଧିକ ଚାଷୀଙ୍କୁ ଅଟକ ରଖିଛି ପୁଲିସ୍ । ପ୍ରତିବାଦରେ ରେଳ ଧାରଣା ଉପରେ ଶୋଇ ରେଳ ରୋକ କରିଛନ୍ତି ଚାଷୀ ।

ଚାଷୀଙ୍କ ପାଇଁ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ଦୀର୍ଘ ଦିନରୁ ଆନ୍ଦୋଳାନ ଜାରି ରଖିଛି ନବ ନିର୍ମାଣ କୃଷକ ସଂଗଠନ । ଏହି କ୍ରମରେ ଆସନ୍ତାକାଲି ସଂଗଠନ ଭୁବନେଶ୍ୱର ଲୋୟର ପିଏମଜିରେ ଏକ ବିଶାଳ ସମାବେଶ କରିବାକୁ ଯୋଜନା ରଖିଛି । ହାଇଟେକ ମେଡିକାଲ ଛକରୁ ହଜାର, ହଜାର ଚାଷୀ ଶୋଭାଯାତ୍ରାରେ ଆସି ନିଜ ହକର ଲଢେଇ ଲଢିବା ପାଇଁ ଲୋୟର ପିଏମଜିରେ ଏକାଠି ହେବେ ।

ହେଲେ ଏହାକୁ ଭଣ୍ଡୁର କରିବା ପାଇଁ ପୁଲିସ୍ ପ୍ରଶାସନକୁ ବ୍ୟବହାର କରି ରାଜ୍ୟ ସରକାର ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି । ସମାବେଶ ଉପରେ ଅଂକୁଶ ଲଗାଇବା ପାଇଁ ଆଇନ ଶୃଙ୍ଖଳା ନାଁରେ ଚାଷୀ ନେତାମାନଙ୍କୁ ଗିରଫ କରାଯାଇଛି । ଚାଷୀମାନେ ଯେଭଳି ସଂଗଠିତ ହୋଇନପାରିବେ ସେଥିପାଇଁ ବିଭିନ୍ନ ଉପାୟରେ ସେମାନଙ୍କୁ ହାଇରାଣ କରାଯାଉଛି ।

କେତେକ ସ୍ଥାନରେ ଘରେ ପଶି ଚାଷୀ ନେତାଙ୍କୁ ପୁଲିସ୍ ଉଠାଇ ନେଇଥିବା ଅଭିଯୋଗ ମଧ୍ୟ ହୋଇଛି । ସେହିପରି ବିଭିନ୍ନ ସ୍ଥାନରୁ ବସଯୋଗେ ଚାଷୀ ଆସିବା ପାଇଁ ଆଗ୍ରୀମ ଦିଆଯାଇଥିବାବେଳେ ଏହାକୁ ଫେରାଇ ଦେବା ପାଇଁ ବସ ମାଲିକଙ୍କ ଉପରେ ଚାପ ପକାଯାଉଛି । ଏଭଳି ପଦକ୍ଷେପ ଫଳରେ ଚାଷୀ ଆନ୍ଦୋଳନକୁ ସରକାର ଭୟ କରୁଥିବା ଜଣାପଡୁଛି ବୋଲି କହିଛନ୍ତି ବିରୋଧୀ ଦଳଗୁଡିକ ।

ସଂଗଠନର ଆନ୍ଦୋଳନକୁ ଆଖିରେ ରଖି ବ୍ୟାପକ ପୋଲିସ ବନ୍ଦୋବସ୍ତ କରିଛି କମିଶନରେଟ ପୁଲିସ୍ । ପ୍ରଥମଥର ଲାଗି ଏଭଳି ବ୍ୟାପକ ପୁଲିସ୍ ବନ୍ଦୋବସ୍ତ କରାଯାଉଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର ଲୋୟର ପିଏମଜିରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଚାଷୀ ଆନ୍ଦୋଳନକୁ ଦେଖି ସରକାର ଏତେ ଭୟଭିତ ଯେ, ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ଏଭଳି ପୋଲିସ ବନ୍ଦୋବସ୍ତ ହୋଇଛି । ଏପଟେ ଚାଷୀଙ୍କ ମହାସମାବେଶ, ସେପଟେ ବିଧାନସଭା ତେଣୁ ଦ୍ୱନ୍ଦ୍ୱରେ କମିଶନରେଟ ପୁଲିସ୍ । ଆଉ ମୁକାବିଲା ପାଇଁ ୫୦ ପ୍ଲାଟୁନ ପୋଲିସ ଫୋର୍ସ ସଜାଗ ରଖାଯାଉଛି ।