ଷ୍ଟାଡିୟମ୍ ନୁହେଁ, ଫ୍ୟାନ ପାର୍କରେ ବି ନେଇପାରିବେ ହକିର ମଜା ! ଜାଣନ୍ତୁ କିପରି ।

121

କନକ ବ୍ୟୁରୋ : ବିଶ୍ୱକପ ହକିକୁ ଆଉ ମାତ୍ର ୯ ଦିନ ରହିଯାଇଛି । ବିଶ୍ୱକପକୁ ନେଇ ସମସ୍ତ ପ୍ରସ୍ତୁତି ପାଖାପାଖି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ହକି ପ୍ରେମୀ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ହକି କ୍ରୀଡା ପ୍ରେମୀ ମାନଙ୍କର ସୁବିଧା ନିମନ୍ତେ କଳିଙ୍ଗ ଷ୍ଟାଡିୟମରେ ଫ୍ୟାନ୍ ପାର୍କର ଆୟୋଜନ କରାଯାଇଛି । ଏହି ଫ୍ୟାନ୍ ପାର୍କରେ ବଡ ଏଲଇଡି ସ୍କ୍ରିନ୍, ଓଡିଶାର ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ଷ୍ଟଲ୍, ଓଡିଶାର ହସ୍ତକଳା ସାମଗ୍ରୀର ଷ୍ଟଲ ଖୋଲାଯିବାର ବନ୍ଦୋବସ୍ତ କରାଯାଇଛି । ହକି ପ୍ରେମୀମାନେ ଷ୍ଟାଡିୟମ ସମେତ ଫ୍ୟାନ ପାର୍କରେ ମଧ୍ୟ ହକିର ମଜା ନେଇପାରିବେ ।

ଦେଶର ପ୍ରଥମ ସ୍ମାର୍ଟ ସିଟି ମାନ୍ୟତା ପାଇଥିବା ରାଜଧାନୀ ଭୁବନେଶ୍ୱରରେ ସିଟି ଫେଷ୍ଟିଭାଲର ଆୟୋଜନ କରାଯାଇଛି । ଯେଉଁଥିରେ ଭାରତର ପ୍ରସିଦ୍ଧ ନୃତ୍ୟ ଓ ସଙ୍ଗୀତ ଶିଳ୍ପୀ ଏବଂ ଓଡିଶୀ ନୃତ୍ୟ ଶିଳ୍ପୀ, ସୁଫି ଗାୟକ ଇତ୍ୟାଦି ଅଂଶ ଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରାଯାଇଛି । ଏସବୁ ବ୍ୟତୀତ ଆନ୍ତର୍ଜାତିକ ଖାଦ୍ୟ ଉତ୍ସବ ସହିତ ଅନ୍ତରାଷ୍ଟ୍ରୀୟ ଗଳ୍ପକାର ଏବଂ ଚିତ୍ର ଶିଳ୍ପୀ ମାନଙ୍କୁ ନିମନ୍ତ୍ରଣ କରାଯାଇଛି । ହକି ଖେଳ ପ୍ରତି ଜନସାଧାରଣଙ୍କର ଆଗ୍ରହ ସୃଷ୍ଟି କରିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି । ଉଦଘାଟନ ଉତ୍ସବ ପାଇଁ ଗାୟକ ଏ.ଆର.ରେହମାନ ଏବଂ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କୁ ନିମନ୍ତ୍ରଣ କରାଯାଇଛି ।