କ୍ୟାବିନେଟରେ ସ୍ଥାନ ନମିଳିବାରୁ ପାସୱାନଙ୍କୁ ଟାର୍ଗେଟ୍ କଲେ ଜିତନରାମ ମାଂଝି ! କହିଲେ, କେନ୍ଦ୍ରମନ୍ତ୍ରୀଙ୍କ ଶେଷ ହୋଇନି ରାଜନୀତିର ଭୋକ

28

କନକ ବ୍ୟୁରୋ: ନୀତୀଶ କ୍ୟାବିନେଟରେ ସ୍ଥାନ ନମିଳିବାରୁ ମାଂଝି ଅସନ୍ତୁଷ୍ଟ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାର ସଭାପତି ଜିତନରାମ ମାଂଝି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ୟାବିନେଟରେ ସ୍ଥାନ ପାଇ ନଥିବାରୁ କ୍ଷୁବ୍ଧ ହୋଇଛନ୍ତି । ମାଂଝି ନିଜ ଅସନ୍ତୋଷକୁ କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାସୱାନଙ୍କ ଉପରେ ଜାହିର କରିଛନ୍ତି ।

ସେ କହିଛନ୍ତି ଯେ, ପାସୱାନଙ୍କ ରାଜନୀତି ଭୋକ ଶେଷ ହୋଇନି । ତେଣୁ ସେ ପରିବାର ସହ ମୁଖ୍ୟମନ୍ତ୍ରୀଙ୍କ ପାଖରେ କ୍ଷମତା ଦାବି କରିଛନ୍ତି । ଶନିବାର ନୀତୀଶ କୁମାରଙ୍କ ମନ୍ତ୍ରୀମଣ୍ଡଳର ୨୬ ଜଣ କ୍ୟାବିନେଟ୍ ମନ୍ତ୍ରୀ ଶପଥ ନେଇଥିବାବେଳେ ମାଂଝି ଏଥିରେ ସାମିଲ ନଥିଲେ । ବିଜେପି ମେଂଟରେ ମାଂଝି ସାମିଲ ଥିଲେ ମଧ୍ୟ ତାଙ୍କୁ ନୀତୀଶ କ୍ୟାବିନେଟରେ ସ୍ଥାନ ମିଳିନି ।

ସୂଚନା ମୁତାବକ, ଗତକାଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହୋଇଥିଲା । ନୂଆ ମନ୍ତ୍ରୀଙ୍କର ଶପଥ ଗ୍ରହଣ ସମାରୋହରେ କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାସୱାନ ସାମିଲ ହୋଇଥିଲେ । ବିଧାୟକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ନୂଆ ମନ୍ତ୍ରୀମଣ୍ଡଳ ଗଠନ କରାଯାଇଛି । ମନ୍ତ୍ରୀମଣ୍ଡଳରେ ଜେଡ଼ିୟୁର ୧୩ ବିଧାୟକ ସ୍ଥାନ ପାଇଥିବା ବେଳେ ଏନଡିଏର ୧୩ ଜଣ ବିଧାୟକ ସାମିଲ ହୋଇଛନ୍ତି ।