କୋରେଇରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ୨ ମୃତ, ୪ ଗୁରୁତର, କୋରେଇ ଓ ବ୍ୟାସନଗରରେ ଆଜି ସମସ୍ତ ସ୍କୁଲକୁ ବନ୍ଦ କଲା ପ୍ରଶାସନ

169

କନକ ବ୍ୟୁରୋ : ଯାଜପୁର କୋରେଇ ବ୍ଲକରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ପାଣିକୋଇଲି ଥାନା ଶଙ୍ଖଚିଲା ଗୋଡିପାଟଣା ଗାଁରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ମୃତକ ହେଲେ ଇଶ୍ୱର ଦାସ ଓ ଚିନ୍ତାମଣି ରାମ । ଏହି ଘଟଣା ପରେ କୋରେଇ ବ୍ଳକ ଓ ବ୍ୟାସନଗର ମୁନିସପାଲିଟି ଅଂଚଳର ସମସ୍ତ ସ୍କୁଲକୁ ଆଜି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ।

ଶଙ୍ଖଚିଲା ଗୋଡ଼ିପାଟଣା ଅଂଚଳ ଭିତରକୁ ଦୁଇ ଦିନ ତଳେ ଏକ ଜଙ୍ଗଲୀ ହାତୀ ପଶି ଆସିଥିଲା । ବ୍ୟାପକ ଫସଲ ନଷ୍ଟ କରୁଥିବାରୁ କିଛି ଲୋକ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ । ଫଳରେ ଉତ୍ୟକ୍ତ ହୋଇ ପଡ଼ିଥିଲା ଜଙ୍ଗଲୀ ହାତୀ । ୨ ମୃତକଙ୍କୁ ପାଦରେ ଦଳି ଦେଇଥିଲା ହାତୀ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଯାଜପୁର ରୋଡ୍ର ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏବେ ବନ ବିଭାଗ ହାତୀ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛି ।