ରାୟଗଡ଼ା ସୀମାନ୍ତରେ ଆନ୍ଧ୍ର ହାତୀଙ୍କ ଉପଦ୍ରବ: ଜଣେ ୬୨ ବର୍ଷିୟା ବୃଦ୍ଧାଙ୍କୁ ଦଳିମାରିଦେଲା ହାତୀ, ଘଟଣାକୁ ନେଇ ସୀମାନ୍ତବର୍ତ୍ତୀ ଗାଁରେ ଉତ୍ତେଜନା

ହାତୀପଲକୁ ନେଇ ଆନ୍ଧ୍ର, ଓଡ଼ିଶା ବନ କର୍ମଚାରୀଙ୍କ ମଧ୍ୟରେ ଛକାପଂଝା

87

କନକ ବ୍ୟୁରୋ: ହାତୀ ଆକ୍ରମଣରେ ରାୟଗଡ଼ାରେ ଜଣେ ମୃତ । ଆନ୍ଧ୍ରପଟୁ ଓଡ଼ିଶାମୁହାଁ ହୋଇଥିବା ହାତୀ ପଲ ନାଇଡୁୱାଲସା ଜଙ୍ଗଲରେ ଜଣେ ୬୨ ବର୍ଷୀୟା ବୃଦ୍ଧାଙ୍କୁ ଦଳି ମାରିଦେଇଛନ୍ତି । ମୃତକ ଜଣକ ହେଲେ ନିମାକା ଫକୀର । ଘଟଣାସ୍ଥଳରେ ଆନ୍ଧ୍ର ପୁଲିସ ଓ ଜଙ୍ଗଲ ବିଭାଗ କର୍ମଚାରୀ ପହଁଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ସେପଟେ ସୀମାରେ ଉତ୍ପାତ କରୁଥିବା ହାତୀ ପଲଙ୍କୁ ନେଇ ଓଡିଶା ଓ ଆନ୍ଧ୍ର ଜଙ୍ଗଲ ବିଭାଗ ମଧ୍ୟରେ ଲାଗି ରହିଛି ଛକାପଂଝା ।

୨ ଦିନ ତଳେ ଓଡ଼ିଶା ଜଙ୍ଗଲ ବିଭାଗ ଆନ୍ଧ୍ରପଟୁ ଆସିଥିବା ହାତୀଙ୍କୁ ସୀମାନ୍ତ ପଡୁଗୁୱାଲସ୍ ପର୍ଯ୍ୟନ୍ତ ଘଉଡ଼ାଇଥିବା ବେଳେ ସ୍ଥାନୀୟ ଲୋକ ଓ ଶ୍ରୀକାକୁଲମ ଡିଭିଜନ ଜଙ୍ଗଲ କର୍ମଚାରୀ ବାଣ ଫୁଟାଇବା ସହ ହାତୀଙ୍କ ଉପରକୁ ପଥରମାଡ଼ କରିଥିଲେ । ଏହାଫଳରେ ହାତୀପଲ ପୁଣି ଓଡ଼ିଶାମୁହାଁ ହୋଇଥିଲେ ।

ଅନ୍ୟପଟେ ହାତୀଗୁଡ଼ିକ ଏଣେତେଣେ ବୁଲୁଥିବାରୁ ସେମାନଙ୍କୁ ଉତେଜିତ ନକରିବାକୁ ରାୟଗଡ଼ା ଡିଏଫଓ ଦେବାର୍ଚନ ବେହେରା କହିଛନ୍ତି । ଏନେଇ ସେ ଶ୍ରୀକାକୁଲମ୍ ଓ ବିଜୟନଗରମ୍ ଡିଏଫଓଙ୍କ ସହ କଥାବାର୍ତା କରିଛନ୍ତି । ଅନ୍ୟପଟେ ହାତୀ ବୃଦ୍ଧାଙ୍କୁ ମାରିବା ଘଟଣାପରେ ସୀମାନ୍ତରେ ଉତେଜନା ଲାଗିରହିଛି ।