ପୁଣି ଗ୍ରାମ୍ୟ ବିଦ୍ୟୁତିକରଣ କାର୍ଯ୍ୟକ୍ରମର ସମୀକ୍ଷା ! ଏବେ ଟାର୍ଗେଟ ୨୦୧୮

46

କନକ ବ୍ୟୁରୋ : ଏଣିକି ଅନ୍ଧାରରେ ରହିବନି ଓଡିଶା । ଗାଁ ଗାଁରେ ଜଳିବ ବିଜୁଳି ବତି । ଆଉ ଡିବିରି କି ଲଣ୍ଠନ ନୁହେଁ ବିଜୁଳି ଆଲୁଅରେ ଝଲସିବ ଗାଁ । ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଆସନ୍ତା ୨୦୧୮ ଜୁନ ସୁଦ୍ଧା ବିଦ୍ୟୁତ ନଥିବା କିମ୍ବା ଆଶିଂକ ଭାବେ ବିଦ୍ୟୁତ ସଂଯୋଗ ହୋଇଥିବା ଗାଁରେ ବିଜୁଳି ସଂଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସଚିବାଳୟ ଠାରେ ଗ୍ରାମ୍ୟ ବିଦ୍ୟୁତିକରଣ କାର୍ଯ୍ୟକ୍ରମର ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସ୍ୱାଧୀନତାର ଅନେକ ଦଶନ୍ଧି ପରେ ବି ଓଡିଶାର ବିଭିନ୍ନ ଗାଁ ଆଜି ଅନ୍ଧାରରେ ରହିଛି । ଡିବିରି ଓ ଲଣ୍ଠନ ଜାଳି ଲୋକେ ଆଲୁଅ ଖୋଜୁଛନ୍ତିି । ବିଜୁଳି ଆଲୁଅର ସ୍ୱପ୍ନ ଆଜି ବି ରାଜ୍ୟର ଅନେକ ଗ୍ରାମବାସୀଙ୍କ ପାଇଁ କେବଳ ସ୍ୱପ୍ନରେ ହିଁ ରହି ଯାଇଛି । ଏନେଇ ପ୍ରତ୍ୟେକ ଦିନ ଟିଭି ଓ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଉଛି । ହେଲେ ଫଳ ଶୂନ । ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ଖାଲି ଅଫିସରୁ ଅଫିସ ଫାଇଲ ଘୁରୁଛି ସିନା ଲାଭ କିଛି ହେଉନି । ପ୍ରଶାସନ ଓ ଜନପ୍ରତିନିଧୀଙ୍କ ଖାମଖିଆଲପଣକୁ ଦୋଷ ଦେଇ ଆନ୍ଦୋଳନ ବି ହେଉଛି । ଆଉ ଆନ୍ଦୋଳନର ସ୍ୱର କେବଳ ଗାଁରେ ସିମୀତ ରହିଯାଉଛି ।

ତେବେ ଆଜି ସଚିବାଳୟ ଠାରେ ଗ୍ରାମ୍ୟ ବିଦ୍ୟୁତିକରଣ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଦୌ ବିଦ୍ୟୁତ ସଂଯୋଗ ହୋଇନଥିବା ଗାଁକୁ ଡିସେମ୍ବର ୨୦୧୭ ସୁଦ୍ଧା ଏବଂ ଆଶିଂକ ଭାବେ ବିଦ୍ୟୁତ ସଂଯୋଗ ପାଇଥିବା ବସତିରେ ଜୁନ ୨୦୧୮ ସୁଦ୍ଧା ବିଦ୍ୟୁତ ସଂଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତିି ।

ବୈଠକରେ ଏନେଇ ବିଷଦ ଆଲୋଚନା ହୋଇଛି । ରାଜ୍ୟରେ ସବୁଦାୟ ୪୭ ହଜାର ୬୭୭ ଗାଁ ଥିବା ବେଳେ ସେଥିରୁ ୪୬ ହଜାର ୯୨୭ ଗାଁକୁ ବିଦ୍ୟୁତ ସଂଯୋଗ କରାଯାଇଛି । ବାକି ୭୫୦ଟି ଗାଁକୁ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ବିଦ୍ୟୁତ ସଂଯୋଗ ଯୋଗାଇ ଦେବାକୁ ନିଷ୍ପତି ହୋଇଛି । ଏହି କାର୍ଯ୍ୟକ୍ରମରେ ଏନଟିପିସି, ପିଜିସିଆଇଏଲ, ଓପିଟିସିଏଲ ଏବଂ ଓଆରଇଡିଏ ଆଦି ସଂସ୍ଥାମାନେ ନିୟୋଜିତ ରହିବେ । ସେହିପରି ଆଶିଂକ ଭାବେ ବିଦ୍ୟୁତ ସଂଯୋଗ ହୋଇଥିବା ୨୮ହଜାର ୧୬୫ ଗାଁ ମଧ୍ୟରୁ ୭ହଜାର ୮୫୬ ବସତିକୁ ବିଦ୍ୟୁତ ସଂଯୋଗ କରାଯାଇଛି । ବାକି ୨୦ ହଜାର ୩୦୯ଟି ଗାଁକୁ ଜୁନ ୨୦୧୮ ସୁଦ୍ଧା ବିଦ୍ୟୁତ ସଂଯୋଗ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଶକ୍ତି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ଉନ୍ନୟନ କମିଶନର ଆର. ବାଲକ୍ରିିଷ୍ଣନ, ଶକ୍ତି ସଚିବ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୂର୍ବରୁ ମଧ୍ୟ ଏମିତି ଅନେକ ସମୀକ୍ଷା ହୋଇଛି । ହେଲେ ଆଜି ବି ସମୀକ୍ଷା କରି ବିଦ୍ୟୁତ ସଂଯୋଗ କରାଯିବାକୁ ପ୍ଲାନ ତିଆରି ହେଉଛି । ଅର୍ଥାତ ପୂର୍ବ ସମୀକ୍ଷାର ସୁଫଳ ଏପର୍ଯ୍ୟନ୍ତ ରାଜ୍ୟବାସୀ ପାଇ ନାହାଁନ୍ତି ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।