ଟ୍ରମ୍ପଙ୍କ ବିଜୟ ଭାରତ ପାଇଁ କେତେ ଲାଭଦାୟକ ! ଦେଖନ୍ତୁ ଏହି ରିପୋର୍ଟ

55

କନକ ବ୍ୟୁରୋ : ମିଷ୍ଟର ପ୍ରେସିଡେଂଟ୍ ଡୋନାଲ୍ଡ ଟ୍ରମ୍ପ । ସାରା ବିଶ୍ୱର ନଜର ଏହି ନିର୍ବାଚନୀ ଫଳାଫଳର କଣ ପଡିବ ପ୍ରଭାବ । ଭାରତର ବୈଦେଶୀକ ନୀତି ପାଇଁ କେତେ ଲାଭଦାୟକ ହେବେ ନୂଆ ଆମେରୀକିୟ ରାଷ୍ଟ୍ରପତି । କେତେ ମଜଭୁତ୍ ହେବ ଆମେରିକା-ଭାରତ ସମ୍ପର୍କ । ଭାରତ ବିରୋଧୀ ପାକିସ୍ତାନ ଓ ଚୀନ ପ୍ରତି କେତେ ଶକ୍ତ ହେବେ ଟ୍ରମ୍ପ । ଦେଖନ୍ତୁ ଏହି ରିପୋର୍ଟ ।

ସର୍ଭେ କହୁଛି ଟ୍ରମ୍ପଙ୍କ ବିଜୟ, ଭାରତର ବିଜୟ । ନୂଆଦିଲ୍ଲୀ ପାଇଁ ଟ୍ରମ୍ପ ସାଜିପାରନ୍ତି ଜଣେ ଉତମ ବନ୍ଧୁ । କାରଣ ନିର୍ବାଚନୀ ପ୍ରଚାର ଅଭିଯାନରେ ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଟ୍ରମ୍ପ । ଯାହା ଭାରତକୁ ସୁହାଇବ । ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପଡୋଶୀକୁ ଏକଘରକିଆ କରିବାରେ ସହାୟକ ହେବ । ଅନ୍ୟପକ୍ଷରେ ନିଜ ନିର୍ବାଚନୀ ପ୍ରଚାର ସମୟରେ ଅନେକଥର ମୋଦି ଓ ହିନ୍ଦୁମାନଙ୍କ ପ୍ରଶଂସା କରିଛନ୍ତି ଟ୍ରମ୍ପ ।

ପ୍ରବାସୀ ଆମେରିକୀୟଙ୍କୁ ଆକୃଷ୍ଟ କରିବାକୁ ମୋଦିଙ୍କ ନିର୍ବାଚନୀ ସ୍ଲୋଗାନ- ‘ଅବକି ବାର ମୋଦି ସରକାର’କୁ କପି କରି ‘ଅବକି ବାର ଟ୍ରମ୍ପ ସରକାର’ର ସ୍ଲୋଗାନ ଦେଇଥିଲେ । ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ତାଙ୍କ ମନୋଭାବକୁ ସ୍ପଷ୍ଟ କରୁଛି । ସେହିପରି ବିଜୟୀ ହେଲେ ମୋଦିଙ୍କ ନୀତି ଆପଣେଇବେ ବୋଲି କହିଥିଲେ ଟ୍ରମ୍ପ । ଆମେରିକାର, ଏପରିକି ସାରା ବିଶ୍ୱର ସଂସ୍କୃତିକୁ ସମୃଦ୍ଧ କରିବାରେ ହିନ୍ଦୁମାନଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ । ତେଣୁ ଟ୍ରମ୍ପଙ୍କ ଏଭଳି ବିଚାରଧାରା ହିନ୍ଦୁ ବହୁଳ ଭାରତକୁ ସୁହାଇବ ବୋଲି ଆକଳନ କରାଯାଉଛି ।

ଅନ୍ୟ ପକ୍ଷରେ ପାକିସ୍ତାନ ପ୍ରତି କଠୋର ମନୋଭାବ ପୋଷଣ କରିପାରନ୍ତି ଆମେରିକାର ନୂଆ ରାଷ୍ଟ୍ରପତି । ଲାଡେନକୁ ଆଶ୍ରୟ ଦେଇଥିବାରୁ ପାକିସ୍ତାନ କ୍ଷମା ମାଗିବା ଉଚିତ ବୋଲି ପୂର୍ବରୁ କହିଥିଲେ ଟ୍ରମ୍ପ । ଯାହା ଆତଙ୍କବାଦକୁ ଆଶ୍ରୟ ଦେଉଥିବା ପାକିସ୍ତାନ ପ୍ରତି ତାଙ୍କ ମନୋଭାବକୁ ସ୍ପଷ୍ଟ କରୁଛି । ଆମେରିକାରେ ମୁସଲମାନଙ୍କ ସ୍ଥାନ ନାହିଁ ବୋଲି ଟ୍ରମ୍ପ ଦେଇଥିବା ବୟାନ ମଧ୍ୟ ମୁସଲିମ ବହୁଳ ପାକିସ୍ତାନ ପାଇଁ ତାଙ୍କ କଠୋର ଆଭିମୁଖ୍ୟକୁ ସୂଚାଉଛି ।

ଟ୍ରମ୍ପଙ୍କ ଇସଲାମୋଫୋବିଆ ପାକିସ୍ତାନକୁ ଅଡୁଆ କରିବ ବୋଲି ଚର୍ଚ୍ଚା ହେଉଛି । ସେହିପରି ଅର୍ଥନୈତିକ ବିକାଶ ଦିଗରେ ଆଗଉଥିବା ଭାରତ ସହ ଆମେରିକାର ବନ୍ଧୁତା ପାକିସ୍ତାନ ପାଇଁ ସମସ୍ୟା ସୃଷ୍ଟି କରିବ । ଭାରତୀୟ ବଜାରରୁ ଫାଇଦା ପାଇଁ ନୂଆଦିଲ୍ଲୀ ସହ ସଂପର୍କ ଖରାପ କରିବାକୁ ଚାହିଁବ ନହିଁ ୱାସିଂଙ୍ଗଟନ୍ ଆଉ ଏହା ପାକିସ୍ତାନକୁ ଅଡୁଆ କରିବ ।