ଆଦିବାସୀ ଅଂଚଳରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ପ୍ରୟାସ ! ‘ସ୍କୁଲ ସେ ଦୋସ୍ତି’ର ନାରା ଦେଲେ ଆଦିବାସୀ ଜନ ପ୍ରତିନିଧୀ

163

କନକ ବ୍ୟୁରୋ : ସରକାରଙ୍କ ବହୁ ଉଦ୍ୟମ ସତ୍ୱେ ଆଦିବାସୀ ଅଂଚଳରେ ଶିକ୍ଷାର ବିକାଶ ହୋଇପାରୁନାହିଁ । ଶିକ୍ଷା ଅଧିକାର ଆଇନ ପ୍ରଣୟନ ହୋଇ ୧୦ ବର୍ଷ ବିତିବାକୁ ବସିଥିଲେ ହେଁ ଏଯାଏଁ ଶିକ୍ଷାର ଗୁଣାତ୍ମକ ବିକାଶ ହୋଇ ନାହିଁ । ତେଣୁ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଓ ସଂଶୋଧନ ଆଣିବା ଲାଗି ଗାଁ ଗାଁରେ ଲୋକଙ୍କୁ ସଚେତନ କରାଉଛନ୍ତି ମାଲକାନଗିରିର ଜିଲ୍ଲାର ଆଦିବାସୀ ଜନ ପ୍ରତିିନିଧି । ୭ ଦିନ ଧରି ଗାଁରୁ ଗାଁ ବୁଲି ଶିକ୍ଷା ବିକାଶ ପରିବର୍ତ୍ତନ ଯାତ୍ରା କରିଛନ୍ତି ୧୦ଟି ପଂଚାୟତର ସରପଂଚ, ସମିତି ସଭ୍ୟ ଓ ଜନ ପ୍ରତିନିଧୀ ।

ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ହେଲେ ଆଦିବାସୀ ବହୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଦ୍ୟାଳୟରେ ଅନେକ ସମସ୍ୟା ରହିଛି । କେଉଁଛି ଶ୍ରେଣୀ ଗୃହ ଅଭାବ ତ ଶିକ୍ଷକ ଅଭାବ । ଅନେକ ସ୍ଥାନରେ ସବୁ ଥାଇ ମଧ୍ୟ ବହି ବସ୍ତାନୀ, ଆସବାବ ପତ୍ର ମିଳୁନଥିବାରୁ ପାଠପଢା ହୋଇପାରୁନାହିଁ । ତେଣୁ ଏହି ଦୁର୍ବଳ ବ୍ୟବସ୍ଥାକୁ ସୁଦୃଢ କରିବା ଲାଗି ମାଲକାନଗିରିରେ ଜନ ଆନ୍ଦୋଳନ ଆରମ୍ଭ କରିଛନ୍ତି ଆଦିବାସୀ ଜନ ପ୍ରତିନିଧୀ । ୧୦ଟି ଗ୍ରାମ ପଂଚାୟତର ସରପଂଚ, ସମିତି ସଭ୍ୟ, ଓାର୍ଡ ମେମ୍ବର ଏବଂ କିଛି ଶିକ୍ଷା ପ୍ରେମୀଙ୍କ ଶିକ୍ଷା ବିକାଶ ପରିବର୍ତନ ଯାତ୍ରା ଏବେ ଗାଁ ଗାଁ ବୁଲୁଛି । ଆଉ ଏହି ପରିବର୍ତ୍ତନ ପଦଯାତ୍ରାକୁ ବିପୁଳ ସମର୍ଥନ ମିଳୁଥିବା ବେଳେ ନାଚଗୀତ ମାଧ୍ୟମରେ ପରିବର୍ତ୍ତନର ବାର୍ତ୍ତା ବାହକଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ଗ୍ରାମବାସୀ ।

ଶିକ୍ଷା ବିକାଶ ପରିବର୍ତନ ଯାତ୍ରାର ଉଦ୍ଦେଶ୍ୟ . . . .
ଶିକ୍ଷା ପ୍ରତି ପିଲାଙ୍କ ସହ ଅଭିଭାବକ ଓ ଗ୍ରାମବାସୀଙ୍କ ଆଗ୍ରହ ସୃଷ୍ଟି କରିବା
ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କୁ ସଚେତନ କରାଇବା
ଜନ ପ୍ରତିନିଧୀଙ୍କୁ ବିଦ୍ୟାଳୟ ସହ ଯୋଡିବା
ଗ୍ରାମାଂଚଳ ଶିକ୍ଷା କ୍ଷେତ୍ରରେ ଉପୁଜୁ ଥିବା ସମସ୍ୟାର ନିରାକରଣ

ଗତ ୭ ତାରିଖ ଠାରୁ ମାଲକାଗିରି ପଡିଆ ବ୍ଲକରୁ ଆରମ୍ଭ ହୋଇ ଥିବା ଶିକ୍ଷା ବିକାଶ ପରିବର୍ତ୍ତନ ଯାତ୍ରା ୧୦୦ କିଲୋମିଟର ପାଦ ଚଲା ରାସ୍ତା ଅତିକ୍ରମ କରିଛି । ୧୦ଟି ଗ୍ରାମ ପଂଚାୟତର ୩୦ ଗାଁର ୬୦ରୁ ଅଧିକ ସ୍କୁଲ ବୁଲିବା ପରେ ମାଲକାନଗିରି ସଦର ମହକୁମା ପହଁଚିଛି ଏହି ପଦଯାତ୍ରା । ଗାଁ କୁ ଗାଁ ଓ ବିଦ୍ୟାଳୟକୁ ବିଦ୍ୟାଳୟ ବୁଲି ଶିକ୍ଷାର ବିକାଶ ପାଇଁ ଶିକ୍ଷକ, ଗ୍ରାମବାସୀ ଓ ବିଦ୍ଧିଜୀବୀଙ୍କ ପରାମର୍ଶ ଲୋଡି ଜିଲ୍ଲା ପ୍ରଶାସନ ଜରିଆରେ ରାଜ୍ୟ ସରକାରଙ୍କୁ ଜାଣାଇବେ ପଦଯାତ୍ରାର ଆୟୋଜକ ।

ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଶିକ୍ଷାର ହାର ୫୭ ପ୍ରତିଶତ ରହି ଥିବା ବେଳେ ଜାତୀୟ ଶିକ୍ଷା ହାର ଠାରୁ ଏହା ଯଥେଷ୍ଟ କମ । ତେବେ ଶିକ୍ଷାର ବିକାଶ ଦିଗରେ ଆଦିବାସୀ ଜନ ପ୍ରତିନିଧୀଙ୍କ ଏହି ପଦକ୍ଷେପ ସରକାରୀ କାର୍ଯ୍ୟାଳୟରେ କେତେ ଗ୍ରହଣୀୟ ହେବ, ତାହା ସମୟ ସାପେକ୍ଷ ।