୪ ବର୍ଷ ବିତିଲାଣି ସ୍କୁଲ ଗୁଡ଼ିକରେ କାର୍ଯ୍ୟକାରୀ ହୋଇପାରୁନି ଶିକ୍ଷା କ୍ୟାଲେଣ୍ଡର ! କେବେ ବଦଳିବ ଶିକ୍ଷା ବ୍ୟବସ୍ଥାର କରୁଣ ଚିତ୍ର ?

19

କନକ ବ୍ୟୁରୋ: ବିଦ୍ୟାଳୟ ପାଠ୍ୟଖସଡ଼ାକୁ ସୁବ୍ୟବସ୍ଥିତ କରିବା ପାଇଁ ୨୦୧୪ ଅଗଷ୍ଟ ମାସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଥିଲା । କାର୍ଯ୍ୟସୂଚୀ ଅନୁଯାୟୀ ଜୁନରୁ ଫେବ୍ରୁଆରି ମାସ ମଧ୍ୟରେ ପ୍ରଧାନଶିକ୍ଷକ ଓ ଶିକ୍ଷକମାନେ ପ୍ରତିଦିନ ସକାଳ ୯ଟା ୩୦ରୁ ଅପରାହ୍ଣ ୫ଟା ପର‌୍ୟ୍ୟନ୍ତ ସ୍କୁଲରେ ରହିବେ । ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ସମୟ ୯ଟା ୩୦ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ହେବ । ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସକାଳ ୯ଟା ୩୦ରୁ ଅପରାହ୍ଣ ୪ଟା ୩୦ ପର‌୍ୟ୍ୟନ୍ତ ପାଠପଢ଼ା ଚାଲିବ । ସକାଳ ୯ଟା ୩୦ରୁ ୧୦ଟା ପର୍ଯ୍ୟନ୍ତ ପିଲାଙ୍କୁ ଶାରୀରିକ ସ୍ୱାସ୍ଥ୍ୟ ଉପରେ ତାଲିମ ଦିଆଯିବ । ଏହାପରେ ୧୫ ମିନିଟ୍ ଧରି ପାର୍ଥନା, ସକାଳ ୧୦ଟା ୧୫ରୁ ଅପରାହ୍ନ ୧ଟା ୧୫ ମଧ୍ୟରେ ୪୫ ମିନିଟ୍ ଅବଧି ବିଶିଷ୍ଟ ୪ଟି ପରିୟଡ୍ ହେବ । ୪୫ ମିନିଟ୍ର ମଧ୍ୟାହ୍ନଭୋଜନ ବିରତି ପରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ୪୦ ମିନିଟ୍ ଅବଧିର ୩ଟି ପିରିୟଡ୍ ଓ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ୪୫ ମିନିଟ୍ ଅବଧିର ୩ଟି ପିରିୟଡ୍ ନିଆଯିବ । ଜୁନ୍ରୁ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ପ୍ରତି ଶନିବାର ଭୋର ୬ଟା ୪୫ରୁ ୯ଟା ୪୫ ମଧ୍ୟରେ ୪୫ ମିନିଟ୍ ବିଶିଷ୍ଟ ୪ଟି ପିରିୟଡ୍ ହେବ। ଏହାପରେ ୩୦ ମିନିଟ୍ର ବିରତି ରଖାଯାଇଛି। ପୂର୍ବାହ୍ଣ ୧୦ଟା ୧୫ରୁ ମଧ୍ୟାହ୍ନ ୧୨ଟା ୩୦ ମଧ୍ୟରେ ୪୫ ମିନିଟ୍ ଅବଧିର ୩ଟି ପରିୟଡ୍ ହେବ। ମଧ୍ୟାହ୍ନ ୧୨ଟା ୩୦ରେ ମଧ୍ୟାହ୍ନଭୋଜନ ହେବ।

ସେହିଭଳି ମାର୍ଚ୍ଚ ଓ ଏପ୍ରିଲ ମାସରେ ସକାଳ ୬ଟା ୩୦ରୁ ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ସବୁ ଶ୍ରେଣୀର ପାଠପଢ଼ା ହେବାକୁ ସ୍ଥିର ହୋଇଛି। ଭୋର ୬ଟା ୪୫ରୁ ୯ଟା ୫ ମଧ୍ୟରେ ୩୫ ମିନିଟ୍ ବିଶିଷ୍ଟ ୪ଟି ପିରିୟଡ୍ ହେବ। ୯ଟା ୩୦ ପର୍ଯ୍ୟନ୍ତ ବିରତି ହେବ। ୯ଟା ୩୦ରୁ ପୂର୍ବାହ୍ନ ୧୧ଟା ମଧ୍ୟରେ ୩୦ ମିନିଟ୍ ଅବଧି ବିଶିଷ୍ଟ ୩ଟି ପରିୟଡ୍ ହେବ। ପୂର୍ବାହ୍ଣ ୧୧ଟାରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଦିଆଯିବ। ଏହା ବ୍ୟତୀତ ପ୍ରାର୍ଥନା ସମୟରେ ଛାତ୍ରଛାତ୍ରୀଙ୍କୁ କେଉଁ ବିଷୟରେ ଶିକ୍ଷା ଦିଆଯିବ, ପ୍ରତି ମାସରେ ବିଦ୍ୟାଳୟ ପରିଚାଳନା କମିଟିର ବୈଠକକୁ ବାଧ୍ୟତାମୂଳକ କରାଯାଇଛି । କେଉଁ ଶ୍ରେଣୀର ଛାତ୍ରଛାତ୍ରୀ କିଭଳି ଶିକ୍ଷା ଗ୍ରହଣ କରିବେ ସେନେଇ ମଧ୍ୟ ଶିକ୍ଷା କ୍ୟାଲେଣ୍ଡରରେ ଉଲ୍ଲେଖ ହୋଇଥିଲା। ଇତି ମଧ୍ୟରେ ୪ ବର୍ଷ ବିତିଯାଇଥିଲେ ମଧ୍ୟ ତାହାକୁ କେହି ମାନୁନାହାନ୍ତି । ପୂର୍ବଭଳି ସେମିତି ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ଚାଲୁଛି । ଶିକ୍ଷକ/ଶିକ୍ଷୟିତ୍ରୀମାନେ ୧୦ରୁ ୧୫ ମିନିଟ୍ ବିଳମ୍ବରେ ଆସୁଥିଲେ ମଧ୍ୟ ସେମାନଙ୍କ କାର୍ଯ୍ୟର ଯାଞ୍ଚ କରିବା ଉପରେ କେହି ଗୁରୁତ୍ୱ ଦେଉନାହାନ୍ତି।

summerschoolସେପଟେ ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆମେ କିଛି କରିପାରିବୁନି । ନିୟମକୁ ତ୍ରୁଣମୂଳସ୍ତରରୁ ଲାଗୁ କରାଯାଉ ନାହିଁ। ପ୍ରଥମେ ପ୍ରଥମେ କିଛି ସ୍ଥାନରେ କଡ଼ାକଡ଼ି କରାଯାଇଥିଲେ ମଧ୍ୟ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଯେଉଁଥିପାଇଁ ଶିକ୍ଷା କ୍ୟାଲେଣ୍ଡର ଏବେ କେବଳ କାଗଜ କଲମରେ ରହିଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେଉଁମାନେ ଆମର ଆଗାମୀ ପିଢ଼ି ତାଙ୍କ ପାଇଁ କାହିଁକି ଏଭଳି ଅବ୍ୟବସ୍ଥା , କାହିଁକି ଚୁପ୍ ବସିଛି ପ୍ରଶାସନ ?

Comments are closed.