ନିରବ ମୋଦି, ମେହୁଲ ଚୋକସିଙ୍କ ବିଭିନ୍ନ କମ୍ପାନି ଉପରେ ଇଡି ଓ ଆଇଟି ରେଡ ଜାରି : ପୁଣି ୧୪୫ କୋଟି ଫ୍ରିଜ କଲା ଆୟକର ବିଭାଗ

43

କନକ ବ୍ୟୁରୋ : ପିଏନବି ମହାଦୁର୍ନୀତି ମାମଲାରେ ନିରବ ମୋଦି ଗ୍ରୁପର ବିଭିନ୍ନ କମ୍ପାନି ଶାଖାରେ ଲଗାତର ସପ୍ତମ ଦିନ ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟର ରେଡ । ସେପଟେ ପୁଣି ୧୪୫ କୋଟି ଟଙ୍କାର ସଂପତି ଫ୍ରିଜ କଲା ଆୟକର ବିଭାଗ । ଗତକାଲି ୧୭ଟି ସ୍ଥାନରେ ଛାପା ମାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ନିରବ ମୋଦି ଗ୍ରୁପ ଓ ମେହୁଲ ଚୋକସିଙ୍କ ଗୀତାଞ୍ଜଳି ଜେମ୍ସର ବିଭିନ୍ନ ସେଲ କମ୍ପାନିରେ ଚଢାଉ କରିବା ସହ ୧୦ କୋଟି ଟଙ୍କାର ସଂପତି ସିଲ କରିଛି । ସେହିପରି ଆୟକର ବିଭାଗ ମଧ୍ୟ ନିରବ ମୋଦି କମ୍ପାନିର ବିଭିନ୍ନ ଷ୍ଟୋର, ସୋରୁମ ଓ କମ୍ପାନି ଶାଖାରେ ଚଢାଉ କରି ଗତକାଲି ୧୪୫ କୋଟି ୭୪ ଲକ୍ଷ ଟଙ୍କାର ସଂପତି ସିଜ କରିଛି । ପ୍ରାୟ ୧୧ ହଜାର ୪ଶହ କୋଟି ଟଙ୍କାର ଦୁର୍ନୀତି କରିଥିବା ନିରବ ମୋଦିଙ୍କର ଏପର୍ଯ୍ୟନ୍ତ ୫ହଜାର ୭ଶହ ୩୬ କୋଟି ଟଙ୍କାର ସଂପତି ଜବତ କଲେଣି ଇଡି ଓ ଆୟକର ବିଭାଗ । ଏଗୁଡିକ ଭିତରେ ଅଧିକାଂଶ ହୀରା, ସୁନା ଗହଣା ଓ ମୂଲ୍ୟବାନ ରତ୍ନ ପଥର ରହିଛି । ଉଭୟ ଇଡି ଓ ଆୟକର ବିଭାଗ ନଜରରେ ରହିଛି ନିରବ ମୋଦି ଗ୍ରୁପ ଓ ଗୀତାଞ୍ଜଳି ଜେମ୍ସର ୨ଶହ ସେଲ ଫାର୍ମ ଓ ବେନାମୀ ସଂପତି । ଇଡି ମଧ୍ୟ ନିରବ ମୋଦି ଓ ମେହୁଲ ଚୋକସିଙ୍କୁ ଏହି ସପ୍ତାହରେ ପ୍ରତ୍ୟକ୍ଷ ଭାବେ ହାଜର ହେବା ପାଇଁ ସମନ କରିଛି ।

ନିରବ ମୋଦି ୧୧ ହଜାର ୪ଶହ କୋଟି ନେଇ ଫେରାର ହୋଇଯିବା ପରେ ପିଏନବି ମାନେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଋଣ ବାବଦରେ ସାରା ଦେଶରେ ଚର୍ଚ୍ଚା ହେଉଛି । ଜାଲ ଲେଟର ଅଫ ଅଣ୍ଡରଷ୍ଟାଣ୍ଡିଙ୍ଗ କରି ସେ ବିଦେଶରେ ଥିବା ବ୍ୟାଙ୍କରୁ ମଧ୍ୟ ଟଙ୍କା ଠକିଥିଲା । ପିଏନବି ମହାଦୁର୍ନୀତର ଏହି ଚର୍ଚ୍ଚା ଭିତରେ ଜାତୀୟ ଗଣମାଧ୍ୟମରେ ଆଉଏକ ପ୍ରସଙ୍ଗକୁ ନେଇ ବି ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ଯେ କିଭଳି ପିଏନବିରୁ ମାତ୍ର ୫ହଜାର ଟଙ୍କା ଋଣ ନେଇ ଶୁଝିଦେଇଥିଲେ ଲାଲ ବାହାଦୁର ଶାସ୍ତ୍ରୀ । ନିରବ ମୋଦି ଟଙ୍କା ଫେରାଇବ ନାହିଁ ବୋଲି ଚିଠି ଲେଖି ସ୍ପଷ୍ଟ କରିସାରିଛି । ଆଉ ୧୯୬୫ରେ ତତକାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ନେଇଥିବା ୫ ହଜାର ଟଙ୍କାର ଲୋନ ତାଙ୍କ ମୃତ୍ୟୁ ପରେ ବି ସୁଝିଥିଲେ ପରିବାର । ଅତି ସାଦାସିଧା ଜୀବନ ବିତାଇବାକୁ ପସନ୍ଦ କରୁଥିବା ଲାଲ ବାହାଦୁର ଶାସ୍ତ୍ରୀ ନିଜ ପରିବାର ଲୋକଙ୍କୁ ନେବାଆଣିବା ପାଇଁ ସରକାରୀ ଗାଡିର ବ୍ୟବହାର କରୁନଥିଲେ ।

ତେଣୁ ସେତେବେଳେ ନିଜସ୍ୱ ଏକ ଫିଆଟ କାର କିଣିବାକୁ ପିଏନବିରୁ ୫ ହଜାର ଟଙ୍କା ଲୋନ କରିଥିଲେ । ସେତେବେଳେ କାରଟିର ଦାମ ଥିଲା ୧୨ ହଜାର ଟଙ୍କା । ହେଲେ ତାଙ୍କ ବ୍ୟାଙ୍କ ଆକାଉଂଟରେ ଥିବା ୭ ହଜାର ଟଙ୍କ।। ତେଣୁ ବାକି ୫ ହଜାର ଟଙ୍କା ସେ ଲୋନ ଆକାରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଆଣିଥିଲେ । ହେଲେ ଋଣ ଶୁଝିବା ପୂର୍ବରୁ ତାସକେଂଟ ଚୁକ୍ତି ସମୟରେ ଶାସ୍ତ୍ରୀଜୀଙ୍କ ଆକସ୍ମିକ ମୃତ୍ୟୁ ହୋଇଥିଲା । ଆଉ ଲୋନ ଶୁଝିବା ପାଇଁ ବ୍ୟାଙ୍କ ତାଙ୍କ ପତ୍ନୀ ଲଳିଚା ଶାସ୍ତ୍ରୀଙ୍କୁ ନୋଟିସ ପଠାଇଲା । ପରେ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପତ୍ନୀ ପେନସନ ଟଙ୍କାରୁ କିସ୍ତିରେ ଏହି ଋଣ ପରିଷୋଧ କରିଥିଲେ । ଏବେ ବି ଡିଇଏଲ-ସିକ୍ସ ନମ୍ବର, ୧୯୬୪ ମଡେଲର ଫିଆଟ କାର ଦିଲ୍ଲୀ ଲାଲ ବାହାଦୁର ଶାସ୍ତ୍ରୀ ମମୋରିଆଲରେ ଥୁଆ ହୋଇଛି । ଆଉ ଯେତେବେଳେ ୧୧ ହଜାର କୋଟିର ଋଣ ନେଇ ନିରବ ମୋଦି ଫେରାଇବେ ନାହିଁ ବୋଲି କହୁଛନ୍ତି, ସେତିକିବେଳେ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଏହି ୫ହଜାର ଟଙ୍କାର ଋଣ ଓ ମୃତ୍ୟୁ ପରେ ବି ପରିବାର ଗୋଟିଏ ଗୋଟିଏ ପଇସା ଶୁଝିବା ସାଧାରଣରେ ଚର୍ଚ୍ଚା ସୃଷ୍ଟି କରିଛି ।