ସତ ହେଲା ମନମୋହନଙ୍କ ସତର୍କବାଣୀ ! ଜିଡିପି କମିଗଲା ୨.୨ ପ୍ରତିଶତ

44

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ନଭେମ୍ବର ୮ ତାରିଖରେ ୫୦୦ ଏବଂ ୧୦୦୦ ଟଙ୍କିଆକୁ ଅଚଳ ଘୋଷଣା କରିଥିଲେ । ଏହାର କିଛିଦିନ ପରେ ରାଜ୍ୟସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବିମୁଦ୍ରାକରଣ ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ । ଏହାକୁ ସେ ଲୋକଙ୍କ ସମ୍ପତ୍ତିର ସଂଗଠିତ ଲୁଟ୍ ଏବଂ ସଂଘାତିକ ପରିଚାଳନାଗତ ବିଫଳତା ବୋଲି କହିଥିଲେ । ବିମୁଦ୍ରାକରଣ ଯୋଗୁଁ ଭାରତର ଜିଡିପି ଅଭିବୃଦ୍ଧି ୨ ପ୍ରତିଶତ କମିଯିବ ବୋଲି ସେ ସେତେବେଳେ ସତର୍କ କରାଇ ଦେଇଥିଲେ । ତାଙ୍କର ଏହି ଆକଳନ କମ୍, ଅଧିକ ନୁହେଁ ବୋଲି ମଧ୍ୟ ସେ କହିଥିଲେ । ତେବେ ସେହି ସତର୍କବାଣୀକୁ ସେତେବେଳେ ଶାସକ ଦଳର ସଦସ୍ୟମାନେ ହସରେ ଉଡ଼ାଇ ଦେଇଥିଲେ । କିନ୍ତୁ ଗତକାଲି ମନମୋହନଙ୍କ ସତର୍କ ବାଣୀ ସତରେ ପରିଣତ ହୋଇଛି । ଫଳରେ ମନମୋହନଙ୍କୁ ସେତେବେଳେ ହସରେ ଉଡ଼ାଇ ଦେଉଥିବା ବ୍ୟକ୍ତିମାନଙ୍କୁ ଏବେ ହସରେ ଉଡ଼ାଇ ଦେବାର ପାଳି ମନମୋହନଙ୍କର ପଡ଼ିଛି ।

ମନମୋହନଙ୍କ ବକ୍ତବ୍ୟ ଉପରେ ଉତ୍ତର ରଖିଥିଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି । ସେ କହିଥିଲେ, ଦୀର୍ଘ ମିଆଦିରେ ଜିଡିପି ଉପରେ ବିମୁଦ୍ରାକରଣର ଅନୁକୂଳ ପ୍ରଭାବ ପଡ଼ିବ । ବିମୁଦ୍ରାକରଣର ତୁରନ୍ତ ପ୍ରଭାବକୁ ନ ଦେଖି ଦୀର୍ଘ ମିଆଦି ପ୍ରଭାବ କଣ ରହିବ ତାହା ଯେ କୌଣସି ଅର୍ଥନୀତିଜ୍ଞଙ୍କ ପାଇଁ ବିଜ୍ଞତାର ପରିଚାୟକ ହେବ ବୋଲି ଜେଟଲି କହିଥିଲେ । କିନ୍ତୁ ଏହାର ପ୍ରତ୍ୟୁତ୍ତରରେ ମନମୋହନ ବିଶିଷ୍ଟ ଅର୍ଥନୀତିଜ୍ଞ ଜନ୍ ମନାର୍ଡ କିନ୍ସଙ୍କ ପ୍ରସିଦ୍ଧ ଉକ୍ତିକୁ ଉଦ୍ଧାର କରିଥିଲେ । ମନମୋହନ କହିଥିଲେ, କିନ୍ସଙ୍କ ଅନୁଯାୟୀ ଦୀର୍ଘ ଅବଧିରେ ଆମେ ସମସ୍ତେ ମୃତ ।

କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ (ସିଏସଓ) ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍ ଅବଧିର ଅର୍ଥନୈତିକ ଅଭିବୃଦ୍ଧି ରିପୋର୍ଟ ପ୍ରକାଶ କରାଯାଇଛି । ଏଥିରେ ଅଭିବୃଦ୍ଧି ୫.୭ ପ୍ରତିଶତକୁ ଖସି ଯାଇଥିବା ଦର୍ଶାଯାଇଛି । ଗତବର୍ଷ ଉପରୋକ୍ତ ଅବଧିରେ ଜିଡିପି ଅଭିବୃଦ୍ଧି ୭.୯ ପ୍ରତିଶତ ରହିଥିଲା । ଫଳରେ ଜିଡିପି ଅଭିବୃଦ୍ଧି ହାର ୨.୨ ପ୍ରତିଶତ କମିଯାଇଛି । ମନମୋହନ ଆହୁରି କହିଥିଲେ ଯେ ଦେଶର କୃଷି, କ୍ଷୁଦ୍ର ଶିଳ୍ପ ଏବଂ ଅସଙ୍ଗଠିତ କ୍ଷେତ୍ର ପ୍ରତି ବିମୁଦ୍ରାକରଣ କ୍ଷତି ପହଞ୍ଚାଇବ ।

ମନମୋହନ ତାଙ୍କ ବକ୍ତବ୍ୟରେ ଏହା ମଧ୍ୟ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦି ବିମୁଦ୍ରାକରଣ ନେଇ ୫୦ ଦିନ ସମୟ ମାଗିଛନ୍ତି । କିନ୍ତୁ ଦିନ ମଜୁରିଆ, ସମାଜର ଅବହେଳିତ ବର୍ଗର ଲୋକଙ୍କ ପାଇଁ ୫୦ ଦିନ ଏକ ଲମ୍ବା ସମୟ । ସେମାନେ ଏହି ୫୦ ଦିନ ମଧ୍ୟରେ ଯେଉଁ ସମସ୍ୟା ଦେଇ ଗତି କରିବେ ତାହା ଅତ୍ୟନ୍ତ ସାଂଘାତିକ ହେବ । ବିମୁଦ୍ରାକରଣର ଦୁଇ ସପ୍ତାହ ପରେ ୨୦୦୮ ନଭେମ୍ବର ୨୪ ତାରିଖରେ ମନମୋହନ ରାଜ୍ୟସଭାରେ ତାଙ୍କର ବକ୍ତବ୍ୟ ରଖିଥିଲେ । ବିମୁଦ୍ରାକରଣ ଦ୍ୱାରା ଆମର ମୁଦ୍ରା ବ୍ୟବସ୍ଥା ଉପରୁ ଲୋକଙ୍କ ଆସ୍ଥା ତୁଟିଯିବ ।

ଏହି ପରିପ୍ରେକ୍ଷୀରେ ସେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଜାଣିବାକୁ ଚାହିଥିଲେ ବିଶ୍ୱରେ ଏମିତି କୌଣସି ଦେଶ ଅଛି ଯେଉଁଠି ଲୋକମାନଙ୍କୁ ସେମାନଙ୍କ ଜମା ଟଙ୍କା ଉଠାଇବାର ସୁଯୋଗ ମିଳୁନାହିଁ । ଲୋକଙ୍କ ବୃହତ୍ତର ସ୍ୱାର୍ଥ ଲାଗି ଯାହା କରାଯାଇଥିବା କୁହାଯାଉଛି ତାହାକୁ ନିନ୍ଦା କରିବା ଲାଗି ଏହା ଯଥେଷ୍ଟ ବୋଲି ମନମୋହନ କହିଥିଲେ । ସେହିଭଳି ବିମୁଦ୍ରାକରଣ ସମୟରେ ଟଙ୍କା ଉଠାଣ ନେଇ ରିଜର୍ଭ ବ୍ୟାଙ୍କ ଯେଭଳି ପ୍ରତିଦିନ ନୂଆ ନୂଆ ନିୟମ ଆଣୁଥିଲା ତାହାକୁ ମନମୋହନ କଡ଼ା ସମାଲୋଚନା କରିଥିଲେ । ସେ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଅର୍ଥ ମନ୍ତ୍ରାଳୟ ଏବଂ ରିଜର୍ଭ ବ୍ୟାଙ୍କର ସମାଲୋଚନା ମଧ୍ୟ କରିଥିଲେ ।