ଦିଲ୍ଲୀରେ ଭୂକମ୍ପର ଝଟକା! ଦୋହଲିଲା ଫ୍ୟାନ, ଭୟରେ ଘରୁ ପଦାକୁ ଆସିଲେ ଲୋକେ । ରିକ୍ଟର ସ୍କେଲରେ ତୀବ୍ରତା ୩.୯

31

ଥରିଲା ଦେଶର ରାଜଧାନୀ । ଦିଲ୍ଲୀ-ଏନସିଆର ଅଞ୍ଚଳରେ ଭୂମିକମ୍ପର ଝଟକା । ରିକ୍ଟର ସ୍କେଲରେ ୩.୯ ତ୍ରୀବତାର ଭୂକମ୍ପ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଅନୁଭୂତ ହୋଇଛି । ସୂଚନା ଅନୁସାରେ ରବିବାର ଅପରାହ୍ନ ୩.୪୭ ମିନିଟ୍ ସମୟରେ ଭୁମିକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ସୋନିପତ ବୋଲି ସୂଚନା ମିଳିଛି । ଦିଲ୍ଲୀ- ଏନସିଆର ଅଞ୍ଚଳରେ ଉଚ୍ଚ ବିଲ୍ଡିଂରେ ରହୁଥିବା ଲୋକମାନେ ଭୂମିକମ୍ପର ଅନୁଭବ କରିଥିଲେ ।

ଭୂମିକମ୍ପ ହେବା ଜାଣିବା ପରେ ଉଚ୍ଚ ବିଲ୍ଡିଂରେ ରହୁଥିବା ଲୋକମାନେ ଭୟଭୀତ ଅବସ୍ଥାରେ ଘରୁ ବାହାରକୁ ଚାଲି ଆସିଛନ୍ତି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା କମ ଥିବାରୁ ବିଶେଷ କ୍ଷୟକ୍ଷତି ହୋଇନାହିଁ । ଭୂକମ୍ପ ପାଇଁ ଦିଲ୍ଲୀକୁ ଅଧିକ ସମ୍ବେଦନଶୀଳ ଅଞ୍ଚଳ ବୋଲି ଧରା ଯାଇଥାଏ । ଦିଲ୍ଲୀ, ନୋଏଡ଼ା, ଗୁଡ଼ଗାଓଁ, ଫରିଦାବାଦର ଉଚ୍ଚ ବିଲ୍ଡିଂରେ ରହୁଥିବା ଲୋକମାନେ ଭୂକମ୍ପର ଝଟକା ଅନୁଭବ କରିଥିଲେ । ହଠାତ ଘର ଭିତର ପଙ୍ଖା ହଲିବା ଆରମ୍ଭ କରିବାକୁ ଲୋକମାନେ ଭୂକମ୍ପ ହେଉଥିବା ଜାଣିବାକୁ ପାଇଥିଲେ । ଫଳରେ ଲୋକମାନେ ଘରୁ ବାହାରି ସୁରକ୍ଷିତ ସ୍ଥାନକୁ ଚାଲି ଆସିଥିଲେ ।