ପୂରଣ ହେଲା ଅନାଥ ଶିଶୁଙ୍କ ସ୍ୱପ୍ନ । ଭୁବନେଶ୍ୱର ରାଉଣ୍ଡ ଟେବୁଲ ସଂଗଠନର ଅଭିନବ ପ୍ରୟାସ । ଉଡ଼ାଜାହାଜରେ ବସାଇ କଅଁଳ ଶିଶୁଙ୍କ ମୁହଁରେ ଖେଳାଇଦେଲେ ହସର ସମ୍ଭାର ।

51

କନକ ବ୍ୟୁରୋ: ଅନାଥ ଶିଶୁଙ୍କ ମୁହଁରେ ହସ ଖେଳାଇବାକୁ ଅନେକ ସ୍ୱେଚ୍ଛାସେବୀ ସଂଗଠନମାନେ ପ୍ରୟାସ କରିଥାନ୍ତି । କିନ୍ତୁ ଭୁବନେଶ୍ୱର ରାଉଣ୍ଡ ଟେବୁଲ-୫୩ ସ୍ୱେଚ୍ଛାସେବୀ ସଂଗଠନର ଏକ ଭିନ୍ନ ପ୍ରୟାସ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କୁନି କୁନି ଅନାଥ ପିଲାଙ୍କ ମୁହଁରେ ଟିକିଏ ହସ ଆଣିବା ପାଇଁ ତାଙ୍କ ସ୍ୱପ୍ନକୁ ସାକାର କରିଛନ୍ତି ଏହି ସଂଗଠନ । ଏହି କଅଁଳ ଶିଶୁମାନେ ଯେଉଁ ଉଡ଼ାଜାହାଜ ଆକାଶରେ ଉଡ଼ିବାର କେବଳ ସ୍ୱପ୍ନ ଦେଖିିଲେ ଆଜି ସେଥିରେ ବସି ରାଜ୍ୟ ବାହାରକୁ ବୁଲିଯାଇଛନ୍ତି । ଯାହାକୁ ନେଇ ଏମାନଙ୍କ ଖୁସି କହିଲେ ନସରେ ।

ସୁନ୍ଦରଗଡ଼, ବାରିପଦା ଓ ବାଲେଶ୍ୱର ଭଳି ରାଜ୍ୟର ବିଭିନ୍ନ ସ୍ଥାନରୁ ପାଖାପାଖି ୪୦ ଜଣ ଅନାଥ ପିଲାଙ୍କୁ ସାଥିରେ ଧରି ହାଇଦ୍ରାବାଦକୁ ଉଡ଼ାଣ ଭରିଛନ୍ତି ଏହି ସଂଗଠନ । ଦେଶର ପ୍ରମୂଖ ରାଉଣ୍ଡଟେବୁଲ ସଂଗଠନ ମଧ୍ୟରୁ ଭୁବନେଶ୍ୱର ରାଉଣ୍ଡ ଟେବୁଲ ସଂଗଠନର ପ୍ରୟାସକୁ ଦେଖି ସମସ୍ତେ ବାହା ବାହା କରୁଛନ୍ତି । ଦୀର୍ଘ ୧୧ ବର୍ଷ ଧରି ଏଭଳି କୁନି କୁନି ଅସହାୟକ ପିଲାଙ୍କ ମୁହଁରେ ହସ ଖେଳାଇବା  ଏବଂ ସେମାନଙ୍କ ସ୍ୱପ୍ନର ପର୍ଯ୍ୟଟନ ସ୍ଥାନକୁ ବୁଲାଇ ନେଇ ଏକ ପ୍ରକାର ମହତ କାମ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଚଳିତ ବର୍ଷ ‘ଫ୍ଲାଇଟ୍ ଅଫ୍ ଫାଣ୍ଟାସୀ’ ଥିମ୍ ରଖି ପିଲାମାନଙ୍କୁ ହାଇଦ୍ରାବାଦକୁ ବୁଲାଇ ନେବାକୁ ପ୍ରୟାସ କରାଯାଇଥିବା କହିଛନ୍ତି ସଂଗଠନର ଆୟୋଜକ ।

ତେବେ ଏହି ଦିନିକିଆ ପରିଭ୍ରମଣ କାର୍ଯ୍ୟକ୍ରମ ଅନାଥ ପିଲାଙ୍କ ମୁହଁରେ ହସ ପୁଟାଇଥିବା ଦେଖିବାକୁ ମିଳିଛି । ଓଡ଼ିଶା ଛାଡ଼ିବା ପୂର୍ବରୁ ଏହି ଅନାଥ ପିଲାମାନେ କହିଛନ୍ତି ଯେ ଯାହା ସବୁ ଆମ୍ଭେମାନେ ସ୍ୱପ୍ନରେ ଏବଂ ଟିଭି ଜରିଆରେ ଦେଖିଥିଲୁ ଆଜି ସେହି ସ୍ୱପ୍ନ ପୂରଣ ହୋଇଛି । ତେଣୁ ଆୟୋଜକ ଏବଂ ସ୍ୱେଚ୍ଛାସେବୀ ସଂଗଠନକୁ କୃତଜ୍ଞତା ଜ୍ଞାପନ କରିଛନ୍ତି । କୋମଳମତି ନିଷ୍ପାପ ଶିଶୁଙ୍କ ମଧ୍ୟରେ ଭଗବାନଙ୍କ ଆର୍ବିଭାବ ରହିଥାଏ । ତେଣୁ ତାଙ୍କ ସ୍ୱପ୍ନ ଏବଂ ଆଶାକୁ ପୂରଣ କରି ଆନନ୍ଦ ମିଳୁଥିବା କହିଛନ୍ତି ସଂଗଠନର ସଦସ୍ୟ ବୃନ୍ଦ ।