ରାଷ୍ଟ୍ରପତି ରେସରେ ଓଡିଆ ! ଦ୍ରୌପଦୀ ମୁର୍ମୁଙ୍କୁ ନେଇ ମୋଦି ଖେଳିପାରନ୍ତି ଆଦିବାସୀ କାର୍ଡ

95

କନକ ବ୍ୟୁରୋ : ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାକୁ ନେଇ ଓଡ଼ିଶାରେ ଉତ୍କଣ୍ଠା । ଆଉ ଏହି ଚର୍ଚ୍ଚା ଦ୍ରୌପଦୀ ମୁର୍ମୁଙ୍କୁ ନେଇ । ବିଜେପିର ଏହି ବରିଷ୍ଠ ନେତ୍ରୀ ବର୍ତମାନ ଝାଡଖଣ୍ଡର ରାଜ୍ୟପାଳ ଅଛନ୍ତି । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଏଥର ରାଷ୍ଟ୍ରପତି ରେସରେ ଅଛନ୍ତି ଏହି ଓଡ଼ିଆ ନେତ୍ରୀ । ଓଡ଼ିଆଙ୍କୁ ପୂର୍ବରୁ ସର୍ବୋଚ୍ଚ ପଦବୀରେ ଏଭଳି ସୁଯୋଗ କେବେ ମିଳିନଥିବା ବେଳେ ଦ୍ରୌପଦୀଙ୍କୁ ନେଇ ଏହି ଚର୍ଚ୍ଚା ଓଡ଼ିଶାକୁ ଆଶାବାଦୀ କରିଦେଇଛି ।

ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ ଜୁଲାଇରେ ଶେଷ ହେଉଥିବା ବେଳେ କିଏ ହେବ ନୂଆ ରାଷ୍ଟ୍ରପତି ତାକୁ ନେଇ ଅଙ୍କକଷା ଅ।।ରମ୍ଭ ହୋଇଯାଇଛି । ଆଉ ଏହି ଦୌଡ଼ର ଶୀର୍ଷରେ ୫ ଜଣଙ୍କ ନାଁ ଶୁଣିବାକୁ ମିଳୁଛି । ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ମୁରଲି ମନୋହର ଯୋଶୀ, ବୈଦେଶୀକ ବ୍ୟାପାରମନ୍ତ୍ରୀ ସୁଷମା ସ୍ୱରାଜ, ବାଚସ୍ପତି ସୁମିତ୍ରା ମହାଜନ ଏବଂ ଝାଡଖଣ୍ଡ ରାଜ୍ୟପାଳ ତଥା ଓଡ଼ିଶା ମୟୁରଭଂଜ ଜିଲ୍ଲା ମୁଳବାସିନ୍ଦା ଦ୍ରୌପଦୀ ମୁର୍ମୁ । ଏହି ୫ଜଣଙ୍କ ନାଁରେ ବେଶ୍ ଚର୍ଚ୍ଚାରେ ଅଛନ୍ତି ଦୌପଦୀ ।

କାହିଁକି ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ଏବେ ଓଡ଼ିଶା ରାଜ୍ୟ । ଦ୍ୱୀତିୟରେ ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ମହିଳା । ଜଣେ ଆଦିବାସୀ ମହିଳା ଏହି ଦୌଡ଼ରେ ରହିଲେ ହୁଏତ ବିରୋଧୀଙ୍କ ସମର୍ଥନ ମଧ୍ୟ ହାସଲ ହୋଇପାରିବ ।