ଟ୍ରମ୍ପଙ୍କ ମୁହଁରେ ମୋଦିଙ୍କ ପ୍ରଶଂସା…ଆରମ୍ଭରୁ ଶେଷ ଯାଏଁ ଆମେରିକା ରାଷ୍ଟ୍ରପତିଙ୍କ ପାଟିରୁ ସରିଲାନି ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା: କହିଲେ, ମୋଦି ହେଉଛନ୍ତି ମହାନ, ଗୁଜୁରାଟର ଏହି ଚା’ବାଲା ଏବେ ରଚିଚାଲିଛନ୍ତି ଇତିହାସ

642

କନକ ବ୍ୟୁରୋ: ଦୁଇ ଦିନିଆ ଭାରତ ଗସ୍ତରେ ଆସଥିବା ଆମେରିକା ରାଷ୍ଟ୍ରପତି ଆଜି ସକାଳେ ଗୁଜୁରାଟର ଅହମ୍ମଦାବାଦରେ ପହଂଚିଛନ୍ତି । ଆଉ ବିମାନ ବନ୍ଦରରେ ପହଂଚିବା ପରେ ଖୋଦ୍ ଦେଶର ପ୍ରଧାନମନ୍ତ୍ରୀ ତାଙ୍କୁ ଆଲିଙ୍ଗନ କରି ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ଟ୍ରମ୍ପଙ୍କ ସହ ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ଏବଂ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଅହମ୍ମଦାବାଦର ସାବରମତି ଆଶ୍ରମ ବୁଲିବା ସହ ଏଠାରେ ଥିବା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଳ ଅର୍ପଣ କରିଥିଲେ । ଏବଂ ଏହାପରେ ମୋଟେରା ଷ୍ଟାଡିୟମରେ ଆୟୋଜିତ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ତେବେ ମୋଟେରା ଷ୍ଟାଡିୟମରେ ମଧ୍ୟ ଟ୍ରମ୍ପଙ୍କ ଆତିଥ୍ୟରେ କୌଣସି ପ୍ରକାରର ଅବହେଳା ମଧ୍ୟ କରାଯାଇନଥିଲା । ରୋଡ ସୋରୁ ଆରମ୍ଭ କରି ମଂଚକୁ ଗଲା ପର୍ଯ୍ୟନ୍ତ ବିଭିନ୍ନ ପାରମ୍ପରିକ ବାଦ୍ୟ ଯନ୍ତ୍ରରେ ଟ୍ରମ୍ପ ପରିବାରଙ୍କୁ କରାଯାଇଥିଲା ସ୍ୱାଗତ । ଯାହାକୁ ଦେଖି ଖୁସିରେ ପାଗଳ ହୋଇଯାଇଥିଲେ ଟ୍ରମ୍ପ ଏବଂ ତାଙ୍କ ପରିବାର । ତେବେ ମୋଟେରା ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ ଅଭିଭାଷଣ ଦେଇ ଡୋନାଲ୍ଡ ଟ୍ରମ୍ପଙ୍କର ସ୍ୱାଗତ କରିଥିଲେ ।

ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନମସ୍ତେ କହି ନିଜର ଅଭିଭାଷଣ କରିବା ସହ ସଭା ଆରମ୍ଭରୁ ସଭା ଶେଷ ହେବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଭୁରି ଭୁରି ପ୍ରଶଂସା କରିଚାଲିଥିଲେ । ମୋଦିଙ୍କୁ ତାଙ୍କର ଜଣେ ଭଲ ବନ୍ଧୁ କହିବା ସହ ଭାରତ ଆସିବା ତାଙ୍କ ପାଇଁ ଏକ ଗର୍ବର କଥା ବୋଲି କହିଛନ୍ତି ଟ୍ରମ୍ପ । ଖାଲି ଏତିକି ନୁହେଁ ଟ୍ରମ୍ପ କହିଛନ୍ତି ଯେ, ନରେନ୍ଦ୍ର ମୋଦି ହେଉଛନ୍ତି ଜଣେ ଚାମ୍ପିୟନ, ଯିଏକି ଭାରତକୁ ବିକାଶ ଦିଗରେ ଆଗେଇ ନେଉଛନ୍ତି । ମୋଦି ହେଉଛନ୍ତି ମହାନ, ତାଙ୍କର ନୀତି ଆଦର୍ଶ ବି ମହାନ । ସେଥିପାଇଁ ତାଙ୍କୁ ଲୋକେ ଭଲ ପାଉଛନ୍ତି ଆଉ ଶାସନ ଗାଦିରେ ବସାଇଛନ୍ତି । ଆମେରିକା ହେଉଛି ହିନ୍ଦୁସ୍ତାନର ବନ୍ଧୁ । ଆମେରିକା ହିନ୍ଦୁସ୍ତାନର ସମ୍ମାନ କରେ । ଟ୍ରମ୍ପ ନିଜ ଅଭିଭାଷଣରେ କହିଛନ୍ତି ଯେ, ୫ ମାସ ତଳେ ଆମେରିକା ପ୍ରଧାନମନ୍ତ୍ରୀ ମୋଦିଙ୍କର ସ୍ୱାଗତ କରିଥିଲେ ଆଉ ଆଜି ହିନ୍ଦୁସ୍ତାନ ଆମର ସ୍ୱାଗତ କରୁଛି । ଯାହା ଆମ ପାଇଁ ବଡ ଖୁସିର କଥା । ଆଜି ଆମେ ବିଶ୍ୱର ସବୁଠାରୁ ବଡ କ୍ରିକେଟ୍ ଷ୍ଟାଡିୟମରେ ଅଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମର ଭବ୍ୟ ସ୍ୱାଗତ କରିଛନ୍ତି । ଆଜିଠୁ ଭାରତ ଆମ ପାଇଁ ସବୁଠାରୁ ଖାସ୍ ବନ୍ଧୁ ହେବ ।

ଡୋନାଲ୍ଡ ଟ୍ରମ୍ପ ଆହୁରୀ ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ନିଜ ଜୀବନରେ ବହୁତ ପରିଶ୍ରମ କରିଛନ୍ତି । ବହୁତ କଷ୍ଟ ସହିଛନ୍ତି । ଆଉ ଜୀବନର ଆରମ୍ଭ ଜଣେ ଚା’ବାଲାରୁ ଆରମ୍ଭ କରିଛନ୍ତି । ସେ ନିଜ ବାପାଙ୍କ ଚା ଦୋକାନରେ କାମ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଜି ପ୍ରତିଟି ବ୍ୟକ୍ତି ଭଲ ପାଉଛନ୍ତି । ହେଲେ ସେ ବହୁତ ମହାନ । ଆଉ ତାଙ୍କର ଏହି ମହାନତା ପାଇଁ ଆଜି ସେ ହିନ୍ଦୁସ୍ତାନର ସବୁଠୁ ପ୍ରମୁଖ ନେତା ଭାବେ ପରିଗଣିତ ହୋଇଛନ୍ତି ବୋଲି ନିଜ ଅଭିଭାଷଣରେ କହିଛନ୍ତି ଟ୍ରମ୍ପ ।