ଡାକ୍ତରଙ୍କ ମଣିଷ ପଣିଆ ! ବଲାଙ୍ଗୀରର ଗୁଡ଼ଭେଲାର ଡାକ୍ତର ଲଲାଟେନ୍ଦୁ ନିଜ ଖର୍ଚ୍ଚରେ ଗର୍ଭବତୀଙ୍କୁ ବାଂଟୁଛନ୍ତି ପୁଷ୍ଟିକର ଖାଦ୍ୟ

30

ରୋଗୀଙ୍କ ପାଇଁ ଡାକ୍ତରମାନେ ଚଳନ୍ତି ଭଗବାନ ସଦୃଶ । ସେମାନଙ୍କ ଯୋଗୁଁ ମୃତ୍ୟୁ ମୁଖରେ ପଡ଼ିଥିବା ଲୋକେ ମଧ୍ୟ ନୂଆ ଜୀବନ ପାଉଛନ୍ତି । ତେବେ ବର୍ତ୍ତମାନର ଡାକ୍ତରମାନେ ଟଙ୍କା ଲୋଭରେ ଲୋକଙ୍କ ସେବା କରିବା ପରିବର୍ତ୍ତେ ତାଙ୍କ ପେଶାକୁ ବ୍ୟବସାୟରେ ପରିଣତ କରିଦେଇଛନ୍ତି । ତଥାପି ଦୁନିଆରେ ଏମିତି ଅନେକ ଡାକ୍ତର ଅଛନ୍ତି ଯେଉଁମାନେ ଟଙ୍କା ନୁହେଁ ଲୋକ ସେବାକୁ ଅଗ୍ରାଧିକାର ଦିଅନ୍ତି । ଏପରି ଜଣେ ଡାକ୍ତର ହେଲେ ଲଲାଟେନ୍ଦୁ ନାୟକ ।

ଲଲାଟେନ୍ଦୁ ନାୟକଙ୍କ ମହାନତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଡାକ୍ତର ଜଣଙ୍କ ନିଜ ଖର୍ଚ୍ଚରେ ୮ ମାସ ହେଲା ଗର୍ଭବତୀଙ୍କୁ ପୁଷ୍ଟିକର ଖାଦ୍ୟ ବାଣ୍ଟୁଛନ୍ତି । ଲଲାଟେନ୍ଦୁ ନାୟକ, ବଲାଙ୍ଗୀରର ଗୁଡ଼ଭେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ବଲାଙ୍ଗୀର ଜିଲ୍ଲାର ନିହାତି ପଛୁଆ ବ୍ଲକ୍‌ ହେଉଛି ଗୁଡ଼ଭେଲା । କିଛି ମାସ ତଳେ ଏହି ବ୍ଲକ୍‌ ଅନ୍ତର୍ଗତ ଗଭାରସା ଗ୍ରାମର ଜଣେ ଶିଶୁ କୁପୋଷଣର ଶିକାର ହେବା ଘଟଣା ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଥିଲା ।  ଗର୍ଭାବସ୍ଥାରେ ସୁଷମ ଖାଦ୍ୟର ଅଭାବ ଯୋଗୁଁ ଏଭଳି ଘଟଣା ଘଟିଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା । ଜିଲ୍ଲାପାଳ ଏହି ଗ୍ରାମକୁ ଆସିବା ସହ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ନିର୍ଦେଶ ଦେଇଥିଲେ।  ଲଲାଟେନ୍ଦୁ ନାୟକ ଡାକ୍ତର ହିସାବରେ ନୁହେଁ, ଜଣେ ମଣିଷ ହିସାବରେ ଏହି ପରିସ୍ଥିତିକୁ ହୃଦୟଙ୍ଗମ କରିଛନ୍ତି । ନିଜ ଖର୍ଚ୍ଚରେ ଗର୍ଭବତୀ ମହିଳାଙ୍କୁ ହରଡ଼ ଡାଲି, ତିଆସି ଚଣା, ସୋୟାବିନ ବଢ଼ି ଆଦି ଯୋଗାଇ ଦେଉଛନ୍ତି ।

ଡାକ୍ତର । ଲଲାଟେନ୍ଦୁ ନାୟକ କହିଛନ୍ତି ଯେ, ‘ଏଠାରେ ଆର୍ଥିକ ସ୍ୱଚ୍ଛଳ ନ ଥିବା ପରିବାରେ ଏହାର ହାର ଅଧିକ। ଗର୍ଭାବସ୍ଥାରେ ସୁଷମ ଖାଦ୍ୟ ହିଁ ଏସବୁ ସମସ୍ୟା ସମାଧାନର ଏକ ମାତ୍ର ଉପାୟ। ଏସବୁ ଘଟଣା ମୋତେ ବିବ୍ରତ କରିଥିଲା । ତେଣୁ ନିଜେ ଟଙ୍କା ଖର୍ଚ୍ଚ କରି ଗର୍ଭବତୀଙ୍କୁ ପୁଷ୍ଟିସାର ଖାଦ୍ୟ ଯୋଗାଇ ଦେବାକୁ ମୁଁ ନିଷ୍ପତ୍ତି ନେଲି।’ ଗତ ଆଠ ମାସ ହେଲା ଏହି ପ୍ରକ୍ରିୟା ଚାଲିଛି । ଏହି ସମୟ ମଧ୍ୟରେ ଗୁଡ଼ଭେଲା ବ୍ଲକ ଅଞ୍ଚଳରେ ମାତୃ ଶିଶୁ ମୃତ୍ୟୁ ଘଟଣା ଘଟିନାହିଁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ କେବଳ ଆଶ୍ୱସ୍ତ ନୁହନ୍ତି, ଡାକ୍ତର ନାୟକ ପ୍ରଶଂସାରେ ବି ସେମାନେ ଶତମୁଖ ।