କେନ୍ଦ୍ରାପଡ଼ା ରାଜନୈତିକ ବାତାବରଣ ଉଷ୍ମ ! ବୈଜୟନ୍ତଙ୍କ ବିରୋଧରେ ଅସନ୍ତୁଷ୍ଟ ବିଜେପି କର୍ମୀଙ୍କ ମେଳି,ଅଡ଼ୁଆରେ ସାଂସଦ ପ୍ରାର୍ଥୀ 

577

କନକ ବ୍ୟୁରୋ : କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ତଳୀର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ତା ଗୋଟିଏ ପଟେ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ କିନ୍ତୁ ବିଜେପି ଅସନ୍ତୁଷ୍ଟଙ୍କ ମେଳି ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ବିଭିନ୍ନ ସ୍ଥାନରେ ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ କରାଯାଉଥିବା ବେଳେ ମୂଳ ବିଜେପି କର୍ମୀମାନେ ଏକାଠି ହୋଇ ବୈୟଜନ୍ତଙ୍କୁ ବିରୋଧ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ମହାକାଳପଡା ନିର୍ବାଚନ ମଣ୍ତଳୀରୁ ବିଜୟ କୁମାର ପ୍ରଧାନଙ୍କୁ ବିଜେପିର ବିଧାୟକ ପ୍ରାର୍ଥୀ କରାଯିବା ପରେ ବୈଜୟନ୍ତଙ୍କ ବିରୁଦ୍ଧରେ ଦଳ ମଧ୍ୟରେ କର୍ମୀମାନେ ସ୍ବର ଉତ୍ତୋଳନ କରିବା ଆରମ୍ଭ କରିଛନ୍ତି। ବିଜେପି କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ଏହାର ପ୍ରତିବାଦ କରିଛନ୍ତି । ଗତକାଲି ମହାକାଳପଡା ନିର୍ବାଚନ ମଣ୍ତଳୀର ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀ ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ସୂଚନାଯୋଗ୍ୟ ବିଜେପି ପକ୍ଷରୁ ମହାକାଳପଡାରେ ଟିକେଟ ଦୌଡରେ ବରିଷ୍ଠ ବିଜେପି ନେତା ଭୂବନ ମୋହନ ଜେନା ଆଗରେ ଥିଲେ । ମାତ୍ର ଦଳର ସଂଗଠନ ସହ ଥିବା ନେତା ଓ ସଂଗଠକଙ୍କ ପରିବର୍ତ୍ତେ ବିଭିନ୍ନ ସମୟରେ ବାରମ୍ବାର ଦଳ ବଦଳ କରିଥିବା ନେତାଙ୍କୁ ଦଳ ପ୍ରାର୍ଥୀ କରିଛି । ବୈଜୟନ୍ତଙ୍କୁ ନେଇ ଜିଲ୍ଲାରେ ପୁରୁଣା କର୍ମୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି । ଏହାକୁ ନେଇ ମହାକାଳପଡାରେ ଦଳରେ କନ୍ଦଳ ଉଗ୍ରରୂପ ଧାରଣ କରିଛି । ଚଳିତ ବର୍ଷ କେନ୍ଦ୍ରାପଡ଼ା ବୈଜୟନ୍ତଙ୍କ ପାଇଁ ସହଜ ହେବନି କେନ୍ଦ୍ରାପଡ଼ା ବିଜୟ । ଆଗାମୀ ଦିନରେ ବିଦ୍ରୋହ ଅଧିକ ତ୍ରୀବ ହେବାର ଆଶଙ୍କା କରାଯାଉଛି ।

ବୈଜୟନ୍ତଙ୍କର ନିର୍ବାଚନମଣ୍ତଳୀରେ ନିଜର ସ୍ବତନ୍ତ୍ର ପତିଆରା ରହିଛି । ବୈଜୟନ୍ତଙ୍କ ବିରୁଦ୍ଧରେ ବିଜେଡି ରାଜ୍ୟସଭା ସାଂସଦ ତଥା ଓଡିଆ ଚଳଚିତ୍ରର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ବରିଷ୍ଠ ଆଇନଜୀବି ଧରଣୀଧର ନାୟକଙ୍କୁ ରିପିଟ କରିଛି। ଏଭଳି ସ୍ଥିତିରେ ବିଜେପିରେ ବୈଜୟନ୍ତଙ୍କ ବିରୁଦ୍ଧରେ ଦଳୀୟ କର୍ମୀ ଏକଜୁଟ ହେବା ଘଟଣା ରାଜନୈତିକ ବାତାବରଣକୁ ଉଷ୍ମ କରିଛି । ବୈଜୟନ୍ତ ପ୍ରଥମେ ଦଳ ଭିତରର ବିଦ୍ରୋହକୁ କିଭଳି ମୁକାବିଲା କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।