ଭିିମସାର ନିର୍ଦ୍ଦେଶକଙ୍କ ଷ୍ଟିଙ୍ଗ୍ ଅପରେସନ୍ ! ଧରାପଡିଲେ ଡାକ୍ତର, ସରକାରଙ୍କଠୁ ଦରମା ନେଇ ଘରୋଇ ନର୍ସିଂହୋମରେ ସେବା

20

କନକ ବ୍ୟୁରୋ : ଷ୍ଟିଙ୍ଗ୍ ଅପରେସନରେ ଧରାପଡିଲା ଡାକ୍ତରଙ୍କ ସତ । ସରକାରଙ୍କଠୁ ମୋଟା ଅଙ୍କର ଦରମା ନେଇ ଅଧିକ ରୋଜଗାର ଲୋଭରେ କିଭଳି ଘରୋଇ ନର୍ସିଂହୋମରେ କାମ କରୁଥିଲେ ଡାକ୍ତର ତାର ପର୍ଦ୍ଦାଫାସ କଲେ ଖୋଦ୍ ନିର୍ଦ୍ଦେଶକ । ଏଭଳି ଚାଂଚଲ୍ୟକର ଖବର ଆସିଛି ସମ୍ବଲପୁର ଭିମସାରରୁ । ବୁର୍ଲା ମେଡିକାଲ କଲେଜର ଡାକ୍ତର ଡ୍ୟୁଟି ସମୟରେ ଘରୋଇ କ୍ଲିନିକରେ କାମ କରୁଥିବାବେଳେ ଧରାପଡିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଧରା ପଡିବା ସମୟରେ ଡାକ୍ତରଙ୍କ ପ୍ରତିକ୍ରିୟାକୁ ନିଜ ମୋବାଇଲରେ କଏଦ୍ କରିଛନ୍ତି ନିର୍ଦ୍ଦେଶକ । ଏବେ ଦେଖିବାର କଥା ଦାୟିତ୍ୱରେ ଖିଲାପ କରିଥିବା ଏହି ଡାକ୍ତରଙ୍କ ବିରୋଧରେ କିପ୍ରକାର କାର୍ଯ୍ୟାନୁଷ୍ଠାବ ହେଉଛି ।

ବୁର୍ଲା ମେଡିକାଲ କଲେଜ ରେଡିଓଲୋଜି ବିଭାଗର ସିନିୟର୍ ଆସୋସିଏଟ୍ ପ୍ରଫେସର୍ ବ୍ରଜ ବିହାରୀ ପଣ୍ଡା । ଡ୍ୟୁଟି ସମୟରେ ହସ୍ପିଟାଲ୍ ଛାଡି ବୁର୍ଲାରେ ଥିବା ଏକ ଘରୋଇ ନର୍ସିଂହୋମ- ରୋହିଣୀ ଡାଇଗ୍ନୋଷ୍ଟିକ ସେଂଟରରେ ଅଲଟ୍ରା ସାଉଣ୍ଡ୍ କରୁଥିଲେ । ଭିମସାର ନିର୍ଦ୍ଦେଶକ ଅଶ୍ୱୀନି ପୂଜାରି ତାଙ୍କୁ ଫୋନ୍ କରିବାରୁ ସେ ବଜାରରେ ଥିବା କହିଥିଲେ । ହେଲେ ଡାକ୍ତର ଜଣକ ଏହି ଘରୋଇ ନର୍ସିଂହୋମରେ ଥିବା ଖବର ପାଇ ଖୋଦ ନିର୍ଦ୍ଦେଶକ ସେଠାକୁ ଗସ୍ତ କରିଥିଲେ । ଆଉ ସେହି ସମୟର ପ୍ରତିକ୍ରିୟାକୁ ନିଜ ମୋବାଇଲରେ କଏଦ୍ କରିଥିଲେ ନିର୍ଦ୍ଦେଶକ ।

ରାଜ୍ୟର ଅନ୍ୟତମ ବଡ ମେଡିକାଲ ବୁର୍ଲା ମେଡିକାଲ କଲେଜ । ପ୍ରତିଦିନ ହଜାର ହଜାର ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସନ୍ତି । ବିଭିନ୍ନ ଜଟିଳ ରୋଗ ନିଦାନ ପାଇଁ ଆବଶ୍ୟକ ହୁଏ ନାନାଦି ପ୍ରକାର ଟେଷ୍ଟ । ହେଲେ ଏହି ସରକାରୀ ହସ୍ପିଟାଲର ରେଡିଓଲୋଜି ବିଭାଗର ଡାକ୍ତର ନିଜ ଡ୍ୟୁଟି ସମୟରେ ଘରୋଇ ନର୍ସିଂହୋମରେ କରୁଛନ୍ତି ପରୀକ୍ଷା । ଯାହା ସବୁଠାରୁ ବଡ ବିଡମ୍ବନା । ଦାୟିତ୍ୱରେ ଏଭଳି ଖିଲାପି ପାଇଁ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବା ଉଚିତ ନୁହେଁ କି?