ଦିଲ୍ଲୀପ ମିଶ୍ରଙ୍କ ସିବିଆଇ ଜେରା ପରେ ରାଜନୀତି ଜୋର : ବିଜେଡିର ବହୁ ନେତା -ମନ୍ତ୍ରୀ ଚିଟଫଣ୍ଡ ଦୁର୍ନୀତିରେ ସଂପୃକ୍ତ ଥିବା ବିଜେପିର ଅଭିଯୋଗ

26

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ସିବିଆଇ ନିକଟରେ ହାଜର ହେଲେ ଦିଲ୍ଲୀପ ମିଶ୍ର । ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ପଲିଟିକାଲ ପି.ଏ ଦିଲ୍ଲୀପ ମିଶ୍ର । ସିସୋର ଓ ଏଟି ଲିଙ୍କ୍ ନେଇ ତାଙ୍କୁ ପଚରାଉଚରା କରାଯାଇଥିବା ସୂଚନା ମିଳିଛି । ସିବିଆଇ ଜେରା ପରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀପ ମିଶ୍ର । ସେ କହିଛନ୍ତି- ପ୍ରଭାତ ତ୍ରିପାଠୀ ମୋତେ ଫସାଇ ଦେଇଛନ୍ତି । ପ୍ରଭାତ ସିବିଆରେ ଅଭିଯୋଗ ଆଣିବା ପରେ ତାଙ୍କୁ ଡକରା ହୋଇଥିବା ସେ କହିଛନ୍ତି । ଆସନ୍ତା ସୋମବାର ପୁଣି ଥରେ ସେ ସିବିଆଇ ନିକଟରେ ହାଜର ହେବେ ବୋଲି ଦିଲ୍ଲୀପ ମିଶ୍ର କହିଛନ୍ତି । ଜମିର କାଗଜପତ୍ର ଏବଂ ବିଭିନ୍ନ ବ୍ୟାଙ୍କ ଆକାଉଂଟ ନେଇ ବ୍ୟାଙ୍କରେ ହାଜର ହେବେ । ସେପଟେ ଦିଲ୍ଲୀପ ମିଶ୍ରଙ୍କ ସିବିଆଇ ଜେରା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ । ସିବିଆଇ ଜେରା ବେଳେ ସେ ଦିଲ୍ଲୀପଙ୍କ ନାଁ କହିନାହାନ୍ତି ବୋଲି କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ପ୍ରଭାତ କହିଛନ୍ତି। ।

ଦିଲ୍ଲୀପ ମିଶ୍ରଙ୍କ ସିବିଆଇ ଜେରା ପରେ ଆରମ୍ଭ ହୋଇଛି ରାଜନୀତି । ବିଜେଡିର ବହୁ ନେତା, ମନ୍ତ୍ରୀ ଓ କର୍ମକର୍ତା ଚିଟଫଣ୍ଡ କେଳେଙ୍କାରୀ ସଂପୃକ୍ତ ରହିଥିବା ସ୍ପଷ୍ଟ ବୋଲି ବିଜେପି କହିଛି । ସେପଟେ ବିଜେଡି ମୁଖପାତ୍ର ପ୍ରତିକ୍ରିୟାରେ କହିଛନ୍ତି, ଆଇନକୁ ଦଳ ସମ୍ମାନ ଦିଏ ।