ଢେଙ୍କାନାଳ ସେଲଟର ହୋମରେ ଝୁଲିଲା ତାଲା । ଅନ୍ତେବାସୀଙ୍କୁ ଜିଲ୍ଲା ପ୍ରଶାସନର ସ୍ଥାନାନ୍ତର

ଅସଦାଚରଣ ଓ ନିର୍ଯାତନା ପରେ କାର୍ଯ୍ୟାନୁଷ୍ଠାନ

107

କନକ ବ୍ୟୁରୋ: ବନ୍ଦ ହେଲା ଢେଙ୍କାନାଳ ସ୍ଥିତ ଗୁଡନ୍ୟୁଜ ଡ୍ରିମ ହାଉସର ସେଲଟର ହୋମ । ବେଲଟିକିରିର ଏହି ସେଲଟର ହୋମରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଲା ପକାଯାଇଛି । ଏହାର ଅନ୍ତେବାସୀ ଓ କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଇଛି । ଏହି ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ପୁଲିସ ଉପସ୍ଥିତ ରହିଥିଲେ । ସେମାନଙ୍କୁ ସରକାରୀ ସ୍ୱୀକୃତି ପ୍ରାପ୍ତ ସେଲଟର ହୋମକୁ ସ୍ଥାନାନ୍ତର କରାଯାଇଛି ।

ସେଲଟର ହୋମରେ ଅନ୍ତେବାସୀଙ୍କୁ ଅସଦାଚରଣ କରାଯାଉଥିବା ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ରାଜ୍ୟର ସମସ୍ତ ବେଆଇନ ସେଲଟର ହୋମକୁ ବନ୍ଦ କରାଯିବ ବୋଲି କହିଥିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ଏହା ସହ ସରକାରଙ୍କ ନିର୍ଦ୍ଦେଶରେ ବେଲଟିକିରି ସ୍ଥିତ ସେଲଟର ହୋମକୁ ତାଲା ପକାଇ ଦିଆଯାଇଛି ।

ସେପଟେ ଗତକାଲି ରାତିରେ ପୁରୀ ପେଂଠକଟାରେ ଥିବା ଗୁଡ୍ ନ୍ୟୁଜ୍ ଇଣ୍ଡିଆ ସେଲଟର ହୋମରେ ଚଢାଉ ହୋଇଛି । ଡିସିପିଓ ଓ ସିଡବ୍ଳୁସିଙ୍କ ସହ ୪ ଜଣିଆ ଟିମ୍ ସେଲଟର ହୋମରେ ପଶି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେଲଟର ହୋମର ଅନ୍ତେବାସୀ କିଭଳି ସ୍ଥିତିରେ ଅଛନ୍ତି, ସେମାନଙ୍କ କେମିତି ଧ୍ୟାନ ରଖୁଛନ୍ତି ସେଲଟର ହୋମ ମୁଖ୍ୟ ସେନେଇ ଛାନଭିନ୍ କରିଛନ୍ତି ଏହି ୪ ଜଣିଆ ଟିମ୍ ।