ଆଜି ବିଜେପିର ମିଶନ କେନ୍ଦ୍ରାପଡା ! ସଭା ପୂର୍ବରୁ ଧର୍ମେନ୍ଦ୍ରଙ୍କ ଫଟୋ ଥିବା ପୋଷ୍ଟର ଚିରିଲେ ଓ ପୋଡିଲେ ଦୁର୍ବୃତ୍ତ

28

କନକ ବ୍ୟୁରୋ : ଜୋର ଧରିଛି ମିଶ୍ରଣ ରାଜନୀତି । ନିଜ ଦଳ ଛାଡ଼ି ଅନ୍ୟ ଦଳରେ ନିଜର ଭାଗ୍ୟ ପରିବା ପାଇଁ ଅଂଟା ଭିଡୁଛନ୍ତି ନେତା । ଆଗାମୀ ନିର୍ବାଚନରେ ଲୋକଙ୍କ ବିଶ୍ୱାସ ଭାଜନ ହେବା ପାଇଁ ବିଜୟ ସଂଭାବନା ଦେଖୁଥିବା ଦଳରେ ସାମିଲ ହେଉଛନ୍ତି । ଆଜି କେନ୍ଦ୍ରାପଡାରେ ବିଡେପିର ମିଶ୍ରଣ ପର୍ବ ହେବ । ଏଥିପାଇଁ କେନ୍ଦ୍ରାପଡାରେ ସଭାର ଆୟୋଜନ କରାଯାଇଛି ।

ଦିନ ୧୨ଟାରେ ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହେବ । କେନ୍ଦ୍ରାପଡାରେ ଏନସିପି ନେତା ଉତ୍କଳ କେଶରୀ ପରିଡା ଆଜି ବିଜେପିର ଯୋଗଦେବେ । ଏହା ପୂର୍ବରୁ କେନ୍ଦ୍ରାପଡାରେ ନରେନ୍ଦ୍ର ମୋଦି ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଥାଇ ଲାଗିଥିବା ପୋଷ୍ଟରକୁ କେହି ଦୁର୍ବୃତ୍ତ ଚିରିଦେଇଛନ୍ତି ।

କେନ୍ଦ୍ରପଡାର ଇଭିନିଙ୍ଗ କଲେଜ ଓ ପୁରୁଣା ବସଷ୍ଟାଣ୍ଡରେ ଦୁର୍ବୃତ୍ତ ଏହି କାଣ୍ଡ କରିଛନ୍ତି । ପୁରୁଣା ବସଷ୍ଟାଣ୍ଡ ଫାଣ୍ଡି ସମ୍ମୁଖରେ ହୋଇଥିବା ଗେଟରେ କେହି ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ସଭାକୁ ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଡକାଯାଇନଥିବାରୁ ଏହାକୁ ନେଇ ବିବାଦ ଲାଗି ରହିଛି ।