ଧସେଇ ପଶିଲେ ଧର୍ମେନ୍ଦ୍ର ! ପ୍ରଶାସନର ଫତୁଆକୁ ଖାତିର୍ କଲେନି କେନ୍ଦ୍ରମନ୍ତ୍ରୀ

52

ଢେଙ୍କାନାଳ : ସ୍କୁଲ୍ କାର୍ଯ୍ୟକ୍ରମକୁ ନେଇ ରାଜନୈତିକ ଲଢେଇ । ଆଜି ଢେଙ୍କାନାଳ କାଣ୍ଡବିନ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଛୋଟ ଛୋଟ ପିଲାଙ୍କ କାର୍ଯ୍ୟକ୍ରମରେ ରାଜନୀତି ପୁରାଇବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

ଏହା ହେଉଛି ସ୍ଥାନୀୟ ସାଂସଦଙ୍କ ହୀନ ଚକ୍ରାନ୍ତ ଏବଂ ତାଙ୍କ କଥାରେ ବିଚରା ଜିଲ୍ଲାପାଳ ବିଭିନ୍ନ କଟକଣା କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ କୌଣସି ପ୍ରଶାସନିକ ଅଧିକାରୀ ନଥିଲେ । ଏପରିକି ସଭାସ୍ଥଳରେ ମଧ୍ୟ ବିଦ୍ୟାଳୟର କୌଣସି ଶିକ୍ଷକ ଯୋଗ ଦେଇନାହାନ୍ତି ।

ତାଙ୍କ ଉପସ୍ଥିତି ଯୋଗୁଁ ପିଲାଙ୍କ କାର୍ଯ୍ୟକ୍ରମରେ ସମସ୍ୟା ସୃଷ୍ଟି ହୋଇଥିବାରୁ ଦୁଃଖ ପ୍ରକାଶ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବରୁ ଜିଲ୍ଲା ପ୍ରଶାସନର ବିନା ଅନୁମତିର ସ୍କୁଲ କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀଙ୍କୁ ଡକାଯିବାକୁ ନେଇ କ୍ଷୁବ୍ଧ ହୋଇଥିଲେ ଜିଲ୍ଲାପାଳ । ଏପରିକି ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିବା ଶିକ୍ଷୟିତ୍ରୀଙ୍କୁ ବଦଳି ମଧ୍ୟ କରାଯାଇଥିଲା ।

ସେପଟେ ସ୍କୁଲ କ୍ୟାମ୍ପସରେ ଶତବାର୍ଷିକୀ ପାଳନ ନହୋଇ ଗାଁ ପଡିଆରେ ଆରମ୍ଭ ହୋଇଛି ଉତ୍ସବ । ଏପଟେ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ହାତବାରିଶି ସାଜିଥିବା ଅଭିଯୋଗ କରିଛି ବିଜେପି । ବିରୋଧୀ ଦଳ ପ୍ରତି ଆତଙ୍କିତ ହୋଇ ସରକାର ଏଭଳି ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି ।