ଭଙ୍ଗା କୋଠାରେ ଚାଲିଛି ପିଲାଙ୍କ ପାଠପଢା ! ମରାମତି ଅଭାବ, ଛାତ ଗଳି ପଡିବାର ଆଶଙ୍କା

93

କନକ ବ୍ୟୁରୋ : ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ପିଲାଙ୍କ ଭବିଷ୍ୟତରେ ଯେପରି ଆଂଚ ନଆସି ସେନେଇ ସବୁବେଳେ ସରକାର ପ୍ରୟାସ କରୁଛନ୍ତି । କିନ୍ତୁ ବିଭିନ୍ନ ଯୋଜନା ସତ୍ୱେ ରାଜ୍ୟର ବିଭିନ୍ନ ଅଂଚଳରେ ଏବେ ବି ପିଲାମାନେ ପାଠପଢ଼ିବାର ମୌଳିକ ସୁବିଧାର ବଂଚିତ ହେଉଛନ୍ତି । ଯଦିବା ପାଠପଢ଼ୁଛନ୍ତି ତାହାବି ବିପଦସଙ୍କୁଳ ଅବସ୍ଥାରେ । କେଉଁଠି ଭଙ୍ଗା ଘରେ ତ କେଉଁଠି ଅଙ୍ଗନୱାଡ଼ି ଗୃହରେ ପିଲାମାନେ ପାଠ ପଢ଼ୁଛନ୍ତି ।

ଭଙ୍ଗା କୋଠାରେ ଚାଲିଛି ପିଲାଙ୍କ ପାଠ ପଢା । ଛାତରୁ ସିମେଂଟ ଖସୁଥିବା କୋଠରୀରେ ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ । ଏପରି କିଛି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପିପଲ ଝାପର ପ୍ରାଥମିକ ବିଦ୍ୟାଳୟରେ । ମରାମତି ଅଭାବରୁ ବର୍ଷା ଦିନେ ଛାତରୁ ପାଣି ଗଳୁଛି, ଆଉ ଏବେ ଛାତରୁ ସିମେଂଟ ଅତଡା ଖସୁଛି । ସିମେଂଟ ଛାଡି ଲୁହା ରଡ ଦେଖାଯାଉଥିବାରୁ ଯେକୌଣସି ମୁହୂର୍ତ୍ତରେ ଛାତ ଗଳି ପଡିବା ଆଶଙ୍କା ବି ରହିଛି ।

ସେପଟେ  କାନ୍ଥଗୁଡିକ ମଧ୍ୟ ଫାଟି ଆଁ କଲାଣିି । ଧିରେଧିରେ ସ୍କୁଲ ଶ୍ରେଣୀଗୃହ ଗୁଡିକ ଜରାଜୀର୍ଣ୍ଣ ଆଡକୁ ମୁହାଁଉଛି, ହେଲେ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ସର୍ବଶିକ୍ଷା ଅଭିଯାନରେ ସ୍କୁଲଗୁଡିକର ଭିତିଭୁମି ସଜାଡିବାକୁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀମାନଙ୍କ ଅବହେଳାରୁ ଭଙ୍ଗା କୋଠାରେ ପିଲାଙ୍କ ପାଠ ପଢା ଚାଲିଛି ।