ଆଜି ବିମୁଦ୍ରାକରଣକୁ ପୂରିଲା ବର୍ଷେ : ପ୍ରତିବାଦରେ ବିରୋଧୀ ପାଳିବେ କଳା ଦିବସ

47

କନକ ବ୍ୟୁରୋ : ଆଜି ବିମୁଦ୍ରାୟନକୁ ଏକ ବର୍ଷ ପୁରଣ ହୋଇଛି । ବିମୁଦ୍ରାକରଣର ବର୍ଷ ପୂର୍ତିକୁ ବିରୋଧୀ କଳା ଦିବସ ଭାବେ ଆଜି ସାରା ଦେଶରେ ପାଳନ କରୁଛନ୍ତି । ଅନ୍ୟପଟେ ସମାନ୍ତରାଳ ଭାବେ ସରକାର ତରଫରୁ ଦେଶବ୍ୟାପୀ କଳା ଧନ ବିରୋଧୀ ଦିବସ ପାଳନ କରାଯାଉଛି । ନୋଟବନ୍ଦୀ ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡି ପଡିଛି ଓ ଏହା ଏକ ଅପରିମାଣଦର୍ଶ ନିଷ୍ପତି ବୋଲି ବିରୋଧୀ କହୁଛନ୍ତି  ।

ଅନ୍ୟପଟେ ଏହା ଦ୍ୱାରା ଦୁର୍ନୀତି, ଜାଲ ନୋଟ ଓ ଟେରରଫଣ୍ଡିଙ୍ଗ ଉପରେ ରୋକ ଲାଗି ପାରିଛି ବୋଲି ଦାବି କରୁଛନ୍ତି କେନ୍ଦ୍ର ସରକାର । ବିମୁଦ୍ରାକରଣକୁ ବିରୋଧ କରି କଂଗ୍ରେସ ସମେତ ଦେଶର ୧୭ଟି ପ୍ରମୁଖ ବିରୋଧୀଦଳ ଆଜି ପାଳନ କରୁଛନ୍ତି କଳାଦିବସ । ବିମୁଦ୍ରାକରଣକୁ ଦେଶର ସବୁଠୁ ବଡ ଦୁର୍ନୀତି ବୋଲି କହିଛନ୍ତି ବିରୋଧୀ । କେନ୍ଦ୍ର ବିରୋଧୀ ଭାବେ ଜଣାଶୁଣା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ବିମୁଦ୍ରାକରଣ ପ୍ରତିବାଦରେ ପାଦେ ଆଗେଇ ଯାଇ ନିଜ ଟୁଇଟର ଡିପିକୁ କଳା କରିବା ପାଇଁ ଆହ୍ୱାନ ଦେଇଛନ୍ତିି । ଅନ୍ୟପଟେ ଶେଷ ମୁହୂର୍ତରେ ବିମୁଦ୍ରାକରଣ ବର୍ଷପୂର୍ତିକୁ କଳାଦିବସ ପାଳନ କରିବା ଆନ୍ଦୋଳନରୁ ଓହରି ଯାଇଛି ତାମିଲନାଡୁର ଡିଏମକେ । ସୋମବାର ପ୍ରଧାନମନ୍ତ୍ରୀ ଡିଏମକେର ନେତା କରୁଣାନିଧିଙ୍କୁ ଭେଟିବା ପରେ ଦଳ ଏଭଳି ନିଷ୍ପତି ନେଇଛି ବୋଲି ଚର୍ଚ୍ଚା ହେଉଛି ।

ଗତବର୍ଷ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ରାତି ୮ଟାରେ ଏକ ଜରୁରୀ ଘୋଷଣା କରିଥିଲେ ।
୧ -ମଧ୍ୟ ରାତ୍ରିରୁ ସେହି ସମୟରେ ପ୍ରଚଳିତ ୫ଶହ ଓ ହଜାରେ ଟଙ୍କିଆ ନୋଟକୁ ଅଚଳ କରିଦିଆଗଲା
୨ -ପ୍ରଧାନମନ୍ତ୍ରୀ ସମ୍ବୋଧନରେ କହିଥିଲେ କଳାଧନକୁ ବାହାର କରିବା, ଜାଲ ନୋଟ, ଆତଙ୍କବାଦ ଓ ମାଓବାଦକୁ ପ୍ରତିହତ କରିବା, ଦୁର୍ନୀତି ଉପରେ ଲଗାମ ଲଗାଇବା ପାଇଁ ନୋଟବନ୍ଦୀ ଜରୁରୀ ହୋଇପଡିଛି ।
୩ -ବ୍ୟାଙ୍କରେ ଟଙ୍କା ବଦଳ କରିବା ପାଇଁ କେନ୍ଦ୍ର ସରକାର ଦେଶବାସୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
୪- ବିମୁଦ୍ରାକରଣ ପରେ ଦେଶରେ ଡିଜିଟାଲ କାରବାର ଓ କ୍ୟାସଲେସ ଲେଣଦେଣ ଉପରେ ଯୋର ଦିଆଯାଇଥିଲା ।
୫-ବ୍ୟାଙ୍କ ଓ ଏଟିଏମରୁ ଟଙ୍କା ଉଠାଣ ଉପରେ କଟକଣା ଲାଗୁ କରାଯାଇଥିଲା ।
୬-ବିମୁଦ୍ରାକରଣ ଯୋଗୁଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଶହେରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
୭-ଏହାପରେ ରିଜର୍ଭ ବ୍ୟାଙ୍କ ତରଫରୁ ବଜାରକୁ ନୂଆ ୫ ଶହ ଓ ୨ହଜାର ଟଙ୍କିଆ ନୋଟ ଛଡା ଯାଇଥିଲା
୮- ଏଟିଏମ ଓ ବ୍ୟାଙ୍କରୁ ଟଙ୍କା ଉଠାଣ କଟକଣା ହଟିବା ଓ ବଜାରକୁ ନୂଆ ନୋଟ ଆସିବା ପରେ ଏବେ ପୁଣି ନଗଦ କାରବାର ସୁଗମ ହୋଇଛି ।