ଗାଁରେ ପହଂଚି ପାରିଲାନି ଆମ୍ବୁଲାନ୍ସ : ଟ୍ରାକ୍ଟରରେ ଶିଶୁକନ୍ୟାକୁ ଜନ୍ମ ଦେଲେ ପ୍ରସୂତି

45

କନକ ବ୍ୟୁରୋ : ଗାଁରେ ପହଂଚି ପାରିଲାନି ଆମ୍ବୁଲାନ୍ସ । ଟ୍ରାକ୍ଟରରେ ଶିଶୁକନ୍ୟାକୁ ଜନ୍ମ ଦେଲେ ପ୍ରସୂତି । ଏମିତି ଏହି ରାସ୍ତା ନବରଙ୍ଗପୁର ଜିଲ୍ଲା ଥିପାପାଣି ଗାଁର । ସାଧାରଣ ଲୋକ ମଧ୍ୟ ଯାତାୟତ କରିବା ସମ୍ଭବ ନୁହେଁ । ବର୍ଷା ଦିନେ କାଦୁଅ ପଚପଚ୍ ରାସ୍ତା । ଗାଁର ଜଣେ ପ୍ରସୂତି ବେଲନ୍ତି ମାଝୀଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ପ୍ରଥମେ ୧୦୨ ଓ ପରେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ସ୍ଥାନୀୟ ଆଶାକର୍ମୀ । ଉମରକୋଟ ଥିପାପାଣି ଗାଁକୁ ଯିବା ବାଟରେ ପଡୁଛି ନଦୀ, ନାଳ ଓ ଏଭଳି କଚ୍ଚା ରାସ୍ତା । ତେଣୁ ଗାଁ ଭିତରକୁ ଯାଇ ପାରିନଥିଲା ଆମ୍ବୁଲାନ୍ସ । ଅଧା ବାଟରେ ଅପେକ୍ଷା କରି ରହିଥିଲା । ଆଉ ବେଲନ୍ତିଙ୍କ ପରିବାର ଅନ୍ୟ ଉପାୟ ନପାଇ ତାଙ୍କୁ ଏକ ଟ୍ରାକ୍ଟର ଯୋଗେ ହସ୍ପିଟାଲ ନେବାକୁ ଉଦ୍ୟମ କରିଥିଲେ ।

ହେଲେ ରାସ୍ତାରେ ହିଁ ଟ୍ରାକ୍ଟର ଡାଲାରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ମହିଳା ଜଣକ । ପରେ ଆମ୍ବୁଲାନ୍ସରେ ମାଆ ଓ ନବଜାତକୁ ଡାକ୍ତରଖାନା ନିଆଯାଇଥିଲା । ମାତୃ ଓ ଶିଶୁ ମୃତ୍ୟୁହାର ରୋକିବାକୁ ରହିଛି ରାଜ୍ୟ ସରକାରଙ୍କ ମାଗଣା ଆମ୍ବୁଲାନ୍ସ ଯୋଜନା ।

ହେଲେ ଗାଁକୁ ପକ୍କା ରାସ୍ତାଟିଏ ନଥିବାରୁ ପଂହଚି ପାରୁନି ଆମ୍ବୁଲାନ୍ସ । ଆଉ ଟ୍ରାକ୍ଟରରେ ଶିଶୁ ଜନ୍ମ କରୁଛନ୍ତି ମହିଳା । ଏଭଳି ସମ୍ବେଦନଶୀଳ ଘଟଣା, ଏସି ରୁମରେ ବସି ପ୍ରସ୍ତୁତ ହେଉଥିବା ସରକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –