ବାଇକରେ ଦିଲ୍ଲୀରୁ ଭୁବନେଶ୍ୱର ଅତିକ୍ରମ କଲେଣି ୧୫,୩୦୦ କିମି ! ବୟସ ଯେଉଁଠି ସାଜିନି ବାଧକ ।

56

କନକ ବ୍ୟୁରୋ : ସ୍ୱପ୍ନ ପୂରଣ କରିବା ପାଇଁ ବୟସ ନୁହେଁ ମନରେ ଆତ୍ମବିଶ୍ୱାସ ରହିବା ଆବଶ୍ୟକ । ସବୁବେଳେ ନିଜକୁ ଫିଟ୍ ରଖିବା ସହ ସ୍ୱାସ୍ଥ୍ୟପ୍ରତି ମଧ୍ୟ ଧ୍ୟାନ ରଖିବା ନିହାତି ଜରୁରୀ । ଜୀବନ ଅତ୍ୟନ୍ତ ମୂଲ୍ୟବାନ ଅଟେ । ତେଣୁ ଏହାର ଅର୍ଥକୁ ବୁଝିବା ସହ ଶରୀରକୁ ସବୁବେଳେ ସୁସ୍ଥ ଓ ସବଳ ରଖିବା ଅତ୍ୟନ୍ତ ଆବଶ୍ୟକ । ରାସ୍ତାରେ ଗାଡି ଚଳାଇବା ସମୟରେ ସର୍ବଦା ସକ୍ରୀୟ ରହିବା ଜରୁରୀ । ରାସ୍ତା ଗମନାଗମନ ପାଇଁ ହୋଇଥାଏ, ରେସିଂ ପାଇଁ ନୁହେଁ । ବାଇକ ଚଲାଇବା ସମୟରେ ସବୁବେଳେ ମୁଣ୍ଡରେ ହେଲମେଟ୍ ପିନ୍ଧିବା ନିହାତି ଆବଶ୍ୟକ । ଯୁବ ସମାଜ ଠାରୁ ଆରମ୍ଭ କରି ଛୋଟ ପିଲା ଏବଂ ବୃଦ୍ଧମାନଙ୍କୁ ମଧ୍ୟ ଏପରି ଅନେକ ସଚେତନତାର ବାର୍ତ୍ତା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ଶରତ ଶର୍ମା । ୬୦ ବର୍ଷ ବୟସରେ ସମାଜକୁ ସଚେତନ କରିବା ପାଇଁ ଆରମ୍ଭ କରିଛନ୍ତି ଭାରତ ଭ୍ରମଣ ।

ଦୃଢ ମନୋବଳ ଏବଂ ଚିନ୍ତାଧାରା ଆଗରେ ହାର ମାନିଛି ବୟସ । ମନରେ ଭରି ରହିଛି ଅନେକ ଆତ୍ମବିଶ୍ୱାସ । ଜୀବନର ଶେଷ ଇନିଂସରେ ସେ ଆପଣେଇଛନ୍ତି ଏକ ନିଆରା ଚିନ୍ତାଧାରା । ଗୋଟିଏ ଲକ୍ଷ୍ୟ, ଜୀବନକୁ ଉପଭୋଗ କରିବା ପାଇଁ ସମସ୍ତଙ୍କୁ ଦେବେ ବାର୍ତ୍ତା । ବାସ୍ ଏତିକି ଲକ୍ଷ୍ୟ ନେଇ ବାଇକରେ ଆରମ୍ଭ କରିଦେଇଛନ୍ତି ଭାରତ ଭ୍ରମଣ । ଏପର୍ଯ୍ୟନ୍ତ ନିଜର ରୟାଲ ଏନଫିଲ୍ଡ ବାଇକରେ ମୋଟ ୧୫,୩୦୦ କିଲୋମିଟର ଯାତ୍ରା ଶେଷ କରିସାରିଥିବା ବେଳେ ଆଗକୁ ଆହୁରି ଅନେକ ବାଟ ଯିବାର ଯୋଜନା ରହିଛି । ମୋଟ ୨୯ଟି ରାଜ୍ୟ ସମେତ ୭ଟି କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ଭୂଟାନ ଗସ୍ତ କରି ଲୋକମାନଙ୍କୁ ସେ ଦେବେ ସଚେତନତାର ବାର୍ତ୍ତା ।

ଚଳିତ ବର୍ଷ ମାର୍ଚ୍ଚ ମାସ ୧୮ ତାରିଖରୁ ରାଜଧାନୀ ଦିଲ୍ଲୀ ଠାରୁ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ ଦିଲ୍ଲୀ ଟାଇମ୍ସ ଅଫ୍ ଇଣ୍ଡିଆର ପୂର୍ବତନ ସମ୍ପାଦକ ଶରତ ଶର୍ମା । ୪ଟି କେନ୍ଦ୍ର ଶାସିତ ଅଞ୍ଚଳ ସମେତ ୧୫ଟି ରାଜ୍ୟ ପରିଭ୍ରମଣ କରିସାରିବା ପରେ ଏବେ ଆସି ପହଞ୍ଚିଛନ୍ତି ଓଡିଶାରେ । ହରିୟାଣା, ରାଜସ୍ଥାନ, ଗୁଜୁରାଟ, ଉତ୍ତରପ୍ରଦେଶ, ବିହାର, ସିକିମ୍, ଅରୁଣାଚଳପ୍ରଦେଶ, ଆସାମ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ମେଘାଳୟ, ପଶ୍ଚିମବଙ୍ଗ, ଝାରଖଣ୍ଡ ପରେ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଶରତ ଶର୍ମା । ଓଡିଶାରେ କୋଣାର୍କ, ପୁରୀ, ଚିଲିକା ଏବଂ ଗୋପାଳପୁର ଯିବା ପରେ କଟକ ଦେଇ ସମ୍ବଲପୁର ଯିବାର ଯୋଜନା ରଖିଛନ୍ତି । ଏବଂ ଏହା ପରେ ଛତିଶଗଡ ଦେଇ ସେ ପୁଣି ନିଜର ଯାତ୍ରା ଆରମ୍ଭ କରିବେ ।

ଶରତ ଶର୍ମାଙ୍କ କହିବା ଅନୁଯାୟୀ, ଜୀବନରେ ତିନୋଟି ଇନିଂସ ରହିଥାଏ । ପ୍ରଥମ ଇନିଂସ ପିଲାବେଳ ହୋଇଥିବା ବେଳେ, ଦ୍ୱିତୀୟ ଇନିଂସ ଯୁବ ଅବସ୍ଥା ଏବଂ ଶେଷ ଇନିଂସ ଚାକିରି ପରର ହୋଇଥାଏ । ତେବେ ଏହି ଇନିଂସ ଗୁଡିକରେ ସମସ୍ତଙ୍କ ପାଖରେ କିଛି ସାମାଜିକ ଦାୟିତ୍ୱ ରହିବା ଆବଶ୍ୟକ । ଶେଷ ଇନିଂସରେ ଜୀବନକୁ ଭଲ ଭାବେ ଉପଭେ୍ାଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି ରାସ୍ତାରେ ଗାଡି ଚଲାଉଥିବା ସମୟରେ ସଚେତନ ରହିବା ନିହାତି ଜରୁରୀ । ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ବାଇକର ଆବଶ୍ୟକ ହେଉ ନୁହଁ କି ରେସିଂ ପାଇଁ । ସର୍ବଦା ହେଲମେଟ୍ ପିନ୍ଧିବା ପାଇଁ ସେ ପରାମର୍ଶ ଦେବା ସହ ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର ନକରିବାକୁ ସେ ପରାମର୍ଶ ଦେଇଛନ୍ତି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶରତ ଶର୍ମା ତାଙ୍କ ନିଜ ଟଙ୍କାରେ ଲୋକମାନଙ୍କୁ ସଚେତନ କରିବା ପାଇଁ ବାଇକରେ ଭାରତଭ୍ରମଣ କରୁଛନ୍ତି । ଏଥିପାଇଁ ନା କିଏ ତାଙ୍କୁ ସହାୟତା ଯୋଗାଇଛି ନା କେହି ପ୍ରୋୟୋଜକ ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସେ ବାକି ୧୩ ରାଜ୍ୟ ଭ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ତାଙ୍କର ଏଭଳି ପ୍ରୟାସକୁ ଅନେକ ସ୍ଥାନରେ ପ୍ରଂଶସା କରିଯିବା ସହ ଶରତ ଶର୍ମାଙ୍କୁ ସମ୍ମାନିତ କରାଯାଇଛି ।