ଗୋଲାପୀ ଓଡିଶା ଗରିବ ଓଡିଶା ! ଦିଲ୍ଲୀ ପ୍ରବାସୀ ଓଡିଆ ସମ୍ମିଳନୀରେ ରାଜ୍ୟର ଦୁଇଟି ଭିନ୍ନ ଚିତ୍ର

76

କନକ ବ୍ୟୁରୋ : ଦିଲ୍ଲୀ ପ୍ରବାସୀ ଓଡିଆ ସମ୍ମିଳନୀରେ ଓଡିଶାର ଦୁଇଟି ଭିନ୍ନ ଚିତ୍ର । ଗୋଟିଏ ପଟେ ଓଡିଶାର ସଂଘର୍ଷର କାହାଣୀ ବଖାଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିପରି ୧୯୯୯ ମହାବାତ୍ୟା ପରଠାରୁ ନିଜର ସ୍ଥିତିକୁ ସୁଦୃଢ କରି ପାରିଛି ଓଡିଶା, ସେ ନେଇ ଉଦବୋଧନ ଦେଲେ । ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଆଗରେ ସୁବର୍ଣ୍ଣ ଯୁଗର ଗୋଲାପୀ ଓଡିଶା ଦେଲେ ନବୀନ ।

ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡିଶା ଥିଲା ନବୀନଙ୍କଠାରୁ ଓଲଟା । ଦେଶର ଗରିବତମ ରାଜ୍ୟ ଭାବେ ଓଡିଶାକୁ ଚିତ୍ରଣ କଲେ ଧର୍ମେନ୍ଦ୍ର । ଯେଉଁଠି ଓଡିଶାରେ ଉନ୍ନତିର ପର୍ଯ୍ୟାପ୍ତ ସୁବିଧା ରହିଛି, ସେଠାରେ ନଗଡା ଓ ଦାନ ମାଝୀର ଦାରିଦ୍ର୍ୟର କାହାଣୀ ସହ ମାଲକାନଗିରି ଶିଶୁ ମଡକ ବର୍ତ୍ତମାନର ଓଡିଶାକୁ ଏକ ସଙ୍ଗୀନ ଦିଗକୁ ଠେଲି ଦେଇଛି ବୋଲି ଅଭିଯୋଗ କଲେ ଧର୍ମେନ୍ଦ୍ର ।

ଦେଶର ରାଜଧାନୀ ଦିଲ୍ଲୀ, ଯେଉଁଠି ଯେ କେବଳ ଓଡିଆ ନଥିଲେ, ରାଷ୍ଟ୍ରପତିଙ୍କ ସମେତ ସାରା ଦେଶ ଶୁଣୁଥିଲା ଓଡିଶାର ଐତିହ୍ୟ, ପରମ୍ପରା ଓ ବିକାଶର ଗାଥା, ସେଠାରେ ଗରିବ ଓଡିଶାକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ହୀନ ରାଜନୀତିକୁ ଟାର୍ଗେଟ କରିଛି ବିଜୁ ଜନତା ଦଳ । ବିଜେପି ବି ରଖିଛି ଜବାବ୍ ।

ଦିଲ୍ଲୀ ଦରବାରରେ ଓଡିଆ ମନ୍ତ୍ରୀଙ୍କ ନକରାତ୍ମକ ଓଡିଶାର ଚିତ୍ରକୁ ଶୁଣିଲା ସାରା ଦେଶ । ଏକ ନମ୍ବର ସ୍ମାର୍ଟ ସିଟିର ବାହସ୍ଫୋଟ ମରୁଥିବା ଓଡିଶା କେଉଁଠି ନା କେଉଁଠି ମୁଣ୍ଡ ନୁଆଁଇଲା । ଉଦ୍ଦେଶ୍ୟ ଯାହା ହେଉ ନା କାହିଁକି, ବିକାଶ ଧାରାରେ ଥିବା ରାଜ୍ୟ ଯେଉଁଠି ବଡ ବଡ ଶିଳ୍ପପତି ପୁଂଜୀନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି, ସେଠାରେ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ଓଡିଶାକୁ ପାଦେ ପଛକୁ ଠେଲି ଦେଇଛି ବୋଲି ଚର୍ଚ୍ଚା ହେଉଛି ।