ଆଜି ହେବ ଅଣ୍ଡରୱର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ସମ୍ପତି ନିଲାମ ! ଘର, ହୋଟେଲ ଓ ଗେଷ୍ଟ ହାଉସ ହେବ କୋଟି କୋଟି ଟଙ୍କା

54

କନକ ବ୍ୟୁରୋ: ଆଜି ହେବ ଅଣ୍ଡରୱର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ସଂପତି ନିଲାମୀ । ମୁମ୍ବାଇରେ ଥିବା ଦାଉଦର ଅନେକ ଦାମୀ ସଂପତି ଆଜି ନିଲାମୀ କରାଯିବ । ଚର୍ଚ୍ଚଗେଟ୍ ଅଂଚଳରେ ଥିବା ଇଣ୍ଡିଆନ୍ ମର୍ଚ୍ଚାଂଟ୍ ଚାମ୍ବରରେ ଏହି ନିଲାମୀ ହେବ । ମହାରାଷ୍ଟ୍ର ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ଏହି ଦାଉଦର ସଂପତିକୁ ନିଲାମୀ କରାଯାଉଛି ।

ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡଜନେରୁ ଅଧିକ ଲୋକ ଏହି ନିଲାମୀରେ ଭାଗ ନେବାକୁ ଆବେଦନ କରିଛନ୍ତି । ପାକିସ୍ତାନରେ ଲୁଚିଥିବା ଭାରତର ମୋଷ୍ଟ ୱାଂଟେଡ୍ ଦାଉଦ୍ ଇବ୍ରାହିମ କସ୍କରର ଘର, ହୋଟେଲ ଓ ଗେଷ୍ଟହାଉସ ଭଳି ଦାମୀ ସଂପତିର ନିଲାମୀକୁ ନେଇ ମୁମ୍ବାଇରେ ଏକ ପ୍ରକାର ଗରମାଗରମ ପରିସ୍ଥିତି ରହିଥିବା ଜଣାପଡିଛି । ନିଲାମୀରେ ଭାଗ ନେବାକୁ ଇଚ୍ଛୁକ ବ୍ୟକ୍ତି, ଦିନ ୧୦ଟାରୁ ୧୨ ଟା ମଧ୍ୟରେ ବନ୍ଦ ଲଫାଫା ସହ ନିଜେ ଉପସ୍ଥିତ ହୋଇ ଇ-ନିଲାମୀରେ ଭାଗ ନେଇପାରିବେ ।

ଏବେ ନଜର ପକାନ୍ତୁ ଦାଉଦର ସଂପତି ଉପରେ । ଆଜି ନିଲାମ ହେବାକୁ ଥିବା ଦାଉଦ୍ ଇବ୍ରାହିମର ସଂପତି ତାଲିକା । ଏବଂ ସଂପତିର ଆରମ୍ଭ ନିଲାମୀ ମୂଲ୍ୟ । ମୁମ୍ବାଇସ୍ଥିତ ପାକମୋଡିଆ ଷ୍ଟ୍ରୀଟରେ ଥିବା ଡାମବରୱାଲା ବିଲ୍ଡିଂର ଆରମ୍ଭ ନିଲାମୀ ମୂଲ୍ୟ ରହିଛି ୧ କୋଟି ୫୫ ଲକ୍ଷ ୭୬ ହଜାର ଟଙ୍କା । ଏହା ସହ ପାକମୋଡିଆ ଷ୍ଟ୍ରୀଟ୍ ସ୍ଥିତ ହୋଟେଲ ରୋନକ ଅଫରୋଜକୁ ମଧ୍ୟ ନିଲାମୀ କରାଯିବ । ଯାହାର ଆରମ୍ଭ ନିଲାମୀ ମୂଲ୍ୟ ରହିଛି ୧ କୋଟି ୧୮ ଲକ୍ଷ ୬୩ ହଜାର ଟଙ୍କା । ସେହିପରି ପାକମୋଡିଆ ଷ୍ଟ୍ରୀଟ୍ରେ ଥିବା ଶବନମ୍ ଗେଷ୍ଟହାଉସକୁ ମଧ୍ୟ ନିଲାମୀ କରାଯିବ । ଯାହାର ଆରମ୍ଭ ନିଲାମୀ ମୂଲ୍ୟ ରହିଛି ୧ କୋଟି ୨୧ ଲକ୍ଷ ୪୩ ହଜାର ଟଙ୍କା ।