ଦାଉଦ ଇବ୍ରାହିମ ଫେରିବ ! କେନ୍ଦ୍ର ସରକାର-ଦାଉଦ ମଧ୍ୟରେ ଆଲୋଚନା ଜାରି

65

କନକ ବ୍ୟୁରୋ: ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ତଥା ମାଫିଆ ଡନ ଦାଉଦ ଇବ୍ରାହିମ ଭାରତ ଫେରିବାକୁ ଆଗ୍ରହୀ । ସେ ନିଜ ଶେଷ ଜୀବନ ଜନ୍ମଭୂମିରେ ବିତାଇବାକୁ ଚାହୁଁଛି । ଏନେଇ କେନ୍ଦ୍ର ସରକାରଙ୍କ ସହ ସେ ଆଲୋଚନା ଚଳାଇଛି । କିନ୍ତୁ ଦାଉଦକୁ ଭାରତ ଫେରାଇଆଣିଥିବା ବାହାବା ନେଇ ଆସନ୍ତା ସାଧାରଣ ନିର୍ବାଚନରେ ଫାଇଦା ଉଠାଇବାକୁ ବିଜେପିର ଲକ୍ଷ୍ୟ ରହିଛି ବୋଲି ଆଜି କହିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ ଥାକରେ ।

ଏଠାରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଥାକରେ କହିଲେ ଯେ, ଦାଉଦ ଏବେ ରୋଗଗ୍ରସ୍ତ ରହି ଦୁର୍ବଳ ହୋଇପଡ଼ିଛି । ଭାରତକୁ ଫେରି ଆତ୍ମୀୟସ୍ୱଜନଙ୍କ ମଧ୍ୟରେ ଶେଷ ଜୀବନ ବିତାଇବା ତା ଅନ୍ତିମ ଲକ୍ଷ୍ୟ । ଏଥିପାଇଁ ସେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ ସ୍ଥାପନ କରିଛି । ଉଭୟ ପକ୍ଷ ମଧ୍ୟରେ ଏନେଇ ଆଲୋଚନା ଜାରି ରହିଛି । ତେବେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଦାଉଦକୁ ଭାରତ ଆଣିବାକୁ ମୋଦି ସରକାରର ଯୋଜନା ରହିଛି । ଦାଉଦ ନିଜେ ଭାରତ ଆସିବାକୁ ଆଗ୍ରହ ପ୍ରକାଶ କରିଥିବାବେଳେ ତାକୁ ଭାରତକୁ ଆଣିଥିବା ପ୍ରଚାର କରି ଏଥିରୁ ନିର୍ବାଚନୀ ଫାଇଦା ଉଠାଇବାକୁ ବିଜେପି ଚାହୁଁଛି ବୋଲି ସେ କହିଥିଲେ ।

ରାଜ ଥାକରେଙ୍କ ଏହି ତଥ୍ୟର ସତ୍ୟତା ଜଣାପଡ଼ିନଥିଲେ ମଧ୍ୟ ଗତ ସପ୍ତାହରେ କେନ୍ଦ୍ର ବିଦେଶ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ କେରଳ ଗସ୍ତରେ ଥିବାବେଳେ ରହସ୍ୟଜନକ ସଙ୍କେତ ଦେଇଥିଲେ । ବ୍ରିଟେନରେ ଦାଉଦର ସମ୍ପତ୍ତି ବାଜ୍ୟାପ୍ତ ହୋଇଥିବା ନେଇ ସାମ୍ବାଦିକମାନଙ୍କ ପ୍ରଶ୍ନରେ ସେ ବହୁତ କିଛି ଘଟୁଛି, ‘ବିଲେଇକୁ ଆମ କବଜାରୁ ଖସିଯିବାକୁ ଦେବୁନାହିଁ’ ବୋଲି କହିଥିଲେ ।

ଦାଉଦ ୧୯୯୩ ମୁମ୍ବାଇ ବିସ୍ଫୋରଣର ମୁଖ୍ୟ ସଞ୍ଚାଳକ ଥିଲା । ଏହି ବିସ୍ଫୋରଣରେ ୨୫୭ ଜଣ ପ୍ରାଣ ହରାଇଥିଲେ । ଦାଉଦ ଭାରତରୁ ପଳାଇଯାଇ ପାକିସ୍ତାନରେ ଆଶ୍ରୟ ନେଇଛି । ସେ କରାଚିରେ ରହିଥିବା ନେଇ ଭାରତର ଦାବିକୁ ଜାତିସଂଘ ସ୍ୱୀକାର କରିଛି । କରାଚିରେ ତା’ର ୩ଟି ଠିକଣା ରହିଥିବା ବ୍ରିଟେନ ସରକାର କହିଛନ୍ତି ।