ବ୍ୟାପୁଛି ପ୍ରାଣଘାତୀ ଭାଇରସ । ସବୁ ଦେଶକୁ ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ, ଜାଣନ୍ତୁ କଣ ରହିଛି ଲକ୍ଷଣ?

5,521

ସାବଧାନ… । ବ୍ୟାପୁଛି ଭୟଙ୍କର ପ୍ରାଣଘାତୀ ଭାଇରସ । ଯାହାକୁ ନେଇ ପୂରା ବିଶ୍ୱ ଚିନ୍ତାରେ ପଡିଛି । ଏହି ଭାଇରସ କାରଣରୁ ଏବେ ପର୍ଯ୍ୟନ୍ତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ଏଯାଏଁ ସଂକ୍ରମିତ ହୋଇଛନ୍ତି । ଆଉ ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି । ଏହି ପ୍ରାଣଘାତି ଭାଇରସଟି ହେଉଛି କୋରୋନୋଭାଇରସ ।

ଚୀନର ବୁଆନ ସହରରେ ଏହି ଭାଇରସ କାରଣରୁ ନିମୋନିଆ ରୋଗ ବ୍ୟାପୁଛି । ତେବେ ସଂକ୍ରମିତ ୪୧ ଜଣଙ୍କ ସମ୍ପର୍କରେ ଆସିଥିବା ଡାକ୍ତର ଓ ଲୋକଙ୍କ ଉପରେ ନଜର ରଖାଯାଇଛି । ଏହି ଭାଇରସ ଠାରୁ ସତର୍କ ରହିବାକୁ ସମସ୍ତ ଦେଶକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି । ଖାସକରି ଥାଇଲାଣ୍ଡରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ କଡାକଡି ନଜର ରଖାଯାଇଛି । କାରଣ ଥାଇଲାଣ୍ଡର ଜଣେ ବ୍ୟକ୍ତି ମଧ୍ୟ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।

ଏହାପୂର୍ବରୁ ୨୦୦୩ରେ ଚୀନରେ ସାର୍ସ ନାମକ ଏକ ଭାଇରସ ଅନେକ ଜୀବନ ନେଇଥିଲା । ସାର୍ସ ଭାଇରସରେ ସଂକ୍ରମିତ ହୋଇ ପୂରା ବିଶ୍ୱରେ ୮୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଯେଉଁଥିରେ ୬୪୬ ଜଣ ରୋଗୀ ଚୀନର ଥିଲେ । ଚୀନର ବୁହାନରେ ଏବେ କୋରୋନୋଭାଇରସ ନିଜର ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛି । ଶୁଖିଲା କାଶ, ଜ୍ୱର ଓ ଥକି ପଡିବା ଏହି କୋରୋନୋଭାଇରସ ନିମୋନିଆର ଲକ୍ଷଣ । ଏପରିକି କିଛି କ୍ଷେତ୍ରରେ ନିଶ୍ୱାସ-ପ୍ରଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ ହୋଇଥାଏ । ସି-ଫୁଡ ଖାଉଥିବା ଲୋକଙ୍କ ଦେହରେ ଏଭଳି ଭାଇରସ ବ୍ୟାପୁଥିବା ଯାଞ୍ଚ ପରେ ଜଣାପଡିଛି । ତେଣୁ ବୁହାନରେ ଏବେ ସି-ଫୁଡ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ନୂଆବର୍ଷ ଆରମ୍ଭରୁ ଏହି ଭୟଙ୍କର ଭାଇରସ ବ୍ୟାପିଥିବାରୁ ବିଶ୍ୱର ଅନେକ ସ୍ଥାନକୁ ଏହି ଭାଇରସ ବ୍ୟାପିବାର ଆଶଙ୍କା ରହିଛି । କାରଣ ଚୀନରୁ ଅଧିକାଂଶ ବ୍ୟକ୍ତି ବାହାରକୁ ଛୁଟି ମନାଇବାକୁ ଯାଇଥିବା ବେଳେ ଚୀନକୁ ମଧ୍ୟ ଅନେକ ପର୍ଯ୍ୟଟକ ନୂଆବର୍ଷ ଛୁଟି କାଟିବାକୁ ଆସିଛନ୍ତି । ତେଣୁ ଏସିଆର ଅଧିକାଂଶ ଦେଶ ବୁହାନ ଓ ବ୍ୟାଙ୍କଙ୍କରୁ ଆସୁଥିବା ପର୍ଯ୍ୟଟକ ଉପରେ ବିମାନ ବନ୍ଦରରୁ ହିଁ ସତର୍କ ଦୃଷ୍ଟି ରଖିଛନ୍ତି । ଚୀନର ସମସ୍ତ ବିମାନ ବନ୍ଦରରେ ପ୍ରତିଟି ଲୋକର ବଡି ସ୍କାନିଂ କରାଯାଉଛି । ଯାହାଦ୍ୱାରା ଜଣା ପଡିଯାଉଛି ଯେ କିଏ ଏହି ଭାଇରସରେ ସଂକ୍ରମିତ ଅଛି ବୋଲି । ଆଉ ସେହି ଅନୁସାରେ ପ୍ରତିଷେଧକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।