ଅଥଳ ଜଳରାଶିରେ ଅସୁରକ୍ଷିତ ନୌକାଯାତ୍ରା! ଲାଇସେନ୍ସ ନାହିଁ କି ଫିଟନେସ୍ ସାର୍ଟିଫିକେଟ୍ ନାହିଁ, ଦଦରା ଡଙ୍ଗାରେ ୧୦ କିଲୋମିଟର ଜଳଯାତ୍ରା କରୁଛନ୍ତି ଲୋକେ

45

କନକ ବ୍ୟୁରୋ : ଯାତ୍ରୀ ପରିବହନ ପାଇଁ କ୍ଷମତା ଠାରୁ ଯଥେଷ୍ଟ ଅଧିକ ଯାତ୍ରୀ ନେଇ ନଦୀ ପାର ହେଉଛି ଡଙ୍ଗା । ବିପଦସଂକୁଳ ନୌଯାତ୍ରା ଦେଖିଲେ ଦେହ ଶିହିରି ଉଠିବ । କୌଣସି ସୁରକ୍ଷା ବ୍ୟବସ୍ଥା ନଥାଇ, ଲାଇସେନସ ନଥିବା ଡଙ୍ଗାରେ ଫେରିଘାଟରୁ ବେଧଡକ ଭାବେ ଚାଲିଛି ନୌକାଯାତ୍ରା । ଲୋକଙ୍କ ସହ ଡଙ୍ଗାରେ ଲଦା ହେଉଛି ଗଦା ଗଦା ସାଇକେଲ ଓ ମୋଟର ସାଇକେଲ । କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ଅଥଳ ଜଳରାଶିରେ ଦୀର୍ଘ ୧୦ କିଲୋମିଟର ପାର ହେଉଛନ୍ତି ଯାତ୍ରୀ ।

ଅଥଳ ଜଳରାଶିରେ ୧ ଘଂଟାର ବିପଦପୂର୍ଣ୍ଣ ଯାତ୍ରା । ଦଦରା ଡଙ୍ଗାରେ ଯାତ୍ରୀଙ୍କ ସମେତ ଗାଡି ମଟର ଧରି ୧୦ କିଲୋମିଟରର ଜଳଯାତ୍ରା । କେନ୍ଦ୍ରାପଡା ରାଜନଗର ବ୍ଲକ ବୈତରଣୀ ନଦୀ ତାଳଚୁଆ ଫେରିଘାଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ମଟର ଚାଳିତ ଡଙ୍ଗାର ଉଭୟ ପଟରେ ବସିଛନ୍ତି ଯାତ୍ରୀ । ବିଭିନ୍ନ କାମରେ ନଦୀ ପାର ହୋଇ ଭଦ୍ରକ ଯାଉଛନ୍ତି ଏମାନେ । ରାଜନଗର ବ୍ଲକର ତାଳଚୁଆ, ବାଘମାରି, କେରୁଆଁପାଳ, ରଂଗଣୀ, କୃଷ୍ଣନଗର ପ୍ରଭୃତି ପଂଚାୟତର ଲୋକ ବ୍ୟବସାୟିକ କାରବାର ପାଇଁ ଭଦ୍ରକ ଜିଲ୍ଲା ଉପରେ ନିର୍ଭର କରିଥାନ୍ତି । ହେଲେ ଦୁଇ ଜିଲ୍ଲା ମଝିରେ ବୈତରଣୀ ବହୁ ଥିବାରୁ ଏମିତି ବିପଦସଂକୁଳ ଅବସ୍ଥାରେ ନଦୀପାର ହୋଇଥାନ୍ତି ଯାତ୍ରୀ ।

ବୈତରଣୀ ନଦୀର କେନ୍ଦ୍ରାପଡା ତାଳଚୁଆ ଫେରିଘାଟରୁ କ୍ଷମତା ଠାରୁ ଅଧିକ ଯାତ୍ରୀ ଧରି ଡଙ୍ଗା ବାହାରି ଧାମରା ମୁହାଁଣ ଦେଇ ୧୦ କିଲୋମିଟର ଜଳପଥ ଅତିକ୍ରମ କରି ଭଦ୍ରକ କାରନାଳିରେ ପହଁଚିଥାଏ । ମାତ୍ର ମୁହାଁଣ ପାର କରି ଅନ୍ୟ ଏକ ଜିଲ୍ଲାରେ ଯାତ୍ରୀଙ୍କୁ ପହଁଚାଉଥିବା ଡଙ୍ଗାର ଲାଇସେନ୍ସ ନଥିବା ବେଳେ ଫିଟ୍ନେସ୍ ସାର୍ଟିଫିକେଟ୍ ବି ନାହିଁ । ଲାଇଫ ଜ୍ୟାକେଟ୍ କଥା ନଉଠାଇବା ଭଲ । ସେପଟେ କ୍ଷେତ୍ର ପରିଦର୍ଶନ କରି ସୁରକ୍ଷିତ ନୌକାଯାତ୍ରା ପାଇଁ ତାଗିଦ୍ କରିଥିବା କହିଛନ୍ତି ରାଜନଗର ବିଡିଓ ।

ହୀରାକୁଦ- ଚିଲିକା ଭଳି ଡଙ୍ଗାବୁଡି ଘଟଣା ପରେ ନୌକାଯାତ୍ରା ପାଇଁ ସରକାର ନିର୍ଦ୍ଦିଷ୍ଟ ଗାଇଡ୍ ଲାଇନ୍ ସ୍ଥିର କରିଛନ୍ତି । ହେଲେ ସରକାରୀ ଗାଇଡଲାଇନ୍ ଯେ, କେତେ କାର୍ଯ୍ୟକ୍ଷମ ତାହାର ସଦ୍ୟ ଉଦାହରଣ ହେଉଛି ରାଜନଗରର ଫେରିଘାଟ ।