ଦାନ ମାଝୀଙ୍କ ଜୀବନରେ ଏକ ନୂଆ ମୋଡ ! ନୂଆ ବାଇକ୍ କିଣିବା ପରେ ନିଜ ଗାଁରେ ମିଠା ବାଂଟିଲେ ଦାନ

52

କନକ ବ୍ୟୁରୋ :  ସେଇ ରାସ୍ତା, ସମାନ ମଣିଷ । ହେଲେ ବଦଳି ଯାଇଛି ଚିତ୍ର । ଯେଉଁ ରାସ୍ତାରେ ଦିନେ ସ୍ତ୍ରୀର ଶବ କାଂଧେଇ ଅତି ଦୟନୀୟ ଓ ଅସହାୟ ଭାବରେ ବାଟ ଚାଲୁଥିବା ଦାନ, ଆଜି ସେଇ ରାସ୍ତାରେ ଦୁଇ ଚକିଆ ଯାନର ସବାରୀ । ଯିଏ ଦିନେ ସ୍ତ୍ରୀର ବାହକ ସାଜି ଥିଲେ, ତାଙ୍କ ପାଇଁ ଆସି ଯାଇଛି ଆଧୁନିକ ବାହନ । ସାରା ଦୁନିଆର ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିବା ଦାନ ମାଝୀ ହୋଣ୍ଡା ସାଇନରେ ବସି ଘରକୁ ଯାଉଛନ୍ତି । ପଥ ଓ ପଥିକର ସଂପର୍କ ଭିତରେ ଯୋଡ଼ି ହୋଇ ଯାଇଛି ନୂଆ ସାଧନ ।

ଘରକୁ ନୂଆ ମୋଟର ସାଇକେଲ ଆସିବା ପରେ ମିଠା ବାଂଟି ଖୁସି ବନାଉଛନ୍ତି ଦାନ ମାଝୀ । ସେଲ୍ଫ ଷ୍ଟାର୍ଟ ମାରି ନୂଆ ଗାଡ଼ି ଶିଖିବାର ଉଦ୍ୟମ ବି କରୁଛନ୍ତି । ଦାନ ଅର୍ଥରେ ହେଉ ପଛକେ ଦାନ ମାଝୀଙ୍କ ପାଖକୁ ମୋଟର ସାଇକେଲ ସିନା ଆସିଗଲା, ହେଲେ ରାସ୍ତାର ଅବସ୍ଥା ସେଇ ସମାନ । ନିଜେ ସିନା ଅର୍ଥାଭାବରୁ ସ୍ତ୍ରୀ ଶବକୁ କାଂଧେଇବାକୁ ବାଧ୍ୟ ହୋଇଥିଲେ, ହେଲେ ଆଉ କେହି, ରୋଗୀଟିଏ ଗାଁରୁ ହସ୍ପିଟାଲରକୁ ନେବା ପାଇଁ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । କାହିଁକି ନା’ ତାଙ୍କ ମୋଟରସାଇକେଲ ବ୍ୟବହାର କରିପାରିବେ ବୋଲି କହିଛନ୍ତି ଦାନ ମାଝୀ ।

ମେଲଘରା ଗାଁର ଦାନ ମାଝୀ ଗାଁକୁ ବାଇକ୍ ଆସିଲା, ନୂଆ ଘର ବି ନିର୍ମାଣ ହେଉଛି । ଆଉ କିଛି ଦିନ ପରେ ଘର ବି ପ୍ରସ୍ତୁତ ହୋଇଯିବ ଏବଂ ନିଜେ ଗାଡ଼ି ଚଲେଇବା ବି ଶିଖିଯିବେ । ଆର୍ଥାତ୍ ଦାମ ମାଝୀ ନୂଆ ଘରେ ରହିବେ ଏବଂ ନୂଆ ବାଇକ୍ ଚଢ଼଼ିବେ । ହେଲେ ଇଏ କେବଳ ଦାନ ଓ ଅନୁକମ୍ପାର ପ୍ରତିଫଳନ । ଏହାକୁ ସ୍ୱାବଲମ୍ବି ଏବଂ ସଶକ୍ତିକରଣର ଚକ୍ଷୁରେ ଦେଖିଲେ ନିଶ୍ଚିତ ଭାବରେ ଭୁଲ ହିଁ ହେବ ।