ଅଭାବୀ ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି ଅନୁପ : ପ୍ରତିଦିନ ୫୦୦ଶହ ଲୋକଙ୍କ ପାଖରେ ପହଁଚାଉଛନ୍ତି ଖାଇବା

59

ନୋଏଡା : କୁହାଯାଏ ଜଣକୁ ଯଦି ତୁମେ ଖାଇବାକୁ ଦେଇ ସନ୍ତୁଷ୍ଟ କରିପାରିଲ , ତାହା ଏକ ମହତ କାମ ଅଟେ । କାରଣ ଭୋକିଲାକୁ ତୃପ୍ତ କଲେ ଈଶ୍ୱର ଆର୍ଶୀବାଦ ମିଳିଥାଏ । ଏହି ଛୋଟ ଛୋଟ ପ୍ରୟାସ ସମାଜରେ ଭଲ ପ୍ରଭାବ ପକାଇଥାଏ । ଦୟନୀୟ ଅବସ୍ଥାରେ ଖାଦ୍ୟ ପାଇଁ ସଂଘର୍ଷ କରୁଥିବା ଅଭାବୀ ଲୋକଙ୍କର ବହୁତ ଉପକାର ହୋଇଥାଏ । ଏମିତି କିଛି ଲୋକ ସମାଜରେ ଅଛନ୍ତି ଯେଉଁମାନେ ଏହି ଅଭାବୀ ଲୋକଙ୍କ ପାଇଁ ନିଜର ଶ୍ରମ ଓ ଅର୍ଥ ଦାନ କରିଥାନ୍ତି ।  ସେଇମାନଙ୍କ ମଧ୍ୟରେ ଜଣେ ହେଲେ ଦିଲ୍ଲୀର ନୋଏଡା ନିବାସୀ ତଥା ସାମାଜିକ କର୍ମୀ ଅନୁପ୍ ଖାନ୍ନା ।  ତାଙ୍କର ‘ଦାଦି କି ରଷୋଇ ’ ନାମକ ଏକ ଅଭିନବ ପ୍ରୟାସ ଖୁବ୍ ଲୋକପ୍ରିୟ ସାଜିଛି ।  ଏହା ମାଧ୍ୟମରେ ସେ  ଆଜିର ମହଙ୍ଗା ସମୟରେ ଅଭାବୀ ଲୋକଙ୍କୁ ୫ଟଙ୍କାରେ ଖାଇବା ଓ ୧୦ ଟଙ୍କାରେ ପିନ୍ଧିବାକୁ ପୋଷାକ ଯୋଗାଇଦେଉଛନ୍ତି । ଆଉ  ତାଙ୍କର ଏହି କାର୍ଯ୍ୟ ଯୋଗୁଁ ପାଖାପାଖି  ୫୦୦ ଲୋକ ପ୍ରତିଦିନ ହେଉଛନ୍ତି ଉପକୃତ ।

ବାପାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ସମାଜସେବା ଦିଗରେ ମନବଳାଇଥିଲେ ଅନୁପ୍ ।  ତାଙ୍କ ବାପା  ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ ।  ବୟସ ବଢିବା ସହ  ସମାଜ ପାଇଁ କିଛି କରିବାର ନିଶା ତାଙ୍କ ମନରେ ବସା ବାନ୍ଧିଲା ।   ଆଖପାଖରେ ଥିବା ଅଭାବୀ ଲୋକମାନଙ୍କର  ଅସହାୟତାକୁ ସେ ଦେଖି ବ୍ୟଥିତ ହେଉଥିଲେ ।  ସେମାନଙ୍କର  ଆବଶ୍ୟକତା ପୂରଣ କରିବା ପାଇଁ  କିଛି କରିବାକୁ ଚିନ୍ତା କଲେ ।  ଆଉ ଆରମ୍ଭ କଲେ ‘ଦାଦି କି ରଷୋଇ’ କାର୍ଯ୍ୟକ୍ରମ । ନିଜ ସଂଚିତ ଅର୍ଥରେ  ରୋଷେଇ କରିବା ନିମନ୍ତେ ଏକ ଘର ନିର୍ମାଣ କରିଥିଲେ ।  ରୋଷେଇ  କରିବା ପାଇଁ  ନିୟୋଜିତ  କରିବା ପାଇଁ ନିୟୋଜିତ  କରିଥିଲେ କିଛି କର୍ମଚାରୀଙ୍କୁ । ଆଉ  ଏସମସ୍ତ କାର୍ଯ୍ୟରେ ଅନୁପଙ୍କ ପରିବାର ଲୋକ ତାଙ୍କୁ ବହୁତ ସହାଯ୍ୟ ଓ ସମର୍ଥନ କରିଥିଲେ ।

ପ୍ରତିଦିନ ଦୁଇବେଳା  ରୋଷେଇ  କରି  ନୋଏଡାର ସେକ୍ଟର  ୧୭ ଓ ସେକ୍ଟର  ୨୯ରେ ଲୋକମାନଙ୍କୁ  ବାଣ୍ଟିବା ପାଇଁ ପହଁଚିଯାଇଥିଲେ  ସେ । ଧୀରେ ଧୀରେ ତାଙ୍କର  ଏହି ପ୍ରୟାସ  ପଚାରିତ ହୋଇଯାଇଥିଲା ଚାରିଆଡେ । ଆଉ ଲୋକଙ୍କ ସଂଖ୍ୟା ମଧ୍ୟ ବଢିଥିଲା ।  ଅନେକ ଲୋକ ହୋଇଥିଲେ ଉପକୃତ ।  ଅନୁପଙ୍କୁ  ସହଯୋଗ କରିବାକୁ ଯାଇ ଲୋକମାନେ ସେମାନଙ୍କର ସ୍ୱତନ୍ତ୍ର ଦିନମାନଙ୍କରେ ଭିନ୍ନ ଭିନ୍ନ  ଖାଦ୍ୟ ଯୋଗଇ ଦେଉଥିଲେ ।  ଏବେ ବି ଅନୁପଙ୍କ ଏହି ଧାରା ଜାରି ରହିଛି ।  ଦିନ ୧୦ଟାରୁ ୧୧.୩୦ ଯାଏ ସେକ୍ଟର ୧୭ରେ ଖାଦ୍ୟ  ବାଂଟିବା ସହ ମଧ୍ୟାହ୍ନ  ୧୨ଟାରୁ ୨ଟା ଯାଏ ସେକ୍ଟର ୨୯ରେ ବଂଟାଯାଉଛି ଖାଦ୍ୟ । ପ୍ରାୟ ୫୦୦ଲୋକଙ୍କ ପାଇଁ ପ୍ରତିଦିନ କରାଯାଉଛି ରୋଷେଇ ।

ଏହା ବ୍ୟତୀତ   ଅନୁପ୍  ଏକ ସଦଭାବନା ଷ୍ଟୋର ମଧ୍ୟ ଖୋଲିଛନ୍ତି ।  ଏହି ଷ୍ଟୋର ଆବଶ୍ୟକ ଥିବା ଲୋକମାନଙ୍କୁ ପୋଷାକ, ଜୋତା ଓ ବହି ମାତ୍ର ୧୦ ଟଙ୍କାରେ ଯୋଗାଇ ଦେଉଛି । ଏଥିପାଇଁ ମଧ୍ୟ ସେ  ଅନେକ ଲୋକଙ୍କର ସାହାଯ୍ୟ ପାଇଛନ୍ତି ।ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନାରେ ତାଲିକାଭୁକ୍ତ  ହୋଇଛନ୍ତି ଅନୁପ୍ । ନୋଏଡାରେ ପ୍ରଥମକରି  ଏକ ପ୍ରଧାନମନ୍ତ୍ରୀ ଜନ ଔଷଧ କେନ୍ଦ୍ର ଖୋଲିଛନ୍ତି ।  ଯେଉଁଠି ବି ଦୁର୍ଘଟଣାର ଖବର ପାଇବା ପରେ  ସଂଗେ ସଂଗେ ଘଟଣାସ୍ଥଳରେ ପହଁଚି ଯାଉଛନ୍ତି ସେ । ସାରା ଜୀବନ ଏହି  ସମାଜ ସେବାରେ ନିଜକୁ ବର୍ତ୍ତି କରିବାର ଅଭିପ୍ରାୟ ରଖିଛନ୍ତି ଅନୁପ ।

ଅନୁପଙ୍କର ଏଭଳି ମହତ ଉଦ୍ଦେଶ୍ୟ ଓ ପଦକ୍ଷେପକୁ ନେଇ ଆଜି ପାଲଟିଛନ୍ତି ପ୍ରଶଂସାର ପାତ୍ର । ଆଉ ଅଭାବୀ ଲୋକଙ୍କର ପ୍ରକୃତ ବନ୍ଧୁ ଭାବେ ଏକ ସ୍ୱତନ୍ତ୍ର ପରିଚତ ଦେଇଛନ୍ତି ସେ ।

(ସୌଜନ୍ୟ-ପତ୍ରିକା)