ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୫ ଜିଲ୍ଲାରେ ରେଡ ଆଲର୍ଟ । ଆଜି ସନ୍ଧ୍ୟାରୁ ବର୍ଷା, ପବନ ଆଶଙ୍କା । ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ । ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

59

କନକ ବ୍ୟୁରୋ: ପାଣିପାଗ ବିଭାଗର ଆକଳନ ଓ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଯେକୌଣସି ପରିସ୍ଥିିତିର ମୁକାବିଲା କରିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ । କୌଣସି ବି ଅଧିକାରୀ ଜିଲ୍ଲା ମୁଖ୍ୟାଳୟ ନଛାଡିବାକୁ କୁହାଯାଇଛି । ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲା କଂଟ୍ରୋଲ ରୁମକୁ ୨୪ଘଂଟା ଖୋଲା ରଖିବାକୁ କୁହାଯାଇଛି । ସ୍ଥିତି ଉପରେ କଡା ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ।

ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବାନୁଯାୟୀ ୧୦ ତାରିଖ ରାତି କିମ୍ବା ୧୧ ତାରିଖ ସକାଳ ସୁଦ୍ଧା ବାତ୍ୟା ଉପକୂଳ ଛୁଇଁବ। ଗୋପାଳପୁର ନିକଟରେ ଏହା ସ୍ଥଳ ଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ପ୍ରଭାବରେ ୧୦ ଓ ୧୧ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ। ପବନର ବେଗ ୬୦ରୁ ୮୦ କିମି ଭିତରେ ରହିବ। ଅତିବେଶିରେ ଶହେ କିମି ପର‌୍ୟ୍ୟନ୍ତ ହୋଇପାରେ। ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଯାହା ଜଣାପଡ଼ୁଛି ୧୦ ତାରିଖ ସକାଳ ସୁଦ୍ଧା ଅବପାତ ବାତ୍ୟାରେ ପରିଣତ ହେବ। ଏବେ ତାହା ଓଡ଼ିଶା ମୁହାଁ ହୋଇଛି। ୧୧ ତାରିଖ ସକାଳ ସୁଦ୍ଧା ଏହା ଗୋପାଳପୁର ଓ କଳିଙ୍ଗପଟନମ୍ ମଧ୍ୟରେ ସ୍ଥଳ ଭାଗ ନିକଟବର୍ତ୍ତି ହେବ। ତାହା ଆଭ୍ୟନ୍ତରୀଣ ଓଡ଼ିଶାକୁ ନ ଯାଇ କୂଳେ କୂଳେ ପୁରୀ, ପାରାଦୀପ, ବାଲେଶ୍ବର, କେନ୍ଦ୍ରାପଡ଼ା, ଆଦି ଜିଲ୍ଲା ସଂଲଗ୍ନରେ ଗତି କରି ପଶ୍ଚିମବଙ୍ଗ ଓ ବାଲାଂଦେଶ ଆଡକୁ ଅଗ୍ରସର ହେବ। ଏ କ୍ଷେତ୍ରରେ ବାତ୍ୟା ହେଲେ ସୁଦ୍ଧା ପବନର ବେଗ ୪୫ରୁ ୫୫ କିମି ଭିତରେ ରହିବ। କିନ୍ତୁ ଅଧିକ ବର୍ଷା ହେବ। ପୁରୀଠାରୁ ବାଲେଶ୍ବର ମଧ୍ୟରେ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଶ୍ରୀ ପଶୁପାଳକ ପୂର୍ବାନୁମାନ କରିଛନ୍ତି, ଯଦି ସମ୍ଭାବ୍ୟ ବାତ୍ୟା ଗୋପାଳପୁରର ଦକ୍ଷିଣରେ ଉପକୂଳ ସ୍ପର୍ଶ କରିବ ତେବେ ଗଜପତି ଜିଲ୍ଲାରେ ବର୍ଷା ହେବ। ୧୦ ଓ ୧୧ ତାରିଖ ସନ୍ଧ୍ୟା ପର‌୍ୟ୍ୟନ୍ତ ଭୁବନେଶ୍ବର, ୧୧ରୁ ୧୨ ତାରିଖ ସକାଳ ପର‌୍ୟ୍ୟନ୍ତ ବାଲେଶ୍ବରରେ ବର୍ଷାର ପ୍ରକୋପ ଅଧିକ ରହିବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ମଧ୍ୟ ହୋଇପାେର ଗଞ୍ଜାମ ଉପକୂଳ ନିକଟକୁ ଆସିବା ପରେ ବାତ୍ୟା ଦିଗ ପରିବର୍ତନ କରି ବାଲେଶ୍ବରଠାରୁ ଦୀଘା ମଧ୍ୟରେ ସ୍ଥଳ ଭାଗ ସ୍ପର୍ଶ କରିପାରେ। ତେବେ ବର୍ତମାନ ଜଣାପଡ଼ୁଛି ଯେ ବାତ୍ୟାଚକ୍ରର ଉତ୍ତର ପୂର୍ବ ଅଂଶ ଅଧିକ ସକ୍ରିୟ ରହିଛି। ତେଣୁ ବର୍ଷା ଅଧିକ ରହିବ। ତେବେ ମଙ୍ଗଳବାର ବାତ୍ୟାର ଚିତ୍ର ସ୍ପଷ୍ଟ ଜଣାପଡ଼ିବ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏବେଠାରୁ ସମସ୍ତ ବନ୍ଦରରେ ଏକ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ୧୦ ତାରିଖ ପର‌୍ୟ୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ନ ଯିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ୯ରୁ ୧୧ ତାରିଖ ପର‌୍ୟ୍ୟନ୍ତ ଉତ୍ତର ବଙ୍ଗୋପସାଗର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀ ସମୁଦ୍ରକୁ ନ ଯିବାକୁ କୁହାଯାଇଛି। ଯେଉଁମାନେ ସମୁଦ୍ରକୁ ଯାଇଛନ୍ତି ସେମାନେ ତୁରନ୍ତ ଫେରି ଆସିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

ରାଜ୍ୟ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ୭୨ ଘଣ୍ଟା ମଧ୍ୟରେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବାକୁ ଥିବାରୁ ସମସ୍ତ ଜିଲ୍ଲାପାଳ ସଜାଗ ରହିବାକୁ କୁହାଯାଇଛି। କୌଣସି ବି ଅଧିକାରୀ ଜିଲ୍ଲା ମୁଖ୍ୟାଳୟ ଛାଡ଼ି ନଯିବାକୁ ନିର୍ଦେଶ ଦିଆଯାଇଛି। ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ କରାଯାଇଛି। ଜିଲ୍ଲା କଣ୍ଟ୍ରୋଲ ରୁମ୍କୁ ୨୪ ଘଣ୍ଟା ଖୋଲା ରଖିବାକୁ କୁହାଯାଇଛି। ଏଥିସହ ସ୍ଥିତି ଉପରେ କଡ଼ା ନଜର ରଖିବାକୁ ରାଜସ୍ବ ଓ ବିପର‌୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିଦେର୍ଶ ଦିଆଯାଇଛି। ଏହି ବର୍ଷା କାରଣରୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସୁବର୍ଣ୍ଣରେଖା ସମେତ ବୁଢ଼ାବଳଙ୍ଗ, ବ୍ରାହ୍ମଣୀ, ବୈତରଣୀ, ମହାନଦୀ, ଋଷିକୂଲ୍ୟା, ବଂଶଧାରା, ନାଗାବଳୀ ନଦୀ ଅବବାହିକାରେ ଜଳସ୍ତର ବୃଦ୍ଧି ପାଇବ।