ଅଧା ଓଡ଼ିଶାକୁ ଘାଇଲା କରିବ ‘ତିତଲି’ । ଘଂଟା ପ୍ରତି ୧୦ କିଲୋମିଟର ବେଗରେ ମାଡି ଆସୁଛି ବାତ୍ୟା । କାଲି ସକାଳେ ଛୁଇଁବ ଓଡିଶା ଉପକୂଳ । ୧୦୦ରୁ ୧୨୫ କିଲୋମିଟର ବେଗରେ ପବନ ଆଶଙ୍କା

72

କନକ ବ୍ୟୁରୋ: ଆଉ ମାତ୍ର ୪୧୦ କିଲୋମିଟର ଦୂରରେ ରହିଛି ତିତଲି। ଘଣ୍ଟାକୁ ୧୦ କିଲୋମିଟର ବେଗରେ ଆଗଉଛି ଓଡ଼ିଶା ଉପକୂଳକୁ। ମଝିରେ ମଝିରେ ସ୍ଥିର ହୋଇ ଯାଉଛି। ସମୁଦ୍ର ଉପରେ ଯେତିକି ଅଟକୁଛି ସେତିକି ଅଧିକ ବଳ ଗୋଟାଇ କରାଳ ରୂପ ଧାରଣ କରୁଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ୍ (ଭୀଷଣ ଅବପାତ) ଗତକାଲିଠୁ ଅଧିକ ଘନୀଭୂତ ହୋଇ ଦୂର ସମୁଦ୍ରରେ ବାତ୍ୟା ରୂପ ନେବା ପରେ ଏମିତି ଢଙ୍ଗରେ ଭୀଷଣ ହେଉଛି ତିତଲି। ତିତଲି କେତେ ଉଗ୍ର ପ୍ରଦର୍ଶନ କରିବ, ସେ ନେଇ ପାଣିପାଗ ବିଜ୍ଞାନୀ ଏବେ ଠାରୁ ଚିତ୍ର ଆଙ୍କିଲେଣି।

ପାଣିପାଗ ବିଭାଗ ସୂଚନା ଅନୁସାରେ, ଆଜିଠୁ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହେବ। ଆସନ୍ତାକାଲିଠାରୁ ଏସବୁ ଜିଲ୍ଲା ବ୍ୟତୀତ ରାୟଗଡା, କୋରାପୁଟ,କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଖୋର୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବରରେ ଭୀଷଣ ବର୍ଷା ହେବ। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ୍ ଆର୍ ବିଶ୍ବାସଙ୍କ ସୂଚନାନୁସାରେ, ତିତଲି ଘଣ୍ଟା ପ୍ରତି ୧୦କିମି ବେଗରେ ଏବେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ମାଟି ଓ ଚାଳ ଘର ପ୍ରତି ବିପଦ ରହିଛି। ଏଥିସହ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ କେତେକ ସ୍ଥାନରେ ଉପୁଡ଼ିଯାଇପାରେ। ଆସନ୍ତା ୧୧ ତାରିଖ ସକାଳ ସୁଦ୍ଧା ଏହା ଓଡ଼ିଶା ଉପକୂଳ ଛୁଇଁବ। ଗତକାଲି ରାତିଠାରୁ ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଭାରତର ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ପୂର୍ବାନୁମାନ କହୁଛି, ଗତକାଲି ରାତିରୁ ଦକ୍ଷିଣ ଓଡ଼ିଶାରେ ଝିପି ଝିପି ବର୍ଷା େହବ। ଆଜି ସକାଳେ ବର୍ଷାର ପରିମାଣ ଧୀରେ ଧୀରେ ବଢିବ ଓ ପବନର ଗତି ମଧ୍ୟ। ପବନର ବେଗ ସର୍ବାଧିକ ୧୦୦ରୁ ୧୧୦ କିଲୋମିଟର ହୋଇପାରେ।

ଅନ୍ୟ ପାଣିପାଗ ବିଜ୍ଞାନୀଙ୍କ ମତ ହେଉଛି, ତିତଲିକୁ ସମୁଦ୍ରରେ ଭୀଷଣ ହେବା ପାଇଁ ଖୋରାକ ମିଳୁଛି। ସାମୁଦ୍ରିକ ତାପମାତ୍ରା ଅଧିକ ଥିବା କାରଣରୁ ଏହା ଶକ୍ତିଶାଳୀ ହେଉଛି। ଯାହା ସୂଚନା ମିଳୁଛି, ୧୧ ତାରିଖ ସକାଳ ୬ଟାରୁ ୧୦ଟା ମଧ୍ୟରେ ଏହା ଗୋପାଳପୁର ନିକଟରେ ସ୍ଥଳ ଭାଗ ଛୁଇଁବ। ସେତେବେଳକୁ ଏହା ସିଭିୟର ସାଇେକ୍ଲାନିକ୍ ଷ୍ଟର୍ମ ଅବସ୍ଥାରେ ହିଁ ଥିବ। ସ୍ଥଳଭାଗ ଛୁଇଁବା ପରେ ଏହାର ପ୍ରଭାବ କମିବ। ଏଣୁ କ୍ଷୟକ୍ଷତି ଟିକିଏ ଅଧିକ ହୋଇପାରେ। ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଉଛି, ଗୋପାଳପୁର ନିକଟରେ ପହଞ୍ଚିବା ବେଳକୁ ତିତଲି ପ୍ରକୋପ ଟିକିଏ କମି ବାତ୍ୟା ରୂପ ଧାରଣ କରିବ। ୧୧ ତାରିଖ ମଧ୍ୟାହ୍ନ ବେଳକୁ ଏହା ଗୋପାଳପୁରରେ ସ୍ଥଳଭାଗକୁ ସ୍ପର୍ଶ କରିବ। ପରେ ଏହା ୪ କିମି ବେଗରେ ଆଭ୍ୟନ୍ତରୀଣ ଉପକୂଳ ଆଡକୁ ଗତି କରିବା ସହିତ ୧୧ ତାରିଖ ରାତିରେ ଡିପ୍ ଡିପ୍ରେସନ୍ (ଭୀଷଣ ଅବପାତ) ଓ ୧୨ ତାରିଖରେ ଭୁବନେଶ୍ବର ନିକଟବର୍ତୀ ଅଞ୍ଚଳରେ ଅବପାତରେ ପରିଣତ ହୋଇଥିବ। ଏହାର ପ୍ରଭାବରେ ବଡ଼ ବର୍ଷା ହେବ। କ୍ରମଶଃ ଏହା ଉତ୍ତର ପୂର୍ବ ଆଡକୁ ଗତି କରିବ।