‘ପେଥାଇ’ ପାଇଁ ଆନ୍ଧ୍ର ଉପକୂଳରେ ହାଇଆଲର୍ଟ । ଏନଡିଆରଏଫ୍ ଓ ଅଗ୍ନିଶମ କର୍ମଚାରୀ ସଜାଗ, ଏପଟେ ଗଜପତିରେ ୧୧ହଜାର ଲୋକଙ୍କୁ ସ୍ଥାନାନ୍ତର କଲା ଜିଲ୍ଲା ପ୍ରଶାସନ

ଓଡିଶାର ୧୧ଟି ଜିଲ୍ଲାରେ ବର୍ଷା ଅନୁମାନ

289

କନକ ବ୍ୟୁରୋ: ବାତ୍ୟା ତିତଲି ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଗଜପତି ଜିଲ୍ଲାରେ ବର୍ଷାକୁ ନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ୧୭୪ଟି ଆଶ୍ରୟସ୍ଥଳକୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ସମ୍ବେଦନଶୀଳ ଅଂଚଳରୁ ୧୧ହଜାର ୬ଶହ ୫୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏହାସହ ପ୍ରଶାସନ ପକ୍ଷରୁ ୧୩ ହଜାର ୪ଶହ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।

ଆହୁରି ଅନେକ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳିକୁ ଯିବା ପାଇଁ ନିବେଦନ କରାଯାଇଛି । ବାତ୍ୟା ପେଥାଇ ପ୍ରଭାବରେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ଥିବା ଜିଲ୍ଲାପାଳ ଅନୁପ ସାହା କହିଛନ୍ତି । ଆଜି ଗଜପତିରେ ଶୀତୁଆ ପାଗ ରହିଥିବା ବେଳେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହୁଛି । ବର୍ଷା ନେଇ ଆକଳନ ହେବା ପରେ ଜମିରେ ଥିବା ଧାନକୁ ଅମଳ କରି ଘରକୁ ଆଣିବା ପାଇଁ ଚାଷୀ ଲାଗି ପଡିଛନ୍ତି ।

ଆନ୍ଧ୍ରକୁ ଆସୁଛି ପେଥାଇ । ତିତଲି ପରେ ଆଉ ଏକ ସାମୁଦ୍ରିକ ଝଡ ପେଥାଇ, ଆନ୍ଧ୍ର ମୁହାଁ ହୋଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍ ଷ୍ଟ୍ରମ୍ ଉତର ଓ ଉତର ପଶ୍ଚିମ ଦିଗରେ ଗତି କରୁଛି । ଆଜି ଅପରାହ୍ନରେ ଆନ୍ଧ୍ରପ୍ରଦେଶର ମଛଲିପଟନମ୍ ଏବଂ କାକିନାଡା ମଧ୍ୟରେ ବାତ୍ୟା ପେଥାଇ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଘଂଟା ପ୍ରତି ୨୩ କିଲୋମିର ବେଗରେ ଉପକୂଳ ମୁହାଁ ହୋଇଛି ବାତ୍ୟା । ଏବେ ଠାରୁ ଆନ୍ଧ୍ର କାକିନାଡା ଉପକୂଳରେ ସମୁଦ୍ର ଅଶାନ୍ତ ରହିଥିବା ଦେଖିବାକୁ ମିଳିଛି ।

ପ୍ରତିକୂଳ ପରିସ୍ଥିତ ଯୋଗୁଁ ସ୍ଥଳଭାଗ ଛୁଇଁବା ଆଗରୁ ଏହା ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି । ପେଥାଇ ସ୍ଥଳଭାଗ ଛୁଇଁବା ସମୟରେ ବର୍ଷା ପବନ ହୋଇପାରେ । ପ୍ରାୟ ୭୦ ରୁ ୮୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁ ଉପକୂଳରେ ହାଇଆର୍ଲଟ ଜାରି କରାଯାଇଛି । ଉପକୂଳବର୍ତି ଅଂଚଳର ବିଭିନ୍ନ ସ୍ଥାନରେ କୋଷ୍ଟ ଗାର୍ଡ ସମେତ ଏନଡିଆରଏଫ ଟିମ୍ ସଜାଗ ଅଛନ୍ତି । ଆନ୍ଧ୍ର ପ୍ରଦେଶ ବିପର୍ଯ୍ୟୟ ପ୍ରସମନ୍ ଟିମ୍ ଓ ଅଗ୍ନିଶମ୍ ବିଭାଗର ୧୬ଟି ଟିମ୍ ରାଜମହେନ୍ଦ୍ରଭରମରେ ସଜାଗ ଅଛନ୍ତି ।