ଭାରତ ଗସ୍ତରେ ସାଉଦି ଆରବ ରାଜକୁମାର । ମହମ୍ମଦ ବିନ ସଲମାନ ଓ ମୋଦିଙ୍କ ମଧ୍ୟରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା

ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ସାଉଦି ଆରବ ରାଜକୁମାର ମହମ୍ମଦ ବିନ୍ ସଲମାନ

109

କନକ ବ୍ୟୁରୋ : ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ସାଉଦି ଆରବ ରାଜକୁମାର ମହମ୍ମଦ ବିନ୍ ସଲମାନ । ସେ ପାକିସ୍ତାନରୁ ସିଧାସଳଖ ଭାରତ ଆସିଛନ୍ତି । ସଲମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଇନ୍ଦିରାଗାନ୍ଧି ଆନ୍ତର୍ଜାତିକ ବିମାନବନ୍ଦରରେ ସ୍ୱାଗତ କରିଥିଲେ । ଦକ୍ଷିଣ ଏସିଆ ଗସ୍ତରେ ଥିବା ସାଉଦି ରାଜକୁମାରଙ୍କ ଏହି ଗସ୍ତ ବର୍ତମାନ ସମୟରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏହି ଗସ୍ତ ସମୟରେ ସାଉଦି ରାଜକୁମାର ମୋଦିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବାର ଯୋଜନା ରହିଛି । ଭାରତ ତାଙ୍କ ସାମ୍ନାରେ ପାକିସ୍ତାନ ଦ୍ୱାରା ଭାରତରେ ହେଉଥିବା ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରସଙ୍ଗ ରଖିପାରେ ।

ସାଉଦି ଆରବ ଓ ପାକିସ୍ତାନ ଉଭୟେ ଭଲ ବନ୍ଧୁ । ଏହି କାରଣରୁ ପାକିସ୍ତାନ ସହ ସାଉଦିର ୨୦ଆରବ ଡଲାର ଚୁକ୍ତି ହୋଇଛି । ଭାରତ ଆସିବା ପୂର୍ବରୁ ପାକିସ୍ତାନ ଗସ୍ତରେ ଯାଇଥିଲେ ମହମ୍ମଦ ବିନ୍ ସଲମାନ । ତେଣୁ ଆତଙ୍କବାଦ ପ୍ରସଙ୍ଗରେ ସାଉଦି ରାଜକୁମାରଙ୍କ ଆଭିମୁଖ୍ୟ କଣ ରହୁଛି ତା ଉପରେ ସମସ୍ତଙ୍କ ନଜର ରହିଛି । ଏହାସହ ଭାରତର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ବିନ ସଲମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମିଳିଥିବା ସୂଚନା ଅନୁସାରେ ଭାରତ ସାଉଦି ଆରବ ସହ ଉତ୍ତମ ସମ୍ପର୍କ ରଖିବା ପାଇଁ ସବୁପ୍ରକାର ଚେଷ୍ଟା କରୁଛି । ଗତକାଲି ପ୍ରୋଟୋକଲ ଭାଙ୍ଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିବା ସୂଚନା ମିଳିଛି ।