ଚାଷକୁ ନେଇ ଚାଷୀ ପରିବାରରେ ଭାଳେଣୀ !  ଅମଳ ବେଳେ ଦାଉ ସାଧିଛି ପ୍ରାକୃତିକ ବିପର୍ଯ୍ୟୟ, ବର୍ଷା ଯୋଗୁଁ ହଜାର ହଜାର ହେକ୍ଟର ଜମିର ଫସଲ ନଷ୍ଟ

297

କନକ ବ୍ୟୁରୋ : ଚଳିତ ବର୍ଷ ଚାଷକୁ ନେଇ ଚାଷୀ ପରିବାରରେ ଭାଳେଣୀ ପଡିଛି । ଚାଷ ଆରମ୍ଭରୁ ସମସ୍ୟାରୁ ସମ୍ମୁଖୀନ ହେଉଥିବା ଚାଷୀ ଶେଷରେ ଅମଳ ବେଳେ ବି ପ୍ରାକୃତିକ ବିପର୍ଯ୍ୟୟର ଦାଉ ସହିଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ହଜାର ହଜାର ହେକ୍ଟର ଜମିର ଫସଲ ନଷ୍ଟ ହୋଇଛି । ବର୍ଷାରେ ଗଜା ହୋଇଯାଇଛି ପାଚିଲା ଧାନ ।

ଶୀତଦିନରେ ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ମୁହଁରୁ ହସ ଛଡେଇ ନେଇଛି ଲଘୁଚାପ ବର୍ଷା । ଗଞ୍ଜାମର ଚିକିଟି ବ୍ଲକର ରାମଚନ୍ଦ୍ରପୁର ଅଂଚଳରେ ବହୁ ଫସଲ ନଷ୍ଟ ହୋଇଥିବା ବେଳେ କ୍ଷୟକ୍ଷତିର ଆକଳନ କରିନି ପ୍ରଶାସନ । ଯାହାର ପ୍ରତିବାଦରେ ଚାଷୀ ଗଜା ଧାନକୁ ଧରି ରାଜରାସ୍ତାରେ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେହିଭଳି ରଙ୍ଗେଇଲୁଣ୍ଡା ବ୍ଲକର ଶହ ଶହ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇ ଯିବା ପରେ ଭାଙ୍ଗିଥିବା ଅଂଟାକୁ ସଳଖିବାକୁ ଚେଷ୍ଟ କରୁଛି ଚାଷୀ । ଆଶା ରଖିଛି ଏହି ଗଜା ଧାନରୁ କିଛି ଖୋଜି ବାହାର କରିବ ବର୍ଷକର ଆହାର ପାଇଁ ।

ସମଗ୍ର ରାଜ୍ୟରେ ଗୋଟିଏ ଦୃଶ୍ୟ । ଗତ ୧୮ ଓ ୧୯ ତାରିଖରେ ରାୟଗଡା ଜିଲ୍ଲା ଗୁଣୁପୁରରେ ପ୍ରବଳ ବର୍ଷିଥିଲା ଲଘୁଚାପ ବର୍ଷା । ବର୍ଷା ଓ ପବନ ଯୋଗୁଁ ଗଛରେ ଶୋଇ ଯାଇଛି ପାଚିଲା ଧାନ । ଧାନ ଗଛ ପାଣିରେ ଶୋଇ ରହିିଥିବା ବେଳେ ଗଛ ମୂଳ ସଢିବା ସହ ପାଚିଲା ଧାନ ଗଜା ହୋଇଗଲାଣି । ଗୁଣୁପୁରରେ ମୋଟ ୨୧ ହଜାର ୪୪୦ ହେକ୍ଟର ଜମିରେ ଚାଷୀ ଧାନ ଚାଷ କରିଥିବା ବେଳେ ୪ଶହ ହେକ୍ଟର ଜମିର ଧାନ ଖାଇଦେଇଥିଲା ଚକଡା ପୋକ । ତେବେ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଅଂଚଳରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି କୃଷି ଓ ରାଜସ୍ୱ ବିଭାଗର ମିଳତ ଟିମ୍ ।

ଅଦିନିଆ ଲଗାଣ ବର୍ଷା ଯୋଗୁଁ ଉତ୍ତର ବାଲେଶ୍ୱର ଜଳେଶ୍ୱର ଓ ଭୋଗରାଇ ବ୍ଲକର ପାଖାପାଖି ୩ ହଜାର ହେକ୍ଟର ଜମିରେ ନଷ୍ଟ ହୋଇଛି ପାଚିଲା ଧାନ । ବର୍ଷା ଯୋଗୁଁ ବ୍ୟାପକ କ୍ଷତି, ଚାଷି ମୁହଁରୁ ହସ ଛଡାଇ ନେଇଛି । ବର୍ଷା ପରେ ଜମିରେ ପାଣି ଜମି ରହିଥିବାରୁ ଧାନ କିପରି ଖଳାକୁ ଆଣିବେ ସେଥିପାଇଁ ଚିନ୍ତାରେ ପଡିଯାଇଛି ଚଷାପୁଅ । ଫସଲ ଉଜୁଡି ଯିବା ପରେ ଚାଷୀ କରଜ ସୁଝିବାକୁ ନେଇ ଚିନ୍ତାରେ ପଡିଥିବା ବେଳେ କ୍ଷୟକ୍ଷତି ଆକଳନ କରୁଛି କୃଷି ବିଭାଗ ।

ତେବେ ଏହାରି ଭିତରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଛି । ଆଉ ଏପରି ଘଟଣା ଘଟିଛି ସମ୍ବଲପୁରରେ । ଚକଡା ପୋଗ ଓ ଫସଲ ନଷ୍ଟ ଯୋଗୁଁ ରାସନପୁର ଗାଁର ଚାଷୀ କାହ୍ନୁ ମୁଣ୍ଡା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ନିଜଚାଷ ଜମିରେ କୀଟନାଶକ ପିଇ ଜୀବନ ହାରିଛନ୍ତି କାହ୍ନୁ । ମୃତ ଚାଷୀଙ୍କ ପରିବାରକୁ ଜିଲ୍ଲା ପ୍ରଶାସନିକ ଅଧିକାରୀ ଭେଟିଥିବା ଜଣାପଡିଛି । ତେବେ କାହ୍ନୁ ମୁଣ୍ଡା ଜଣେ ଭାଗଚାଷୀ । ସେ ନିଜର ୧ ଏକର ଜମି ଓ ନିଜ ବଡ ଭାଇର ୨ ଏକର ଜମି କୁ ଭାଗ ଚାଷ ଆକାରରେ ଚାଷ କରିଥିଲେ । ୨ ଏକର ଜମି ଚକଡା ପୋକ ଆକ୍ରାନ୍ତରେ ଫସଳ ନଷ୍ଟ ହୋଇଥିବା ବେଳେ ଚାଷ ପାଇଁ ପାଖ ଗାଁରୁ ଜଣେ ଅଣ ଓଡିଆ ଲୋକ ଔଷଧ, ବିହନ, ସାର ଉଧାରୀରେ ଯୋଗେଇ ଦେଇଥିବା ବେଳେ ସେ ୧୫ ହଜାରରୁ ଅଧିକ ଋଣ ଆଣିଥିଲେ । କିନ୍ତୁ ଫସଳ ନଷ୍ଟ ହୋଇଯିବାରୁ କିଛି ଦିନ ହେଲା ମାନସିକ ଚାପରେ ଥିଲେ କାହ୍ନୁ । ଗତକାଲି ଜମିରେ କୀଟନାଶକ ପିଇ ଘରକୁ ଆସିଥିବା ବେଳେ ଘରେ ମୁହଁରୁ ଫେଣ ବାହାରୁ ଥିବା ଦେଖି ପରିବାର ଲୋକେ ସଦର ମେଡିକାଲକୁ ଆଣିଥିଲେ । ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସୁନ୍ଦରଗଡରେ ମଧ୍ୟ ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି । ହେମଗିରି ବ୍ଲକ କୁଆଁରକେଲା ଗାଁର ଚାଷୀ ମନୋଜ ସିଂହଙ୍କ ୨ଏକର ଜମିରେ ପୋକ ଲାଗି ଫସଲ ନଷ୍ଟ ହୋଇଛି । ଫଳରେ ସେ ହତାଶ ହୋଇ ବିଷ ପିଇ ଆତ୍ମହତ୍ୟାକରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପହଂଚିଛନ୍ତି ହେମଗିରି ତହସିଲଦାର, ବିଡିଓ ଓ ପୁଲିସ ।