କୁମ୍ଭୀର ସହ ୬ବର୍ଷର କୁନିଝିଅର ଲଢେଇ ! ବଡ ଭଉଣୀର ଜୀବନ ବଂଚାଇଲା ସାନଭଉଣୀ

27

crocodile attack girlକନକ ବ୍ୟୁରୋ : କୁମ୍ଭୀର ମୁହଁରେ କୁନି ଝିଅ । ଏମିତି କଥା ଶୁଣିବା ମାତ୍ରେ ଭୟରେ ଆପଣ ଶିହରି ଉଠୁଥିବେ । ମଣିଷ ଖିଆ କୁମ୍ଭୀର ମୁହଁରୁ ବଡବଡ ଲୋକ ବି ବର୍ତିବା ମୁସ୍କିଲ । ହେଲେ ୬ବର୍ଷର କୁନି ଝିଅଟିଏ, ତାଠାରୁ ସାମାନ୍ୟ ବଡ ଭଉଣୀକୁ କୁମ୍ଭୀର ମୁହଁରୁ ଉଦ୍ଧାର କରିଛି । ଅଦ୍ଭୁତ ସାହସ ଦେଖାଇ ୫ ଫୁଟିଆ କୁମ୍ଭୀର କବଳରୁ ନିଜ ଭଉଣୀକୁ ବଂଚାଇଛି । ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ବାଙ୍କୁଆଳ ଗାଁର ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଶେଷ କରି ନିଜ ଭଉଣୀକୁ ବଂଚାଇବା ପାଇଁ ୬ ବର୍ଷର ଝିଏ ମମତା ଯେଉଁ ସାହସ ଦେଖାଇଲା ସେଥିପାଇଁ ଚାରିଆଡୁ ପ୍ରଶଂସାର ଶୁଅ ଛୁଟିଛି ।

ପୋଖରୀରେ ଛପି ରହିଥିଲା ବିରାଟ ବଉଳା କୁମ୍ଭୀର । ଆଉ ଶୌଚ ହେବାପାଇଁ ଆସିଥିବା ଦୁଇ ଭଉଣୀଙ୍କ ମଧ୍ୟରୁ ଜଣକୁ ହଠାତ ଆକ୍ରମଣ କରିଥିଲା । ଆଶ୍ଚର୍ଯ୍ୟର କଥା ମଣିଷ ଖିଆ ବିରାଟ କୁମ୍ଭୀରକୁ ଦେଖି ଡରିଯାଇନଥିଲା ମାତ୍ର ୬ ବର୍ଷର ଛୁଆଟିଏ । ପାଣି ଭିତରକୁ ଯାଇଥିଲା ବଡ ଭଉଣୀ ଅଶାନ୍ତି । ଆଉ ଉପରେ ଛିଡା ହୋଇଥିଲା ତାଠାରୁ ବୟସରେ ସାମାନ୍ୟ ସାନ ଭଉଣୀ ମମତା । ଅଶାନ୍ତିର ଡାହାଣ ହାତକୁ କାମୁଡି ଧରିଥିଲା ଏକ ବିରାଟ କୁମ୍ଭୀର ଆଉ ବାମ ହାତକୁ ଧରି ଟାଣି ଆଣିଥିଲା ମମତା ।

ଆପଣଙ୍କୁ କାହାଣୀ ପରି ଲାଗୁଥିଲେ ବି ଏକଥା ଏକଦମ ସତ । ଉପସ୍ଥିତ ବୁଦ୍ଧି ଖଟାଇଥିଲା ମାତ୍ର ୬ ବର୍ଷର କୁନି ଝିଅଟିଏ । ଆଉ ତାଠାରୁ ସାମାନ୍ୟ ବଡ ଝିଅଟିଏର ଆର ହାତକୁ ଧରି ଭିଡିଆଣିଥିଲା କୂଳକୁ । ମରଣ ମୁହଁରୁ ବଂଚାଇ ଆଣିଥିଲା ତା ଭଉଣୀକୁ । ମମତାର ଏହି ଅଦ୍ଭୁତ ସାହସ ପାଇଁ ଏବେ ଚାରିଆଡୁ ପ୍ରଶଂସା ।

କେନ୍ଦ୍ରାପଡା ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ଥିବା ବାଙ୍କୁଆଳି ଗାଁର ଏହି ଘଟଣା ସଂପର୍କରେ ସଙ୍ଗସଙ୍ଗେ ବନ ବିଭାଗକୁ ଖବର ଦିଆଯାଇଥିଲା । ପ୍ରଥମେ ଝିଅଟିକୁ ଚିକିତ୍ସା କରାଯାଇଥିବାବେଳେ କୁମ୍ଭୀରଟିକୁ କାବୁ କରିବା ସମ୍ଭବ ହୋଇନଥିଲା । ରାତି ତମାମ ଭୟରେ କାଟିଥିଲେ ଗାଁ ଲୋକେ । ଆଉ ପରଦିନ ସକାଳୁ ସଦଳବଳେ ବନ ବିଭାଗ କୁମ୍ଭୀରଟିକୁ ଗାଁ ପୋଖରୀରୁ ଉଦ୍ଧାର କରି ଭିତରକନିକାରେ ଛାଡିଥିଲେ । ବିଶେଷ କରି ଜାତୀୟ ଉଦ୍ୟାନ ଭିତରେ ଏହି ଗାଁ ଥିବାରୁ ବାରମ୍ବାର କୁମ୍ଭୀର ଗାଁ ଭିତରକୁ ପଶି ଆସୁଥିବା କହିଛନ୍ତି ରେଞ୍ଜ ଅଫିସର ।

ଏହା ସହ ଦେଖନ୍ତୁ ଏହି ଭିଡିଓ –