କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ଆତ୍ମହତ୍ୟାର କାରଣ ନେଇ ହେବ ବିଚାର ବିଭାଗୀୟ ତଦନ୍ତ

133

କନକ ବ୍ୟୁରୋ : ଯବାନଙ୍କ ଦ୍ୱାରା ଗଣଦୁଷ୍କର୍ମର ଅଭିଯୋଗ ଆଣି ନ୍ୟାୟ ପାଇଁ ବାରଦୁଆର ବୁଲି ଶେଷରେ ଆତ୍ମହତ୍ୟା କରିଦେଲେ କୁନ୍ଦୁଲୀ ପୀଡିତା । ସାରା ରାଜ୍ୟରେ ହଇଚଇ ସୃଷ୍ଟି ହେଲା । ସନ୍ଦେହ ଉଠିଲା ଗଣଦୁଷ୍କର୍ମ ଅଭିଯୋଗର ଠିକ୍ ଭାବରେ ତଦନ୍ତ କରାନଯିବାରୁ ଶେଷରେ ଜୀବନ ହାରିଲେ ପୀଡିତା । କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ବିଚାରବିଭାଗୀୟ ତଦନ୍ତ ଚାଲିଥିବା ବେଳେ ଏହାର ଟର୍ମସ ଅଫ୍ ରେଫରେନ୍ସ ବା ତଦନ୍ତ ପରିସରକୁ ବଢାଯାଇ ଏବେ ଆତ୍ମହତ୍ୟାର କାରଣକୁ ନେଇ ମଧ୍ୟ ତଦନ୍ତ ହେବ । ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ସେପଟେ କୁନ୍ଦୁଲି ପୀଡିତାଙ୍କ ଦୁଷ୍କର୍ମ ସଂକ୍ରାନ୍ତରେ ଫୋରେନସିକ୍ ସାଇନ୍ସ ଲାବରେଟୋରୀର ଦୁଇଟି ରିପୋର୍ଟରେ ତାଳମେଳ ନଥିବା ନେଇ ଅଭିଯୋଗ ଆସିଛି । କୁହାଯାଉଛି, ପ୍ରଥମ ରିପୋର୍ଟ ଓ ଫାଇନାଲ ରିପୋର୍ଟ ମଧ୍ୟରେ ଫରକ ରହିଛି ।

କୁନ୍ଦୁଲି ପୀଡିତାଙ୍କ ଅନ୍ତବସ୍ତ୍ରରେ ଲାଗିଥିବା ବୀର୍ଯ୍ୟର ଏହି ରିପୋର୍ଟ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ଯେଉଁଥିରେ ଲେଖାଯାଇଛି, ଅନ୍ତବସ୍ତ୍ରର ଦୁଇଟି   ସ୍ଥାନରେ ବୀର୍ଯ୍ୟ ଲାଗିଛି । ଏବଂ ଏଥିରେ ଦୁଇଟି ବୀର୍ଯ୍ୟ ଲାଗିଥିବା ସ୍ଥାନରେ ଦୁଇଟିର ବ୍ଲଡ୍ ଗ୍ରୁପ୍ ଏ ଓ ବି ଥିବା ଲେଖାଯାଇଛି । ତେବେ ଏହି ରିପୋର୍ଟ ଏକ ମିଛ ରିପୋର୍ଟ ବୋଲି କହିଛି ରାଜ୍ୟ ଫରେନସିକ୍ ସାଇନ୍ସ ଲାବରେଟୋରୀ ।

ଆଉ ଫାଇନାଲ ରିପୋର୍ଟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି, ଅନ୍ତବସ୍ତ୍ରର ଦୁଇଟି ସ୍ଥାନରେ ଲାଗିଥିବା ଦାଗ, ପୀଡିତାଙ୍କର । ପ୍ରଥମ ରିପୋର୍ଟ ଓ ଫାଇନାଲ ରିପୋର୍ଟ ମଧ୍ୟରେ ତାଳମେଳ ନଥିବା ନେଇ ସନ୍ଦେହ ଉଠିବା ପରେ ଆଜି ଡିଜି ପୋଲିସ ଏହାର ପୁଣିଥରେ ପରୀକ୍ଷା ପାଇଁ ଅନ୍ତବସ୍ତ୍ର ସବୁକୁ କଲିକତା ସ୍ଥିତି କେନ୍ଦ୍ରୀୟ ପରୀକ୍ଷାଗାରକୁ ପଠାଇଥିବା କହିଛନ୍ତି ।

ଏହି ପ୍ରେସ ରିଲିଜରେ ଡିଜି ପୋଲିସ କହିଛନ୍ତି, ଦୁଇଟି ରିପୋର୍ଟରେ ତାଳମେଳ ନଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିବାରୁ ସନ୍ଦେହ ଦୂର କରିବା ପାଇଁ ପୁଣି ପରୀକ୍ଷା କରାଯିବ । ଜାନୁଆରୀ ୩୦ ତାରିଖରେ ପୀଡିତାଙ୍କ ଅନ୍ତବସ୍ତ୍ରକୁ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା କଲିକତାସ୍ଥିତ କେନ୍ଦ୍ରୀୟ ପରୀକ୍ଷାଗାରକୁ ପଠାଇଦିଆଯାଇଛି ।