ରାହୁଲ ଦ୍ରାବିଢ଼ଙ୍କ ଠାରୁ ୪ କୋଟି ଟଙ୍କାର ଠକେଇ ! ପୋଲିସରେ ଅଭିଯୋଗ କଲେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ
କନକ ବ୍ୟୁରୋ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ ଚିଟ୍ ଫଣ୍ଡ ଠକାମିର ଶିକାର ହୋଇଛନ୍ତି । ତାଙ୍କଠାରୁ ବିକ୍ରମ୍ ଇନଭେଷ୍ଟମେଣ୍ଟ କଂପାନି ନାମକ ଏକ ସଂସ୍ଥା ପାଖାପାଖି ୪ କୋଟି ଟଙ୍କା ଠକି ନେଇଛି । ଦ୍ରାବିଡ଼ ଏଥିନେଇ ବେଙ୍ଗାଲୁରୁର ସଦାଶିବ ନଗର ଥାନାରେ ଶନିବାର ଏତଲା ଦାୟର କରିଥିବା ଜଣା ପଡ଼ିଛି । କେବଳ ଦ୍ରାବିଡ଼ ନୁହେଁ ଏହି କଂପାନି ଆହୁରି ଅନେକ ଭାରତୀୟ କ୍ରୀଡ଼ା ତାରକାଙ୍କୁ ଠକି ଥିବା ମଧ୍ୟ ସଦାଶିବ ନଗର ଥାନାର ଭାରପ୍ରାପ୍ତ ଅଧିକାରୀ ନବୀନ କହିଛନ୍ତି । ତେବେ କଂପାନି ବିରୋଧରେ ଦ୍ରାବିଡ଼ ପ୍ରଥମେ ଥାନାରେ ଲିଖିତ ଅଭିଯୋଗ କରିଥିବା ସେ ସୂଚନା ଦେଇଛନ୍ତି । ଏହି ମାମଲାରେ ପୁଲିସ ଜଣେ ପୂର୍ବତନ କ୍ରୀଡ଼ା ସାମ୍ବାଦିକଙ୍କ ସହ ୫ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରି ପଚରା ଉଚରା ଆରମ୍ଭ କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କଂପାନିର ମାଲିକ ରାଘବେନ୍ଦ୍ର ଶ୍ରୀନାଥ ଏବଂ ପୂର୍ବତନ କ୍ରୀଡ଼ା ସାମ୍ବାଦିକ ତଥା ଏଜେଣ୍ଟ ସୁତରାମ ସୁରେଶଙ୍କ ପ୍ରରୋଚନା ଏବଂ ମିଥ୍ୟା ପ୍ରତିଶ୍ରୁତିରେ ଭଳି ଯାଇ ଦ୍ରାବିଡ଼ ବିକ୍ରମ୍ ଇନଭେଷ୍ଟମେଣ୍ଟ କଂପାନିରେ ୨୦ କୋଟି ଟଙ୍କା ବିନିଯୋଗ କରିଥିଲେ । ରାଘବେନ୍ଦ୍ର ଓ ସୁତରାମ ତାଙ୍କୁ ବ୍ୟାଙ୍କ ଦେଉଥିବା ଲାଭାଂଶଠାରୁ ଯଥେଷ୍ଟ ଅଧିକ ଲାଭ ଦେବେ ବୋଲି କହିଥିଲେ ।
ତେବେ ଅଧିକ ଟଙ୍କା ତ ଛାଡ଼ନ୍ତୁ ମୂଳଧନରୁ ଆହୁରି ୪ କୋଟି ଟଙ୍କା ତାଙ୍କୁ ଏ ପର୍ଯ୍ୟନ୍ତ ମିଳି ନଥିବା ଦ୍ରାବିଡ଼ ତାଙ୍କ ଏତଲାରେ ଦର୍ଶାଇଛନ୍ତି । ଏଥିନେଇ ସମସ୍ତ କାଗଜପତ୍ର ମଧ୍ୟ ସେ ପୁଲିସକୁ ଦେଇଛନ୍ତି । ବ୍ୟାଡ୍ମିଣ୍ଟନ୍ ତାରକା ସାଇନା ନେହଓ୍ଵାଲ, ପ୍ରକାଶ ପାଦୁକୋନଙ୍କ ସମେତ ୮୦୦ ଲୋକଙ୍କଠାରୁ ବିକ୍ରମ୍ ଇନଭେଷ୍ଟମେଣ୍ଟ କଂପାନି ୧୦୦ରୁ ଅଧିକ କୋଟି ଟଙ୍କା ଠକି ନେଇଥିବାର ସୂଚନା ମିଳିଛି । କଂପାନି ସମସ୍ତଙ୍କୁ ବାର୍ଷିକ ୪୦ ପ୍ରତିଶତ ହାରରେ ଲାଭାଂଶ ଦେବ ବୋଲି ପ୍ରତିଶ୍ରୁତି ଦେଇ ଏଭଳି କାଣ୍ଡ ଘଟାଇଥିଲା ।