ଦମ୍ପତି ୪୨୦ ! ଅନ୍ୟ ଲୋକଙ୍କ ନାଁରେ ଋଣ କରି ଠକିନେଲେ ଲକ୍ଷଲକ୍ଷ ଟଙ୍କା

28

କନକ ବ୍ୟୁରୋ : ସାମ୍ନାକୁ ଆସିଲା ଲୁଟର ନୂଆ ତରିକା । ଅନ୍ୟ ଲୋକଙ୍କ ନାଁରେ ଲକ୍ଷଲକ୍ଷ ଟଙ୍କାର ଋଣ କରି ଠକିନେଲେ ଦମ୍ପତି । ବ୍ୟାଙ୍କରେ ବନ୍ଧା ପଡିଛି ସେହି ଲୋକମାନଙ୍କ ସୁନା ଗହଣା, ହେଲେ ମିଳିନି ଋଣ । ପ୍ରାୟ ୨୦ ଲକ୍ଷ ଟଙ୍କା ଚୁନା ଲଗାଇଥିବା ଦମ୍ପତି ଏବେ ପୋଲିସ ହାତରେ । ହେଲେ ଲୁଟର ଶିକାର ଲୋକେ କେମିତି ଶୁଝିବେ ଋଣ ସେହି ଚିନ୍ତାରେ ।

ସୂଚନା ଅନୁସାରେ, ଭୁବନେଶ୍ୱର ଉପକଣ୍ଠ ନହରକଂଟା ଅଂଚଳରେ ପାଂଚ ବର୍ଷରୁ ଉର୍ଦ୍ଧ ସମୟ ଭଡାରେ ରହୁଥିଲେ ସୌମ୍ୟରଂଜନ ସାହୁ ଓ ତାଙ୍କ ପତ୍ନୀ ଦମୟନ୍ତୀ । ଧୀରେ ଧୀରେ ପଡୋଶୀଙ୍କ ସହ ସୁସଂପର୍କ ସ୍ଥାପନ କରିବା ପରେ କିଛି ମହିଳାଙ୍କୁ ନିଜ ଜାଲରେ ଫସେଇଥିଲେ । ଜରୁରୀ କାଗଜପତ୍ର ନେଇ ତାଙ୍କ ନାମରେ ଫାଇନ୍ସାସ୍ କଂପାନୀ ଗୁଡିକରେ ଲୋନ୍ କରାଇଦେଇଥିଲେ । ପରେ ସେମାନଙ୍କୁ ଅଳ୍ପ କିଛି ଟଙ୍କା ଦେଇ ନିଜେ ସମସ୍ତ ଟଙ୍କା ହଡପ କରି ଫେରାର ହୋଇଯାଇଥିଲେ ।

ସ୍ୱାମୀ ତ୍ସୀ ଦୁଇ ଜଣ ଠକିବା ପାଇଁ ରଚିଥିଲେ ମାଷ୍ଟରପ୍ଲାନ୍ । ଗ୍ରାମର ଅଳ୍ପ ଶିକ୍ଷିତ ମହିଳାଙ୍କୁ ଲୋଭ ଦେଖାଇ ଓ କିଛି ମହିଳାଙ୍କର ଅସହାୟତାର ଫାଇଦା ନେଇ ସେମାନଙ୍କୁ ଲୋନ୍ କରିବାକୁ ପ୍ରର୍ବତାଇ ଥିଲେ । ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ନେଇ ମୁଥୁଟ୍ ଫାଇନ୍ସାସ୍ , ମଣିପୁରମ୍ ଗୋଲ୍ଡ ଲୋନ୍ ଆଦି ସଂସ୍ଥାରେ ବନ୍ଧକ ରଖି ଟଙ୍କା ଉଠାଇଥିଲେ । ଲଲିପପ୍ ପରି ଅଳ୍ପ କିଛି ଟଙ୍କା ଦେଇ ବାକି ଟଙ୍କା ନିଜେ ନେଇଯାଇଥିଲେ । ମହିଳାଙ୍କୁ ପ୍ରତିଶ୍ରତି ଦେଇଥିଲେ, ଟଙ୍କା ଶୁଝିବା ଦାୟିତ୍ୱ ତାଙ୍କର ।

ଠକାମୀର ଅଭିଯୋଗ ନେଇ ତିନି ମାସ ପୂର୍ବରୁ ମଂଚେଶ୍ୱର ଥାନାର ଦ୍ୱାରସ୍ଥ ହୋଇଥିଲେ ଠକାମୀର ଶିକାର ହୋଇଥିବା କିଛି ମହିଳା । ହେଲେ ଏହି ଦମ୍ପତିଙ୍କ ଟେର୍ ପାଇନଥିଲା ପୁଲିସ । ଗତକାଲି ରାଉଲକେଲାରେ ସେମାନେ ରହୁଥିବା ଜାଣି ସ୍ଥାନୀୟ ପୋଲିସ୍ ସହାୟତାରେ ଚଢାଉ କରିଥିଲା ମଂଚେଶ୍ୱର ପୂୁଲିସ । ସ୍ୱାମୀ-ସ୍ତ୍ରୀ ପୁଲିସ ହାତରେ ଧରା ପଡିଥିବା ବେଳେ ଏବେ ଲକ୍ଷ ଲକ୍ଷ ଟଙ୍କାର ଋଣକୁ କେମିତି ଶୁଝିବେ ଚିନ୍ତାରେ ଠକାମୀର ଶିକାର ହୋଇଥିବା ମହିଳା । ।